ଚାକିରି ଦେବା ନାଁରେ ୫୦ ଲକ୍ଷ ଠକେଇ, ୨ ଗିରଫ

ଠକଙ୍କ କବ୍ଜାରେ ଫସିଛନ୍ତି ୯ ଯୁବକ

ସାରା ଓଡ଼ିଶାରୁ ଠକିଛନ୍ତି ୫ କୋଟି

ଆଇଓଙ୍କୁ ମିଳିବ ପ୍ରଶଂସାପତ୍ର: ଏସପି

ବ୍ରହ୍ମପୁର,ଏନଏନଏସ: ବେକାରଙ୍କୁ ଚାକିରି କରାଇଦେବା ନାମରେ ସାରା ରାଜ୍ୟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଦୁଇ ଠକଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଅଞ୍ଚଳର ରବୀନ୍ଦ୍ର କୁମାର ବେହେରା ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଅରୁଣ କୁମାର ବେହେରା। ଉଭୟଙ୍କଠାରୁ ପୁଲିସ ବିଭିନ୍ନ ବ୍ୟାଙ୍କର ପାସବୁକ୍, ଏଟିଏମ୍ କାର୍ଡ, ଲୋକଙ୍କୁ ଦେବା ପାଇଁ ରଖାଯାଇଥିବା ବିିଭିନ୍ନ ପ୍ରକାର ପରିଚୟ ପତ୍ର ସହ ୯ଟି ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ଗିରଫ ପରେ ସେମାନଙ୍କୁ ଜେଲ ପଠାଯାଇଛି। ପରେ ପୁଲିସ ଉଭୟ ଠକଙ୍କ ପାଇଁ ପୁଣି ପୁଲିସ ରିମାଣ୍ଡ କୋର୍ଟରେ ଆବେଦନ କରି ପଚରା ଉଚରା କରିବ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ବ୍ରହ୍ମପୁର ଏସ୍ପି ଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଯାଜପୁର ଅଞ୍ଚଳର ରବୀନ୍ଦ୍ର କୁମାର ବେହେରା ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ରିଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନରେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ବନ୍ଧୁ ଦିଗପହଣ୍ଡି ଅଞ୍ଚଳର ଅରୁଣ କୁମାର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଇତି ମଧ୍ୟରେ ୨୦୧୮ ମସିହାରେ ସେମାନେ କିଛି ଗରିବ ଯୁବକ ଏବଂ ଯୁବତୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଚାକିିରି କରାଇଦେବାର ପ୍ରଲୋଭନ ଦେଖାଇବା ପାଇଁ ଟଙ୍କା ଠକି ନେବା ପାଇଁ ଯୋଜନା କରିଥିଲେ।

ସେମାନେ ବ୍ରହ୍ମପୁର ସହରର ଗୋଇଲୁଣ୍ଡି ଅଞ୍ଚଳର ପୂର୍ଣ୍ଣିମା ବେହେରାଙ୍କ ଦୁଇ ପୁଅ ଏବଂ ଝିଅଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଏନଇଏଫଟି ଏବଂ ବ୍ୟାଙ୍କ ଆକାଉଣ୍ଟରେ ନେଇଯାଇଥିଲେ। ଏହାକୁ ନେଇ ପୂର୍ଣ୍ଣିମା ବେହେରା ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାକୁ ପ୍ରଥମରୁ ହିଁ ଗୁରୁତ୍ୱ ଦେଇଥିଲା। ଅଭିଯୋଗକାରୀମାନେ ଏନଇଏଫଟି କରିଥିବା ଆକାଉଣ୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟର ନମ୍ବରକୁ ନେଇ ଉଭୟଙ୍କ ଧରିବା ପାଇଁ ଚେଷ୍ଟା କରିଥିଲା। ଇତି ମଧ୍ୟରେ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲାର ପ୍ରାୟ ୯ ଜଣଙ୍କ ଠାରୁ ୩୮ଲକ୍ଷ ଟଙ୍କା ନେଇଥିଲେ। ପୁଲିସ ଧୀରେ ଧୀରେ ଘଟଣାକୁ ନେଇ ତଦନ୍ତ କରିବା ବେଳେ ଏହି ଠକେଇର ଚେର ଅନୁଗୁଳ, ପୁରୀ, ଜଗତସିଂହପୁର, ତାଳଚେର ଓ ଯାଜପୁରକୁ ଲମ୍ବିଥିବା ପୁଲିସ ଜାଣିପାରିଲା। ଇତି ମଧ୍ୟରେ ବ୍ରହ୍ମପୁର ପୁଲିସ ଯାଜପୁର ଯାଇ ପ୍ରଥମେ ରବୀନ୍ଦ୍ର କୁମାର ବେହେରାଙ୍କୁ ଚତୁରତାର ସହ ଗିରଫ କରିବା ସହ ଦିଗପହଣ୍ଡି ଅଞ୍ଚଳର ଅରୁଣ କୁମାର ବେହେରାଙ୍କୁ ମଧ୍ୟ ଗିରଫ କରିଥିଲା।

ସେମାନଙ୍କୁ ପଚରାଉଚରା କରିବା ସହ ରବୀନ୍ଦ୍ରଙ୍କ ଘର ପୁଲିସ ସର୍ଚ୍ଚ କରିବା ସମୟରେ ସେଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ୍, ଏଟିଏମ୍, ମୋବାଇଲ୍ ଫୋନ୍ ସହ ପରିଚୟ ପତ୍ର ମିଳିଥିଲା। ଏପରିକି ଭୁବନେଶ୍ୱର ଅଞ୍ଚଳର ଏକ ଦାମୀ ଜମି ଯାହାର ମୂଲ୍ୟ ୫ କୋଟି ରହିଥିବା ବେଳେ ଅଭିଯୁକ୍ତ ରବୀନ୍ଦ୍ର ଅଗ୍ରୀମ ୨ କୋଟି ଟଙ୍କା ନଗଦ ଦେଇ ଏକ ଏଗ୍ରିମେଣ୍ଟ କରିଥିବା କାଗଜ ମଧ୍ୟ ପୁଲିସ ଜବତ କରିଥିଲା। ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଠକି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାରିଛି। ଲୋକଙ୍କୁ ରବୀନ୍ଦ୍ର ନିଜେ ଚାକିରି କରୁଥିବା ସରକାରୀ ସଂସ୍ଥା ଆରଆଇଇରେ ୬୦ଟି ପୋଷ୍ଟ ଖାଲି ରହିଥିବା କହି ରାଜ୍ୟର ପ୍ରାୟ ୫୦ରୁ ୬୦ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଏପରିକି କିଛି ଲୋକଙ୍କୁ ସରକାରୀ ଚାକିରିଆ ପରିଚୟପତ୍ର ଦେଇ କୌଣସି ଏକ ସ୍ଥାନରେ ରଖି କାଗଜପତ୍ର କାମ କରାଇ ମାସିକ ଦରମା ମଧ୍ୟ ଦେଉଥିବା ପୁଲିସ କହିଛି।

ଏହିପରି ଭାବେ ସେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କ ସହଯୋଗୀ ଭାବେ ଦିଗପହଣ୍ଡି ଅଞ୍ଚଳର ଅରୁଣ ବେହେରା କାର୍ଯ୍ୟ କରୁଥିଲେ। ଇତି ମଧ୍ୟରେ ଗୋଇଲୁଣ୍ଡି ଅଞ୍ଚଳର ପୂର୍ଣ୍ଣିମା ବେହେରା ଅଭିଯୁକ୍ତଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ବୈଦ୍ୟନାଥପୁର ଥାନାରେ ଜାନୁୟାରୀ ମାସ ୩୦ ତାରିଖରେ ଏତଲା ଦେଇଥିଲେ। ପରେ ପୁଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ନେଇ ବ୍ରହ୍ମପୁର ଏସପି ଶ୍ରୀ ମିଶ୍ର କହିଛନ୍ତି ଯେ, ସରକାରୀ ଚାକିରି କରିବା ପାଇଁ କୌଣସି ଲୋକଙ୍କୁ ଟଙ୍କା ନଦେବାକୁ ବେକାର ଯୁବକ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି। ଏପରି କୌଣସି ଲୋକଙ୍କ ପରିଚୟ ମିଳିଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ମଧ୍ୟ ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଏଏସପି ପ୍ରଶାନ୍ତ ମିଶ୍ର, ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ବୈଦ୍ୟନାଥପୁର ଥାନାଧିକାରୀ ସାରଦାପ୍ରସାଦ ଦାଶ, ତଦନ୍ତ ଅଧିକାରୀ ଭୈରବ କୁମାର ଭୂୟାଁ ଉପସ୍ଥିତ ଥିଲେ। ଘଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭୈରବ କୁମାର ଭୂୟାଁଙ୍କୁ ଏସ୍ପି ଏହି ଘଟଣାରେ ପ୍ରଶଂସାପତ୍ର ପ୍ରଦାନ କରିବେ ବୋଲି ମଧ୍ୟ ଜଣାଇଛନ୍ତି।