ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଜ୍ୱଳ, ଉତ୍ଥାନ ଓ ଉତ୍କର୍ଷ କାର୍ଯ୍ୟକ୍ରମ ଅଧୀନ ‘ଜିରୋ ଫେଲ ମିଶନ’ ଅଧାରରେ ଖରାଛୁଟିରେ ସ୍କୁଲ ଛୁଟି ନ ହୋଇ ପିଲାମାନଙ୍କ ପାଇ ସ୍ୱତନ୍ତ୍ର କ୍ଲାସ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ସରକାର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯେଉଁ ଶିକ୍ଷକମାନେ ଖରାଛୁଟିରେ ବିଦ୍ୟାଳୟରେ ରୋଟେଶନ ଡ୍ୟୁଟି କରୁଛନ୍ତି ସେମାନେ ଏହି ସ୍ୱତନ୍ତ୍ର କ୍ଲାସ ନେବେ। ବିଦ୍ୟାଳୟ ପରୀକ୍ଷାରେ ୩୫ ପ୍ରତିଶତରୁ କମ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଏବଂ କୌଣସି ବିଷୟରେ ଦୂର୍ବଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି କ୍ଲାସ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଏହି କ୍ଲାସ ଦ୍ୱାରା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ।
ଏଥିସହ ଶ୍ରୀ ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ବିଶେଷକରି ଖରାଛୁଟିରେ ନିଜର ପାଠପଢ଼ାକୁ ଅଣଦେଖା କରିଥାନ୍ତି। ଏହି ସ୍ୱତନ୍ତ୍ର କ୍ଲାସ ତାଙ୍କୁ ବିଷୟ ସହିତ ଜଡିତ ରଖିବା ସହ ପରୀକ୍ଷାରେ କୃତକାର୍ଯ୍ୟ ହେବାରେ ସହାୟକ ହେବ ବୋଲି କହିଛନ୍ତି। ଅନ୍ୟପଟେ ଶିକ୍ଷକମାନଙ୍କ ଖରାଛୁଟି ପୂର୍ବଭଳି ପ୍ରଦାନ କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।