ନୂଆଦିଲ୍ଲୀ, ଏଜେନ୍ସି : ଜନ୍ମ ଦେବାର କେଇ ମୁହୂର୍ତ୍ତ ଭିତରେ ନବଜାତ କନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରୁ ସୁପ୍ରିମକୋର୍ଟ ଜନୈକ ମହିଳାଙ୍କୁ ଖଲାସ କରିଛନ୍ତି। ଶୁକ୍ରବାର ଏହି ରାୟ ପ୍ରଦାନ କରିବା ସମୟରେ ସୁପ୍ରିମକୋର୍ଟ କହିଥିଲେ, ଜନ୍ମଦାତ୍ରୀ ମା’ କେବେ ନିଜ ପିଲାକୁ ହତ୍ୟା କରି ନପାରେ। ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ବିଚାର କରି ୨୦୧୦ ମାର୍ଚ୍ଚରେ ଅଭିଯୁକ୍ତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ସମ୍ପୃକ୍ତ ମହିଳା।
ସୁପ୍ରିମକୋର୍ଟ କହିଥିଲେ, ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସକ୍ରିୟା ବନ୍ଦ ହୋଇଯିବାରୁ ପିଲାଟିର ମୃତ୍ୟୁ ଘଟିଥିବା ଉଲ୍ଲେଖ ଅଛି। ପିଲାଟିର ବେକ ଚାରିପଟେ ଦାଗ ଥିବାର ଦେଖିବାକୁ ମିଳିଛି। କିନ୍ତୁ ସମ୍ପୃକ୍ତ ମହିଳା ତାଙ୍କ ପିଲାର ବେକ ଚିପି ମାରିଛନ୍ତି ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ସୂଚନା ମିଳୁନି। ସୁପ୍ରିମକୋର୍ଟଙ୍କ ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ପିଲାଟିକୁ ଜନ୍ମଲାଭ ପରେ ଇନ୍କ୍ୟୁବେଟରରେ ରଖାଯାଇଥିଲା। ତାକୁ ଅକ୍ସିଜେନ୍ ମାସ୍କ ପିନ୍ଧା ଯାଇଥିଲା। କିନ୍ତୁ ପିଲାଟି ଆଖି ଖୋଲି ନଥିଲା କି କାନ୍ଦି ନଥିଲା।