ପାରାଦ୍ୱୀପ,ଏନ୍ଏନ୍ଏସ୍: ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ଅଲିଭ୍ ରିଡଲେଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ହନୁମାନ ମନ୍ଦିର ସମୁଦ୍ର ବେଳାଭୂମି ନିକଟରୁ ଆରମ୍ଭ କରି ଷଣ୍ଢକୁଦ ବେଳାଭୂମି ପର୍ଯ୍ୟନ୍ତ କଇଁଛ ମରିପଡ଼ିଥିବା ସହ ସେମାନଙ୍କୁ କୁକୁରମାନେ ଝିଣି ଖାଉଥିବା ଦେଖାଯାଉଛି। ଏ ନେଇ ସମୁଦ୍ର ବେଳାଭୂମିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ବେଳେପର୍ଯ୍ୟଟକ ସକାଳୁ ସମୁଦ୍ର ବେଳାଭୂମି ବୁଲିବାକୁ ଆସି ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ମୃତ କଇଁଛ ଗୁଡିକୁ ପୋତାଯାଇ ବ୍ଲିଚିଂ ଛିଞ୍ଚନ କରିବାର ଆବଶ୍ୟକତା ରହିଛି। କେତେ ସଂଖ୍ୟାର କଇଁଚ ମରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଟ୍ରଲର ମାଡରେକିମ୍ବା ଜାଲରେ ଛନ୍ଦି ହୋଇ କଇଁଚ ମରିଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ୧ ତାରିଖରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ଦୂର ସମୁଦ୍ର ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲାଗିଥିଲେ ସୁଦ୍ଧା ଅନେକ ଟ୍ରଲର ମାଛ ଧରିବାକୁ ଯାଇଥିଲେ। ଟ୍ରଲରଗୁଡ଼ିକ ସହ ଆଘାତପ୍ରାପ୍ତ ହୋଇ କଇଁଛମାନେ ଏଭଳି ମୃତ୍ୟୁବରଣ କରୁଥିବା କୁହାଯାଉଛି । ବିଶେଷ ଭାବେ ବନବିଭାଗ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏହି ଘଟଣା ଏବେ ପାରାଦ୍ୱୀପରେ ଚର୍ଚ୍ଚାର ବିଷୟ ହୋଇଛି।