ଖୁବଶୀଘ୍ର କ୍ୟାନସର୍ ସେଣ୍ଟରର ଦ୍ୱିତୀୟ କ୍ୟାମ୍ପସ୍ (ଫ)

  • ଶଯ୍ୟା ସଂଖ୍ୟା ୪୨୫କୁ ବୃଦ୍ଧି ପାଇବ
  • ନୂଆ ବାଇ-ଲ, ଲୋଗୋକୁ ମିଳିବ ସ୍ୱୀକୃତି
  • ୧୦ଟି ଆଇସିୟୁ ବେଡ କାର୍ଯ୍ୟକ୍ଷମ ହେବ

କଟକ,ଏନ୍ଏନ୍ଏସ୍ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟରୋଗ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଚେୟାରମ୍ୟାନ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ପରିଷଦ ବୈଠକରେ ଆବଶ୍ୟକ ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ରୋଗୀ ଚିକିତ୍ସା ସମ୍ପର୍କରେ ଆଲୋଚନା କରାଯାଇଥିଲା। କର୍କଟରୋଗ କେନ୍ଦ୍ର ତଥା ହସ୍ପିଟାଲର ସମ୍ପ୍ରସାରଣ ତ୍ୱରାନ୍ୱିତ କରାଯିବ। ଏଥିସହ କ୍ୟାନସର ହସ୍ପିଟାଲରେ ଖାଲିଥିବା ଡାକ୍ତର ପଦବୀ ଖୁବଶୀଘ୍ର ପୂରଣ କରାଯିବା ସହ ଦ୍ୱିତୀୟ କ୍ୟାମ୍ପସ ଖୁବଶୀଘ୍ର ନିର୍ମାଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏଥି ପାଇଁ କର୍କଟରୋଗ ପ୍ରତିଷ୍ଠାନ ସଂଲଗ୍ନ ୧୩ଟି ଶିଳ୍ପ ବିଭାଗର କ୍ୱାର୍ଟର୍ସକୁ ଭଙ୍ଗାଯାଇ ହସ୍ପିଟାଲର ପରିସୀମାକୁ ବୃଦ୍ଧି କରାଯିବ। ରୋଗୀ ଶଯ୍ୟା ସଂଖ୍ୟା ୨୮୧ ଥିବା ବେଳେ ଏହା ୪୨୫କୁ ବୃଦ୍ଧି କରାଯିବ। କର୍କଟ ରୋଗ ବିଭାଗର ନୂତନ ବାଇ-ଲ ଓ ଲୋଗୋକୁ ସ୍ୱୀକୃତି ଦିଆଯିବ। ଏକ ନୂତନ ବିଭାଗ ୟୁରୋଅଙ୍କୋଲୋଜି ଖୋଲାଯିବ। ୧୦ଟି ଆଇସିୟୁ ବେଡ କାର୍ଯ୍ୟକ୍ଷମ ହେବ। ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ପରିବର୍ତ୍ତେ ଏହାର ନାମ ଆଚାର୍ଯ୍ୟ ହରିହର ସ୍ନାତୋକତ୍ତର ପ୍ରତିଷ୍ଠାନ ନାମରେ ନାମିତ ହୋଇ ରାଜ୍ୟସରକାରଙ୍କୁ ଏ ସମସ୍ତ ବିଷୟ ଅବଗତ କରାଯାଇ ସ୍ୱୀକୃତି ନିମନ୍ତେ ନିବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟସରକାର ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ।

ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଯୁଗ୍ମ ସଚିବ ଗୋହା ପୁନମ ତାପସ କୁମାର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ( ଫାଇନାନ୍ସ) ଗଦାଧର ନନ୍ଦୀ, ରାଜ୍ୟ ଔଷଧ ନିଗମ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ, ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, କର୍କଟରୋଗ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ଅଧ୍ୟକ୍ଷ ହିରଣ୍ୟ ରାଉତ, ଅଧୀକ୍ଷକ ଡାକ୍ତର ପଦ୍ମାଳୟା ଦେବୀ, ଡିନ୍ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଏଡିଏମ୍ ବିଜୟ କୁମାର ଖଣ୍ଡାୟତରାୟ ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ପିଡବ୍ଲୁଡି ଓ ଆରଏଣ୍ଡବିର ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ। ଏହାପରେ ସ୍ୱାସ୍ଥ୍ୟ ସଚିବ କଟକ ଏସସିବି ମେଡିକାଲ କଲେଜର ଚକ୍ଷୁ ବିଭାଗ ଉପର ମହଲାରେ ଖୋଲା ଯାଇଥିବା କରୋନା ସ୍ୱତନ୍ତ୍ର ୱାର୍ଡକୁ ବୁଲି ଦେଖିବା ସହ ଚିକିତ୍ସା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ।