୪ ମାସ ପରେ ମୁକ୍ତହେଲେ ୫ କଶ୍ମୀର ରାଜନେତା

ଶ୍ରୀନଗର: ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ଥିବା ୫ ଜଣ ରାଜନେତାଙ୍କୁ ସୋମବାର ମୁକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟ ପୁନର୍ଗଠନ ପରିପ୍ରେକ୍ଷୀରେ ଏହି ରାଜନେତାଙ୍କୁ ଅଟକ ରଖାଯାଇଥିଲା। ତେବେ ଅଟକ ଥିବା ନ୍ୟାସନାଲ୍ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ମୁକ୍ତ କରାଯାଇନାହିଁ।

ମିଳିଥିବା ରିପୋର୍ଟ ଅନୁଯାୟୀ ଯେଉଁ ନେତାମାନଙ୍କୁ ମୁକ୍ତ କରାଯାଇଛି ସେମାନେ ହେଲେ ନ୍ୟାସନାଲ୍ କନଫରେନ୍ସର ଇସ୍ଫାକ୍ ଜବାର ଓ ଗୁଲାମ ନବୀ ଭଟ୍ଟ, କଂଗ୍ରେସ ନେତା ବସିର ମୀର ଏବଂ ପିଡିପିର ଜହୁର ମୀର ଓ ୟାସିର୍ ରେଶୀ। ଗତ ନଭେମ୍ବର ୨୫ରେ ଦୁଇଜଣ ରାଜନେତା ପିଡିପିର ଦିଲାୱର ମୀର ଓ ଡେମୋକ୍ରାଟିକ୍ ପାର୍ଟି ନ୍ୟାସନାଲିଷ୍ଟର ଗୁଲାମ ହାସନ ମୀରଙ୍କୁ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ମୁକ୍ତ କରିଥିଲେ। ପ୍ରଶାସନ ପକ୍ଷରୁ କୁହାଯାଇଥିଲା ପରିସ୍ଥିତି ସ୍ୱାଭାବିକ ହେଲେ ଅଟକ ଥିବା ରାଜନେତାମାନଙ୍କୁ ଛାଡ଼ି ଦିଆଯିବ।

ରାଜନୈତିକ ମୁଖ୍ୟସ୍ରୋତରେ ଥିବା ଦଳଗୁଡ଼ିକର ୩୩ ଜଣ ରାଜନେତାଙ୍କୁ ଶ୍ରୀନଗରସ୍ଥିତ ଏମ୍ଏଲ୍ଏ ହଷ୍ଟେଲରେ ଅଟକ ରଖାଯାଇଛି। ଏହି ନେତାମାନଙ୍କୁ ଅସ୍ଥାୟୀ ଜେଲ୍ ଭାବେ ବିବେଚନା କରାଯାଉଥିବା ସେଣ୍ଟାଉର ହୋଟେଲରେ ପ୍ରଥମେ ଅଟକ ରଖାଯାଇଥିଲା। ପରେ ସେମାନଙ୍କୁ ଏମ୍ଏଲ୍ଏ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି। ଅଗଷ୍ଟ ୫ରେ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ଏମାନଙ୍କୁ ଅଟକ ରଖାଯାଇଥିଲା। ଏହି ସମୟରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ପ୍ରଶାସନ ପର୍ଯ୍ୟାୟକ୍ରମେ ଏହି କଟକଣା ହଟାଇ ଦେଇଛନ୍ତି।

ଯେଉଁ ପ୍ରମୁଖ ନେତାମାନଙ୍କୁ ଅଟକ ରଖାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଫାରୁକ, ଓମାର ଓ ମେହବୁବାଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସର ନେତା ସାଜଦ ଗନି ଲୋନ। ଫାରୁକ୍ ଅବଦୁଲ୍ଲାଙ୍କୁ ଗୁପକାର ହାଉସ୍ରେ ଅଟକ ରଖାଯାଇଛି। ତାଙ୍କ ପୁଅ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲାଙ୍କୁ ହରିନିବାସରେ ଅଟକ ରଖାଯାଇଛି। ମେହବୁବା ମୁଫ୍ତି ଓ ସାଜଦ ଗନି ଲୋନଙ୍କୁ ଚେସମାସାହି ହଟ୍ରେ ଅଟକ ରଖାଯାଇଥିଲାବେଳେ ପରେ ସେମାନଙ୍କୁ ଶ୍ରୀନଗରସ୍ଥିତ ଏକ ସରକାରୀ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି।