ଆନ୍ଧ୍ର ପୁଲିସ ଦ୍ୱାରା କୁଖ୍ୟାତ ମାଓ ଦମ୍ପତି ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: କୁଖ୍ୟାତ ମାଓବାଦୀ ଦମ୍ପତିଙ୍କୁ ଗୁରୁବାର ଆନ୍ଧ୍ର ପୁଲିସ ଗିରଫ କରାଯାଇଥିବା ଜଣାପଡ଼ିଛି। ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଅପରାଧୀ ଥିବା ବେଳେ ତାଙ୍କ ଉପରେ ୨୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଗିରଫ ମାଓବାଦୀମାନେ ହେଲେ ବେଳମ୍ ନାରାୟଣ ଓରଫ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲବତୀ। ସୂଚନା ଅନୁସାରେ ଦାମୋଦର ମାଲେରିଆ ଜ୍ୱରରେ ପୀଡ଼ିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁ’ରେ ସେ ଚିକିତ୍ସିତ ହେଉଥିଲେ । ତେବେ ଗୁଇନ୍ଦା ତଥ୍ୟକୁ ଆଧାର କରି ଆନ୍ଧ୍ର ପୁଲିସ ଦାମୋଦର ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନାଯୋଗ୍ୟ ଯେ ପ୍ରାୟ ୨୦ ବର୍ଷ ଧରି ଦାମୋଦର ମାଲକାନଗିରି ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିବାବେଳେ ମାଲକାନଗିରି ଜିଲ୍ଲାର ମାଓବାଦୀ ଡିଭିଜନ କମିଟି ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ୨୦୦୮ ଚିତ୍ରକୋଣ୍ଡା ଜଳଭଣ୍ଡାର ସ୍ଥିତ ଆଲମପାକା ଲଞ୍ଚ୍ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ୨୦୧୨ ବିଏସ୍ଏଫ୍ କମାଣ୍ଡରଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି। ୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା ଭଳି ବହୁ ଜଘନ୍ୟ ଅପରାଧରେ ଜଡ଼ିତ ଥିଲେ ଦାମୋଦର । ତାଙ୍କ ନାମରେ ୧୦୦ରୁ ଅଧିକ ମାମଲା ରହିଛି। ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ ଦାମୋଦର । ତାଙ୍କ ନାଁରେ କେବଳ ଓଡ଼ିଶାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦାମୋଦର ଓ ତାଙ୍କ ପତ୍ନୀ ସ୍ୱାଭିମାନ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ଏହି ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଗିରଫ ପରେ ମାଲକାନଗିରି ପୁଲିସ ଉଭୟଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୁଲିସ ଦାମୋଦରଙ୍କୁ ୨୦୧୧ରୁ ଖୋଜୁଥିଲା ବୋଲି ଜଣାଯାଇଛି।