ଜେଏନୟୁରେ ହିଂସାକାଣ୍ଡକୁ ନେଇ ଗଣତନ୍ତ୍ରରେ ହିଂସାକାଣ୍ଡର ସ୍ଥାନ ନାହିିଁ- ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏ ନେଇ ସେ ଏକ ଟ୍ୱିଟ ଜରିଆରେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ଏଭଳି ଘଟଣା ନିଶ୍ଚିତ ନିନ୍ଦନୀୟ ବୋଲି ବି ସେ ଉଲ୍ଲେଖ କରିଛନ୍ତି। ସେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସକୁ ନିବେଦନ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ,ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ରବିବାର ରାତ୍ରିରେ ହିଂସାକାଣ୍ଡ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୫୦ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ୟୁନିଭରସିଟି କ୍ୟାମ୍ପସରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଛାତ୍ର ଛାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଧ୍ୟ ଆହତ ହୋଇଥିଲେ। ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହଷ୍ଟେଲ ଭିତରେ ମଧ୍ୟ ପଶି ଆକ୍ରମଣ କରିଥିଲେ । ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍ସରେ ଭର୍ତି ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍ ମଧ୍ୟ ରହିଛନ୍ତି। ପରିସ୍ଥିତିର ମୁକାବିଲା ଲାଗି କ୍ୟାମ୍ପସ ଭିତରେ ଓ ବାହାରେ ପୁଳିସ ମୁତୟନ କରାଯାଇଛି।

ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରୁଥିବା ବେଳେ ଅନ୍ୟପକ୍ଷ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।
ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନ୍ୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।