ଅଟଳବିହାରୀ ବାଜପେୟୀଙ୍କ ୨୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ବିଭିନ୍ନ ସ୍ଥାନରେ ଆଜି ପ୍ରୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ଏହି ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌର ଲୋକଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ଏକ ୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନ ପୂର୍ବରୁ ଉନ୍ମୋଚନ ସ୍ଥଳରେ ନିରାପତ୍ତା ଅଧିକାରୀମାନେ ପହଞ୍ଚି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ରହିବେ। ଏହାଛଡ଼ା ମୋଦୀ ଉତ୍ତର ପ୍ରଦେଶରେ ‘ଅଟଳବିହାରୀ ବାଜପେୟୀ ମେଡିକାଲ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ କରିବେ। ଏଥିନିମନ୍ତେ ୫୦ ଏକର ଜମି ହସ୍ତାନ୍ତର କରିବାକୁ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଥିଲେ।

ସେହିପରି ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଅରୁଣାଚଳ ପ୍ରଦେଶର ରୋହତଙ୍ଗ୍‌ ପାସ୍‌ (ସୁଡ଼ଙ୍ଗ) ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମରେ ନାମିତ ହେବ। ପ୍ରଧାନମନ୍ତ୍ରୀ ଥିବାବେଳେ ଜୁନ୍‌ ୩, ୨୦୦୦ରେ ବାଜପେୟୀ ଏହି ଟନେଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ ଓ ୨୦୦୨ ମେ’ ୨୬ରେ ଏହାର ଶୁଭ ଦିଆଯାଇଥିଲା। ପ୍ରାୟ ୯କିମି ଦୀର୍ଘ ଏହି ଟନେଲ ବିଶ୍ବର ଅନ୍ୟତମ ସୁଦୀର୍ଘ। ଏହା ମାନାଲି ଓ ଲେହ ମଧ୍ୟରେ ଦୂରତା ୪୬କିମି ହ୍ରାସ କରିବ। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି।