କେନ୍ଦୁଝର/ହରିଚନ୍ଦନପୁର,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲାୂ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇ ନିସ୍ତୁକ ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ଏହା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏନେଇ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି, କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସରକାରୀ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରତିରଞ୍ଜନ ରାଉତ କିଛି କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଚାରିଥିଲେ। ଛାତ୍ରଛାତ୍ରୀମାନେ ଏହାର ଉତର ଦେଇନପାରିବାରୁ ତାଙ୍କୁ ବିଦ୍ୟାଳୟ ବାରଣ୍ଡାରେ ଆଣ୍ଠେଇ ଦେବା ସହ ଗୋଟିଏ ବାଡିରେ ଅତ୍ୟନ୍ତ ଅମାନବିୟ ଭାବରେ ବାଡେଇବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ସ୍କୁଲ ହତା ବାହାରୁ କେହି ଜଣେ ବ୍ୟକ୍ତି ମୋବାଇଲରେ ଏହି ଭିଡିଓ ସୁଟିଂ କରି ଭାଇରାଲ କରିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେବା ସହ ତୁରନ୍ତ ଶିକ୍ଷକଙ୍କୁ ଗିରଫ ପାଇଁ ଦାବି ଜୋର ଧରିଥିଲା। ତେବେ ଶେଷ ଖବର ସୁଦ୍ଧା ସଂପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।