ରାଜନଗର,ଏନ୍ଏନ୍ଏସ୍: ଶାଶୂଘର ଲୋକେ ନବବଧୂଙ୍କୁ ଶନିବାର ସକାଳେ ଶାଶୂ, ଶ୍ୱଶୁର, ଦିଅର ଓ ନଣନ୍ଦ ମିଳିମିଶି କିରୋସିନି ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଫଳରେ ନବବଧୂଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ମୁର୍ମୁଷୂ ଅବସ୍ଥାରେ କଟକ ବଡ଼ମେଡିକାଲରେ ଚିକିତ୍ସା କରାଯାଉଛି। ଗୁରୁତର ମହିଳା ହେଲେ ରାଜନଗର ଥାନା ଅନ୍ତର୍ଗତ ଧନେଶ୍ୱରପୁର ଗାଁର ବ୍ରହ୍ମାନନ୍ଦ ସାହୁଙ୍କ ଝିଅ ରଶ୍ମିତା। ପୁଲିସ ସବଇନ୍ସ୍ପେକ୍ଟର ଅଜୟ କୁମାର ସାହୁ କଟକ ବଡ଼ମେଡିକାଲରେ ପହଞ୍ଚି ମହିଳାଙ୍କ ବୟାନ ରେକର୍ଡ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି।
ରଶ୍ମିତା ବାରଦିଆଗାଁର ବୈଲୋଚନ ଦାସଙ୍କ ପୁଅ ବିକ୍ରମଙ୍କୁ ୨୦୧୮ ଜୁନ ମାସରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦେଇଥିଲେ। ବିବାହର ଏକମାସ ମଧ୍ୟରେ ଅଧିକ ଯୌତୁକ ଦାବିକରି ଶାଶୂଘର ଲୋକେ ରଶ୍ମିତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଇଆସୁଥିଲେ। ଏପରିକି ଅଧିକାଂଶ ସମୟରେ ଖାଇବାକୁ ମଧ୍ୟ ଦେଉ ନଥିଲେ। ୨୦୧୯ ଫେବୃଆରୀ ୭ ତାରିଖରେ ଦୌଡ଼ିରେ ବାନ୍ଧି ଠେଙ୍ଗାରେ ବାଡ଼େଇ ମାରିଦେବାକୁ ଉଦ୍ୟମ କରିଥିଲେ। ଭଦ୍ରଲୋକଙ୍କ ସହାୟତାରେ ଥାନାରେ ଏ ନେଇ ରଫାଦଫା ହୋଇଥିଲା।
ଶନିବାର ସକାଳେ ଶଶୁର ବିକ୍ରମ ଦାସ, ଶାଶୁ ଭାରତୀ ଦାସ, ଦିଅର ବିନୋଦ ଦାସ, ବିବାହିତା ନଣନ୍ଦ ମାଧ ରାଉତ ସ୍ୱାମୀ କେଶରା ପ୍ରମୁଖ ରଶ୍ମିତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଜିଅନ୍ତା ପୋଡ଼ି ମାରିଦେବାକୁ ମସୁଧା କରିଥିଲେ। ଏ ନେଇ ରାଜନଗର ଥାନା ଆଇଆଇସି ତପନ କୁମାର ନାୟକଙ୍କୁ ପଚାରିବାରୁ ରଶ୍ମିତାର ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି ବୋଲି କହିଛନ୍ତି।