ଚଣ୍ଡିଗଡ଼ : ଦେଶରେ ଦୁଇଟି ବଡ଼ ଧରଣର ଆତଙ୍କୀ ହମଲା ଘଟିବାପରେ ଭାରତୀୟ ବାୟୁସେନା ପିଓକେ ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଭାରତ ସରକାରଙ୍କ ଅନୁମତି ଲୋଡ଼ିଥିଲା। କିନ୍ତୁ ତତ୍କାଳୀନ ସରକାର ବାୟୁସେନାକୁ ଅନୁମତି ଦେଇ ନଥିଲେ ବୋଲି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍ ଧନୋଆ ଶନିବାର କହିଛନ୍ତି। ଧନୋଆ ୨୦୧୬ ଡିସେମ୍ବର ୩୧ରୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ବାୟୁସେନା ମୁଖ୍ୟ ଭାବେ କାମ କରିଛନ୍ତି। ପାକ୍ ଅଧିକୃତ କଶ୍ମୀରରେ ଚାଲିଥିବା ଆତଙ୍କୀ ଶିବିର ଉଡ଼ାଇଦେବା ପାଇଁ ବାୟୁସେନା ମାନସିକ ଭାବେ ପ୍ରସ୍ତୁତ ଥିଲାବେଳେ ତତ୍କାଳୀନ କ୍ଷମତାସୀନ ରାଜନୈତିକ ମେଣ୍ଟ ସରକାର ଅନୁମତି ଦେଇ ନଥିଲେ।
ପୁଲୱାମା ଆତଙ୍କୀ ହମ୍ଲାରେ ୪୪ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇବା ପରେ ବାଲାକୋଟ୍ ଆକ୍ରମଣ କରିବାକୁ ଭାରତ ସରକାର ଅନୁମତି ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଧନୋଆ କହିଛନ୍ତି, ‘୨୦୦୧ରେ ସଂସଦ ଭବନ ଉପରେ ଆତଙ୍କୀ ହମଲା କରାଯାଇଥିଲା। ୨୦୦୮ ନଭେମ୍ବର ୨୬ରେ ଆତଙ୍କୀମାନେ ମୁମ୍ବାଇବାସୀଙ୍କ ଉପରେ ହମଲା କଲେ।
୨୦୦୧ରେ ଜମ୍ମୁ-କଶ୍ମୀର ବିଧାନସଭା ଉପରେ ଆତଙ୍କୀ ହମଲା କରାଯାଇଥିଲା। ଏହି ଘଟଣା ପରେ ଭାରତୀୟ ବାୟୁସେନା ପିଓକେସ୍ଥିତ ଆତଙ୍କୀ ଶିବିରଗୁଡ଼ିକୁ ମାଟିରେ ମିଶାଇ ଦେବାପାଇଁ ରଣନୀତି ପ୍ରସ୍ତୁତ କରିଥିଲା। ବାୟୁସେନା ପକ୍ଷରୁ ଭାରତ ସରକାରଙ୍କ ନିକଟକୁ ଦୁଇଥର ଆକ୍ରମଣ ପ୍ରସ୍ତାବ ପଠାଯାଇଥିଲା। କିନ୍ତୁ ୨୦୦୧ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଓ ୨୦୦୮ରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା ସରକାର ବାୟୁସେନା ପ୍ରସ୍ତାବକୁ ଏଡ଼ାଇ ଯାଇଥିଲେ। ଧନୋଆଙ୍କ ମତରେ ମୁମ୍ବାଇ ଆତଙ୍କୀ ହମଲା ପରେ ବାୟୁସେନା ପିଓକେ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା।
ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଭାରତୀୟ ବାୟୁସେନା ଶତ୍ରୁପକ୍ଷଠାରୁ ଯଥେଷ୍ଟ ଆଗରେ ଥିଲା। ଏମିତି ଦେଖିବାକୁ ଗଲେ, ଭାରତୀୟ ବାୟୁସେନା ଯେକୌଣସି ମୁହୁର୍ତ୍ତରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥାଏ। ଭାରତ ସରକାରଙ୍କ ବିନା ଅନୁମତିରେ ପିଓକେ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିବା ଅନୁଚିତ। ପୁଲୱାମା ଆତଙ୍କୀ ହମଲାର ଠିକଣା ଜବାବ ଦେବାପାଇଁ ଭାରତ ସରକାର ବାୟୁସେନାକୁ ଅନୁମତି ଦେବାରୁ ଫେବୃଆରୀ ୨୬ରେ ପାକ୍ ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କୀ ଶିବିରକୁ ଉଡ଼ାଇ ଦିଆଗଲା।