ଆଠଗଡ଼,ଏନ୍ଏନ୍ଏସ୍: ବଜ୍ରକାପ୍ତା ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ ମାଧବ ଚନ୍ଦ୍ରଙ୍କୁ ଶୁକ୍ରବାର ବନବିଭାଗ ଗିରଫ କରିଥିବା ଜଣାଯାଇଛି। ତାଙ୍କୁ କଟକ ଜିଲ୍ଲାର ମୁଣ୍ଡଳୀ ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ବନବିଭାଗ ଏହି ରାକେଟରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଗିରଫ କରିସାରିଛି। ତେବେ ବଜ୍ରକାପ୍ତା ଚାଲାଣ ରାକେଟରେ ଆହୁରି ୨୦ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏମାନେ ବିକ୍ଷିପ୍ତ ଭାବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ କେତେକ ରାଜ୍ୟ ବାହାରେ ଆତ୍ମଗୋପନ କରିଛନ୍ତି । ସେମାନଙ୍କୁ ଧରିବା ପାଇଁ ଇତିମଧ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇସାରିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବନ ବିଭାଗ ଏବଂ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମାରାଥନ ଜେରା କରିବାପରେ ମିଳିଥିବା ଚାଞ୍ଚଲ୍ୟକର ତଥ୍ୟକୁ ଭିତ୍ତିକରି ମୁଖ୍ୟଅଭିଯୁକ୍ତ ମାଧବ ଚନ୍ଦ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି।