ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା କାଲି ଠାରୁ ରାଜ୍ୟର ସମସ୍ତ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨ ଦିନ ଧରି ଲାଗିରହିବ। ସେହିପରି ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ୟ୍ୟନ୍ତ ସୃଷ୍ଟ ଟ୍ରପଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ଅନୁଗୁଳ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ସୁନ୍ଦରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ରାଜ୍ୟରେ ବର୍ଷା ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ପାଗ କୋହଲା ରହିବ। ଫଳରେ ଆସନ୍ତା କିଛିଦିନ ପାଇଁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଆସନ୍ତା ୬ତାରିଖ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସପାଇବାର ସମ୍ଭାବନା ରହିଛି।

ଅପରପକ୍ଷରେ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କେତେକ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ଚାଷୀମାନଙ୍କୁ ଅମଳ ହୋଇଥିବା ଧାନକୁ ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଶୀତକୁ ଦୃଷ୍ଟିରେ ରଖି ବାସହୀନ ଥିବା ଲୋକଙ୍କ ପାଇଁ ସ୍କୁଲ ଓ ଆଶ୍ରୟସ୍ଥଳୀଗୁଡିକୁ ରାତିରେ ମଧ୍ୟ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି।