ଅଷ୍ଟ୍ରେଲିଆରେ ଜଳ ସଙ୍କଟ ଯୋଗୁଁ ଓଟମାନଙ୍କୁ ଗୁଳିକରି ହତ୍ୟା କରିବାକୁ ନିର୍ଦ୍ଦେଶ

ସିଡନୀ,ଏଜେନ୍ସି: ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମରୁ ଅଞ୍ଚଳରେ ଜଳ ସଙ୍କଟ ତୀବ୍ରତର ହେବାରେ ଲାଗିଛି। ଓଟମାନେ ଜଳ ଅନ୍ସେଷଣରେ ଜଙ୍ଗଲ ମୁହାଁ ହେଉଛନ୍ତି। ପ୍ରାୟ ୧୦ହଜାର ଓଟ ଜଙ୍ଗଲ ଆଡ଼କୁ ମୁହାଁଉଥିବାବେଳେ ସେମାନଙ୍କୁ ଗୁଳିକରି ମାରିଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଜିଠାରୁ ବନ୍ଧୁକଧାରୀ ହେଲିକାପ୍ଟରରେ ଆକାଶମାର୍ଗରୁ ଓଟଙ୍କୁ ଗୁଳି କରି ହତ୍ୟା କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ପଶୁପ୍ରେମୀ ନିନ୍ଦା କରିବା ସହିତ ଏହା ଅମାନବୀୟ ବୋଲି କହିଛନ୍ତି।

ଦକ୍ଷିଣ ଅଷ୍ଟ୍ରେଲିଆର ଅଧିକାରୀଙ୍କ ସୂଚନା ଅନୁସାରେ, ଓଟମାନଙ୍କ ଏକ ବଡ଼ ଗୋଠ ମରୁ ଅଞ୍ଚଳରୁ ଆଖପାଖ ଜଙ୍ଗଲରେ ବସବାସ କରୁଥିବା ଜନବସତି ଆଡକୁ ଚାଲିଆସି କ୍ଷୟକ୍ଷତି ଘଟାଉଛନ୍ତି। ଜଙ୍ଗଲରେ ଆଦିବାସୀଙ୍କ ପାଇଁ ଉପଲବ୍ଧ ପାଣି ପିଇଦେଉଥିବାରୁ ଲୋକଙ୍କ ପାଇଁ ପାନୀୟଜଳ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଛି। ଘରଦ୍ୱାର ଭାଙ୍ଗିଦେଉଛନ୍ତି।