ବେଇଜିଂ,ଏଜେନ୍ସି: ଚୀନରେ ‘କରୋନାଭାଇରସ୍’ ପୀଡ଼ିତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ପାଇଁ ବେଡ ଅଭାବ ପଡ଼ିଛି। ଏ ନେଇ ୯ଦିନ ମଧ୍ୟରେ ଟେମ୍ପୋରାରି ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ସେନାବାହିନୀକୁ ଅର୍ପଣ କରିଛନ୍ତି। ସୋମବାର ଠାରୁ ‘ପିପଲସ୍ ଲିବେରେସନ୍ ଆର୍ମି’ର (ଚୀନ୍ ସେନାବାହିନୀ) ସଦସ୍ୟମାନେ ଏହି ଡାକ୍ତରଖାନାରେ ରୋଗୀମାନଙ୍କୁ ଭର୍ତ୍ତି କରାଇବେ ବୋଲି ରବିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ସୂଚନା ଅନୁସାରେ କରୋନା ଭାଇରସ ଯୋଗୁ ଚୀନରେ ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି ପାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ୨୮୨୯ ନୂଆ ଆକାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ବଢ଼ି ୧୭ ହଜାର ୨୦୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ହଜାର ୨୫୦ ଜଣଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ୪୭୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।
ରେକର୍ଡ ସମୟ ମଧ୍ୟରେ ନିର୍ମିତ ନୂଆ ଡାକ୍ତରଖାନାର ୪୧୯ଟି ଓ୍ଵାର୍ଡରେ ରହିଛି ୧୦୦୦ଟି ଶଯ୍ୟା ଏବଂ ୩୦ଟି ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍। ଏହାର ନାମ ରଖାଯାଇଛି ‘ହୁଓସେନ୍ସାନ୍ ହସ୍ପିଟାଲ୍’। କାଇଡିଆନ୍ ଜିଲ୍ଲା ଅନ୍ତର୍ଗତ ‘ଉହାନ୍ ଓ୍ଵାର୍କର୍ସ ସାନାଟରିୟମ୍’ ମଧ୍ୟରେ ଏହି ହସ୍ପିଟାଲ୍ର ନିର୍ମାଣ କାମ ଜାନୁଆରି ୨୫ ତାରିଖରେ ଆରମ୍ଭ ହୋଇଥିଲା।
ଏହି ବିଶାଳ ପ୍ରକଳ୍ପ ନିମନ୍ତେ ଲାଗିଥିଲେ ୪୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକ। ପ୍ରାୟ ୧୦୦୦ଟି ନିର୍ମାଣ ମେସିନ୍ ଓ ଟ୍ରକ୍ ଏହି ଅଟ୍ଟାଳିକା ନିର୍ମାଣସ୍ଥଳରେ ରହି କାମ କରୁଥିଲେ ବୋଲି ରାଷ୍ଟ୍ରାୟତ ‘ଚାଇନା ଡେଲି’ ଖବରକାଗଜ ରବିବାର ସନ୍ଧ୍ୟା ରିପୋର୍ଟରେ କହିଛି। ଏହି ଡାକ୍ତରଖାନାରେ ‘ପିପଲ୍ସ୍ ଲିବେରେସନ୍ ଆର୍ମି’ର ଅନେକ ଡାକ୍ତରଙ୍କ ସମେତ ୧୦୦୦ରୁ ଅଧିକ ସଦସ୍ୟଙ୍କୁ ମୁତୟନ କରାଯାଇଛି। ଏଥିସହ ସେନାବହିନୀର ସମୁଦାୟ ୧୪୦୦ ଡାକ୍ତରୀ କର୍ମୀ ରୋଗୀମାନଙ୍କୁ ଭର୍ତ୍ତି କରାଇ ଚିକିତ୍ସା କରିବେ। ସେହିପରି ଅନ୍ୟ ଏକ ଡାକ୍ତରଖାନା ମଧ୍ୟ ନିର୍ମାଣ ଚାଲିଥିବା ଗଣମାଧ୍ୟମ ସୂଚନା ଦେଇଛି।