ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ଲାଟିନମ ଜୁବିଲି: ମୁଖ୍ୟମନ୍ତ୍ରୀଙ୍କ ୫୦ କୋଟି ଅନୁଦାନ ଘୋଷଣା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟରେ ଚାଲିଥିବା ପ୍ଲାଟିନମ ଜୁବିଲି ମହୋତ୍ସବ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି। ଏହି ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ସରକାର ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛି ବୋଲି କହିଥିଲେ।

ଆସନ୍ତା ବର୍ଷ ଜୁନରୁ ବିଧିବଦ୍ଧ ଭାବେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିବ। ତେବେ ବିଶ୍ୱବିଦ୍ୟାଳୟର ଆନୁସାଙ୍ଗିକ ଭିତ୍ତିଭୂମି ଗଠନ ପାଇଁ ୨୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ମହାବିଦ୍ୟାଳୟରୁ ଅନେକ ସ୍ୱନମାଧନ୍ୟ ଛାତ୍ରଛାତ୍ରୀ ସୃଷ୍ଟି ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ଅନେକ ଆଜି ଦେଶ ତଥା ରାଜ୍ୟର ସେବାରେ କାମ କରୁଛନ୍ତି। ଭବିଷ୍ୟତରେ ମଧ୍ୟ ଏହି କଲେଜର ଛାତ୍ରଛାତ୍ରୀ ଦେଶ ଓ ରାଜ୍ୟ ପାଇଁ ଗର୍ବ ଆଣିବେ ବୋଲି କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇଙ୍କ ମୃତ୍ୟୁ ହୋଇଥିବାରୁ ସେ ସମ୍ପର୍ଣ୍ଣ ରୂପେ ଶୋକ ସାଗରରେ ରହି ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଆଲୁମିନିର ସଭାପତି ଲଳିତ ନାୟକଙ୍କ ସଭାପତିତ୍ୱରେ ତଥା ସମ୍ପାଦକ ଅରବିନ୍ଦ ଦାସଙ୍କ ସଂଯୋଜାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ରାଜେନ୍ଦ୍ରଭିଆନ ଅସୀତ ତ୍ରିପାଠୀ, ଅତିରିକ୍ତ ପୁଲିସ ଡିଜି ତଥା ରାଜେନ୍ଦ୍ରଭିଆନ ଅରୁଣ କୁମାର ଷଡ଼ଙ୍ଗୀ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ୪ ଜଣ ପୁରାତନ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ହୋଇଥିବା ପୂର୍ବତନ ଛାତ୍ରମାନେ ହେଲେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ, ଏଡିଜେ ଶ୍ରୀ ଷଡ଼ଙ୍ଗୀ, ଚଳଚିତ୍ର କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପ୍ରତିଷ୍ଠା ଅର୍ଜନ କରିଥିବା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କ୍ରୀଡ଼ା କ୍ଷେତ୍ରରେ ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିବା ପ୍ରଣତୀ ମିଶ୍ର। ମୁଖ୍ୟମନ୍ତ୍ରୀ ହେଲିକାପ୍ଟରରେ ଆସି କଲେଜ ପଡ଼ିଆରେ ଅବତରଣ କରିବା ପରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ଏହି ଅବସରରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।