ଝାରସୁଗୁଡା,ଏନ୍ଏନ୍ଏସ୍ : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ମଙ୍ଗଳବାର ଝାରସୁଗୁଡା ଓକିଲ ସଙ୍ଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଆସନ୍ତା ୨୯ ଓ ୩୧ ତାରିଖରେ ମଧ୍ୟ ଏହି ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କୁହାଯାଇଛି। ଏହି ବନ୍ଦରେ କୋର୍ଟ, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ପାଇଁ ପଦକ୍ଷେପ ଗ୍ରହଣ ନ କରାଯିବା ଯାଏଁ ପ୍ରତ୍ୟେକ ମାସର ଶେଷ ୩ କାର୍ଯ୍ୟକରୀ ଦିବସରେ ଏହପରି ବନ୍ଦ ପାଳନ କରାଯିବ ବୋଲି ଓକିଳ ସଙ୍ଘ ପକ୍ଷରୁ କୁହାଯାଇଛି।
ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ସରକାର ଶୀଘ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଓକିଲ ସଙ୍ଘର ସଭାପତି ସନ୍ଦିପ ଅବସ୍ଥି କହିଛନ୍ତି। ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ କେହି ରୋକି ପାରିବେ ନାହିଁ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ କେବଳ ଓକିଲ ନୁହନ୍ତି ପଶ୍ଚିମ ଓଡିଶାର ବିଭିନ୍ନ ସଙ୍ଗଠନ, ଏନଜିଓ ଓ ଜନସାଧାରଣ ମଧ୍ୟ ଜଡିତ ଅଛନ୍ତି ବୋଲି ଓକିଲ ସଙ୍ଘ ପକ୍ଷରୁ କୁହାଯାଇଛି। ବନ୍ଦ ପାଳନରେ ଝାରସୁଗୁଡା ଓକିଲ ସଙ୍ଘର ସଭାପତି ସନ୍ଦିପ ଅବସ୍ଥି, ସମ୍ପାଦକ ପଦ୍ମନାଭ କୁମାର ମାଳି, ଉପସଭାପତି ବସନ୍ତ କୁମାର ସାହୁ, ତ୍ରୀନାଥ ଗୋଏଲ, ରଘୁମଣଇ ପଟେଲ, ପି ନାଗେଶ୍ୱରୀ, ଦଶମଲ୍ଲୀ ପଟେଲ, ଜିତେନ୍ଦ୍ର ବେହେରା, ଗିରିଶ ରଞ୍ଜନ ପଣ୍ଡା, ଆଲୋକ ତ୍ରୀପାଠି, ସୁଶିଲା ପଟେଲ ପ୍ରଶାନ୍ତ କୁମାର ଦାସ, ପ୍ରମୂଖଙ୍କ ସହ ସଚେତନ ନାଗରିକ ମଞ୍ଚ ଝାରସୁଗୁଡାର ସଦସ୍ୟମାନେ ଉପସ୍ଥିତ ଥିଲେ।
ପ୍ରକାଶଯୋଗ୍ୟ ଯେ, ବାରମ୍ବାର ଦାବି ଓ ଅନୁରୋଧ ପରେ ମଧ୍ୟ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ହୋଇ ପାରୁ ନାହିଁ। ଫଳରେ ଏଠାକର ସ୍ଥାନୀୟଲୋକେ ଓ ଆଇନଜିବୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଏହି ଆନ୍ଦୋଳନ ପ୍ରତ୍ୟେକ ମାସର ଶେଷ ତିନିଦିନ କରାଯିବ ବୋଲି କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟ ବୈଠକରେ ଓକିଲମାନେ ନିଷ୍ପତି ନେଇଥିଲେ ।