ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସିଂହ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମର୍ସିପିଟିସନ ଦାଖଲ କରିଥିବା ବେଳେ ଆଜି ଏହାକୁ ଖାରଜ କରାଯାଇଛି। ରାଜକ୍ଷମା ନମିଳିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଆବେଦନ ଉପରେ ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ। ରାୟ ଆସିବା ପରେ ନିର୍ଭୟାଙ୍କ ମାଆ ଆଶା ଦେବୀ ସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ମାନେ ବାରମ୍ବାର ଆଇନର ଗଳାବାଟ ଦେଇ ଖସି ଯାଉଥିବାରୁ ଏ ନେଇ ଦୃଢ଼ପଦକ୍ଷେପ ନେବାପାଇଁ କହିଛନ୍ତି।
ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଥିଲେ । ଅନ୍ୟପଟେ ଫାଶୀରୁ ବଞ୍ଚିବା ପାଇଁ ନିର୍ଭୟା ଦୋଷୀ ଅକ୍ଷୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଅନ୍ୟତମ ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ତେବେ ନିର୍ଭୟା ଦୋଷୀଙ୍କୁ ଫେବୃଆରୀ ପହିଲା ସକାଳ ୬ଟା ବେଳେ ଫାଶୀ ଦେବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ତେଣୁ ଯଦି ଏହି ଦୁଇ ଜଣଙ୍କ ଦୟା ଯାଚିକା କୋର୍ଟ ଖାରଜ ହୁଏ ତେବେ ନିର୍ଦ୍ଧାରିତ ସମୟରେ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ।