ମା’କୁ ମୁଖାଗ୍ନି ଦେଲା ଝିଅ

ବଲାଙ୍ଗିର,ଏନ୍ଏନ୍ଏସ୍: ଆମ ସମାଜରେ ପୁଅ ହିଁ ମୁଖାଗ୍ନି ଦେବାର ପରମ୍ପରା ରହିଥିବା ବେଳେ ଏହି ପରମ୍ପରା ବଦଳିବାରେ ଲାଗିଛି। ଝିଅମାନେ ବର୍ତ୍ତମାନ ମୁଖାଗ୍ନି ଦେଉଛନ୍ତି। ବଲାଙ୍ଗିରରେ ଜଣେ ଝିଅ ତାଙ୍କ ମା’ଙ୍କୁ ମୁଖାଗ୍ନି ଦେଉଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ବସନ୍ତ ପଞ୍ଚମୀ ପୁଣ୍ୟତିଥିରେ ଗାନ୍ଧୀନଗର ପଡ଼ାସ୍ଥିତ ସ୍ୱର୍ଗତ ଉଦିତ ଚୋପଦାରଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶାନ୍ତିଲତା ଚୋପଦାରଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। ସେ ବରଗଡ଼ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିମୋନିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।

ମୃତ୍ୟୁବେଳେ ତାଙ୍କର ଝିଅ ପୁଷ୍ପିତା, ସସ୍ମିତା ଓ ଜ୍ୱାଇଁ ଗୋକୁଳା ଉପସ୍ଥିତ ଥିଲେ। ତେବେ ଶଶ୍ମାନରେ ଶବଦାହ ସଂସ୍କାରରେ ଝିଅ ପୁଷ୍ପିତା ଚୋପଦାର ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତା ଚୋପଦାର ଜଣେ ସ୍ପଷ୍ଟବାଦୀ, ଧର୍ମପରାୟଣ ମହିଳା ଥିଲେ। ମଧୁବୈଶ୍ୟ ଜାତିର ଉଦ୍ୟମରେ ହେଉଥିବା ଗଣେଶ ପୂଜା ଓ ମନ୍ଦିର ନିର୍ମାଣରେ ତଥା ଜାତି ସମାଜର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ବିଶେଷ ଅବଦାନ ରହିଥିଲା। ତାଙ୍କ ବିୟୋଗରେ ପଡ଼ା ତଥା ଜାତିସମାଜରେ ଶୋକର ଛାୟା ଖେଳିଯାଇଛି।