ପତ୍ନୀକୁ ଛୁରାରେ ଆକ୍ରମଣ କରି ଟ୍ରେନ ଆଗକୁ ଡେଇଁଲେ ଚାଳକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା,ଏନ୍ଏନ୍ଏସ୍: ଆଜି ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଟ୍ରେନ ଚାଳକ ନିଜ ପତ୍ନୀଙ୍କୁ ଛୁରିରେ ଆକ୍ରମଣ କରି ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ବନ୍ଧମୁଣ୍ଡା ଅନ୍ତର୍ଗତ ‘କେ’ କେବିନ୍‌ ଠାରେ ଗୋଟାଏ ମାଲଗାଡ଼ି ସାମ୍ନାକୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ଆହତ ଟ୍ରେନ୍‌ ଚାଳକ ହେଉଛନ୍ତି ୪୮ବର୍ଷୀୟ ଫିରୁ ବଡ଼ାଇକ

ବନ୍ଧମୁଣ୍ଡାସ୍ଥିତ ଡିଜେଲ୍‌ କଲୋନୀରେ ସପରିବାର ବସବାସ କରୁଥିବା ବେଳେ କୌଣସି କାରଣକୁ ନେଇ ମଙ୍ଗଳବାର ଫିରୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ରାତିରେ ଝଗଡ଼ା ହୋଇଥିଲା। ଏଥିରେଫିରୁ ଉତ୍‌କ୍ଷିପ୍ତ ହୋଇ ଛୁରି ଦ୍ୱାରା ଆକ୍ରମଣ କରିବାରୁ ପତ୍ନୀ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିବାରୁଫିରୁ ଘରୁ ଦୌଡ଼ି ପଳାଇଥିଲେ। ଛୁରିମାଡ଼ ଯୋଗୁଁ ମୁଣ୍ଡ, ମୁହଁ ଓ କାନ କ୍ଷତବିକ୍ଷତ ହୋଇଥିବା ପତ୍ନୀଙ୍କୁ ଚିକିତ୍ସା ନିମନ୍ତେ ପଡ଼ୋଶୀମାନେ ତୁରନ୍ତ ବନ୍ଧମୁଣ୍ଡା ଡାକ୍ତରଖାନାକୁ ନେଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ଫିରୁ ଆଉ ମିଳି ନଥିଲେ କି, ରାତିରେ ସେ ଘରକୁ ଫେରି ନ ଥିଲେ।

ଆଜି ସକାଳେ ଫିରୁ ‘କେ’ କେବିନ୍‌ ଠାରେ ଗୋଟାଏ ମାଲଗାଡ଼ି ସାମ୍ନାକୁ ଡେଇଁପଡ଼ିଲେ। ମାଲଗାଡ଼ି ଚଢ଼ିଯିବାରୁ ଫିରୁଙ୍କର ଗୋଟାଏ ଗୋଡ଼ ସମ୍ପୂର୍ଣ୍ଣ କଟିଯାଇଛି ଏବଂ ତାଙ୍କର ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ବନ୍ଧମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ଇସ୍‌ପାତ ଜେନେରାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।