ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ତିଖାଲି ଡ୍ୟାମ ଅଞ୍ଚଳ ଦରଙ୍ଗା କେନାଲ ରୋଡ଼ରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବୋଡେନ ବ୍ଳକ୍ କେରେକେଲା ଗାଁ’ ଟାଙ୍ଗିରିପଡ଼ାର ବିଷ୍ଣୁ ଦଳ(୪୦)। ବନବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଚାକିରି ଯୋଗାଇ ଦେବା ଦାବିରେ ଜିଲ୍ଲା ଦଳିତ ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମବାସୀ ତିଖାଲି ଖଡ଼ିଆଳ ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ । ଉତ୍ତେଜନାକୁ ଦେଖି ଖଡ଼ିଆଳ, କୋମନା, ବୋଡେନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୂଚନା ଅନୁଯାୟୀ ବିଷ୍ଣୁ ଦଳ ନିଜ ଗାଁ’ରୁ ବାଇକ୍ ଯୋଗେ ୩ଜଣ ସାଙ୍ଗଙ୍କ ସହ ନିଜ ସଡ଼ୁ ଘର ଗାଁ’ ଦରଗାଁକୁ ଯାଉଥିବା ବେଳେ କେନାଲ ରାସ୍ତାରେ ବାଇକ ସାମନାକୁ ହଠାତ ଏକ ବଣୁଆ ହାତୀ ଆସି ଆତର୍କିତ ଆକ୍ରମଣ କରିଥିଲା। ଏଥିରେ ସାଙ୍ଗରେ ସେମାନେ ଜୀବନ ବଞ୍ଚାଇବା ପାଇଁ ପଳାଉଥିବା ବେଳେ ବିଷ୍ଣୁ ଯାଇ ପାରିନଥିଲା। ସେଠାରେ ହାତୀଟି ବିଷ୍ଣୁକୁ କଚାଡି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବରପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ଥାନୀୟ ଗ୍ରାମବାସୀମାନେ ବନବିଭାଗକୁ ଦାୟୀ କରି ରାଜରାସ୍ତା ଉପରେ ଶବ ରଖିଛନ୍ତି ।

ପରେ ପ୍ରାୟ ଦିନ ୨ଟା ୩୦ରେ ବନବିଭାଗ ଏସିଏଫ ଦେବେନ୍ଦ୍ର ଚନ୍ଦ୍ର ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ସହ ଜଣଙ୍କୁ ଚାକିରି ଓ ରେଡ଼କ୍ରସ୍ ପାଣ୍ଠିରୁ ୨୦ହଜାର ଟଙ୍କା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।