ଜଟଣୀ,ଏନ୍ଏନ୍ଏସ୍: ସ୍ଥାନୀୟ ସହରରେ ଏବେ ଦିନକୁ ଦିନ ବାୟୁମଣ୍ଡଳରେ ପ୍ରଦୁଷଣର ମାତ୍ରା ବଢ଼ିବାରେ ଲାଗିଛି ବୋଲି ଏଠାରେ ବହୁ ବୁଦ୍ଧିଜିବୀ ଓ ପରିବେଶବିତ୍ ମାନେ ସୂଚନା ଦେଇଥିବା ବେଳେ ଏକ ସର୍ଭେରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ସୂଚନା ଦେଇଥିଲା ଯେ, ସାରା ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ସହର ୧ ନମ୍ବର ଥିବା ବେଳେ ଭୁବନେଶ୍ୱର ଅଂଚଳ ୨ ନମ୍ବରରେ ରହିଛି । ଆଉ କିଛି ବର୍ଷ ପରେ ଜଟଣୀ ସହରରେ ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ହେବ ବୋଲି ଅନେକ ପରିବେଶବିତ୍ ମାନେ ମତ ଦିଅନ୍ତି ।
ସେମାନେ କୁହନ୍ତି ଜଟଣୀ ସହରରେ ବାୟୁ, ଜଳ ଓ ଶବ୍ଦ ପ୍ରଦୁଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକା ଯାଇପାରୁନାହିଁ । ଏଥି ପ୍ରତି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼, କମିଶନରେଟ୍ ପୋଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ସହ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ନଜର ନଥିବାରୁ ବିଶେଷ କରି ଜଟଣୀରେ ପରିବେଶ ପ୍ରଦୁଷଣ ବଢ଼ିଚାଲିଛି । କୋଇଲା ଚାଳିତ ଚୁଡ଼ା ମିଲ୍ ଠାରୁ ଆରମ୍ଭ କରି ଇଟାଭାଟି, ଡାଲି ମିଲ୍, ଏଫସିଆଇ ଗୋଦାମ ଯୋଗୁଁ ଜଟଣୀ ଖୋର୍ଦ୍ଧାରୋ୍ ମଣ୍ଡଳରେ ମଧ୍ୟ ପ୍ରଦୁଷଣ ବଢ଼ିବାରେ ଲାଗିଛି । ନିୟମ ଥିଲେ ମଧ୍ୟ ଏହା କଡ଼ାକଡ଼ି ଭାବରେ ଲାଗୁ ହେଉ ନଥିବାରୁ ଏବଂ ବିଭିନ୍ନ ସଂସ୍ଥାର ମନମୁଖି କାର୍ୟ୍ୟ ଯୋଗୁଁ ପ୍ରଦୁଷଣର ମାତ୍ରା ଦିନକୁ ଦିନ ବଢ଼ି ଚାଲିଛି । ଏହା ଉପରେ ସରକାରୀ କ୍ଷେତ୍ରରେ କୌଣସି ଅଙ୍କୁଶ ଲଗାଯାଇପାରୁନାହିଁ ।
ଆଜକୁ ଦୀର୍ଘ ଦିନ ହେବ କମିଶନରେଟ ପୋଲିସ୍ ଶବ୍ଦ ପ୍ରଦୁଷଣକୁ ରୋକିବା ପାଇଁ ଖୁବ୍ ଜୋରରେ ବାଜୁଥିବା ଡ଼ିଜେ ବାଜାକୁ ୬୫ ଡ଼େସିବିଲ୍ ରଖିବା ପାଇଁ ନିୟମ କରିଥିଲେ ମଧ୍ୟ ଏହି ନିୟମକୁ ଜଟଣୀ ଅଂଚଳରେ କଡ଼ା କଡ଼ି ଭାବରେ ପାଳନ ହେଉନାହିଁ । ଯାହା ଫଳରେ ଗର୍ଭବତୀ ମହିଳାମାନଙ୍କ ପେଟରେ ଥିବା ଶିଶୁର କ୍ଷତି ହେବା ସହ ହୃଦ୍ ରୋଗରେ ପିଡ଼ିତ ହେଉଥିବା ରୋଗୀମାନଙ୍କ ମଧ୍ୟ ବହୁ କ୍ଷତି ଘଟୁଛି । ଏଥି ନିମନ୍ତେ ପୋଲିସ୍ କମିଶନର ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଯାହା ଫଳରେ ଜଟଣୀରୁ ଶବ୍ଦ ପ୍ରଦୁଷଣ ରୋକା ଯାଇପାରିବ ।
ପୂର୍ବରୁ ରେଳବାଇ ଇଲାକା ସମେତ ଅନେକ ଅଂଚଳରେ ଶହ ଶହ ସଂଖ୍ୟାରେ ଗଛ ରହିଥିବାରୁ ଏଠାରେ ବାୟୁ ପ୍ରଦୁଷଣ ରୋକି ହେଉଥିଲା । କିନ୍ତୁ ଏବେ ଦିନକୁ ଦିନ ସରକାରୀ ଠାରୁ ବେସରକାରୀ କାର୍ୟ୍ୟାଳୟଗୁଡ଼ିକରେ ଯାନବାହନ ସଂଖ୍ୟା ବଢ଼ୁଥିବା ବେଳେ କୌଣସି ବୃକ୍ଷଲତା ରୋପଣ କରାଯାଇ ପାରୁନଥିବାରୁ ପ୍ରଦୁଷଣର ମାତ୍ରା ବଢିବାରେ ଲାଗିଛି । ଏପରିକି ଫନି ବାତ୍ୟାରେ ରେଳବାଇ ଇଲାକା ଠାରୁ ଆରମ୍ଭ କରି ନାଇଜର, ଆଇଆଇଟି, ଫାଟୁଆ ଗବେଷଣା କେନ୍ଦ୍ର ସମେତ ଆହୁରି ଅନେକ କାର୍ୟ୍ୟାଳୟରେ ଗଛଗୁଡ଼ିକ ଉପୁଡ଼ି ଯାଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା ପୁନଃ ବନୀକରଣ କରାଯାଇ ପାରିନାହିଁ ।
ଯାହାଫଳରେ ବାୟୁ ମଣ୍ଡଳରେ ପ୍ରଦୁଷଣ ବଢ଼ିବାରେ ଲାଗିଛି । ଜଟଣୀ ସହରରେ ଗୁଡ୍ସ ସେଡ଼୍, ଏଫସିଆଇ, ସିଡବ୍ଲୁସି, ଖୋର୍ଦ୍ଧାରୋଡ଼ ମଣ୍ଡଳ, ନାଇଜର, ଆଇଆଇଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ଥିବାରୁ ଏହି ସ୍ଥାନଗୁଡ଼ିକୁ ମାଲ୍ ପରିବହନ ସହ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ ହେବା ସହ ଏସବୁ ସଂସ୍ଥା ଗୁଡ଼ିକରେ କାର୍ୟ୍ୟ କରୁଥିବା ହଜାର ହଜାର କର୍ମଚାରୀ ସେମାନଙ୍କର ଗାଡ଼ି ନେଇ କାର୍ୟ୍ୟାଳୟକୁ ଆସିଥାନ୍ତି । ଯାହାଫଳରେ ପ୍ରଦୁଷଣର ମାତ୍ରା ବଢ଼ିବାରେ ଲାଗିଛି ୧୦ରୁ ୧୫ ବର୍ଷ ତଳକୁ ଯାଇ ଚିନ୍ତା କଲେ ବର୍ତମାନ ଜଟଣୀର ମାନଚିତ୍ର ବଦଳି ଯାଇଥିଲେ ମଧ୍ୟ ପ୍ରଦୁଷଣର ମାତ୍ରା ବଢ଼ି ଓଡ଼ିଶାରେ ୧ନମ୍ବର ହେଲାଣି ବୋଲି ପରିବେଶବିତ୍ ମାନେ ମତ ଦିଅନ୍ତି ।
ସହରକୁ ପରିଷ୍କାର, ମୁକ୍ତ ସହରକୁ ଭାରତ ସରକାର ସ୍ୱଚ୍ଛ ଭାରତ ମିଶନରେ ଓଡ଼ିଶା ସମେତ ଜଟଣୀ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଯେପରି ଜଟଣୀ ସହର ପ୍ରଦୁଷଣମୁକ୍ତ ହେବ, କିନ୍ତୁ ରେଳବାଇ ଅଂଚଳକୁ ବାଦ୍ ଦେଲେ ମ୍ୟୁନସିପାଲିଟି ଅଂଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ପରିବେଶ ନଷ୍ଟ ହେଉଥିବା ବେଳେ ଜଟଣୀ ସହର ଠାରୁ ଖୁବ୍ କମ୍ ଦୂରରେ ମ୍ୟୁନିସିପାଲିଟି ତରଫରୁ ଏକ ଡ଼ମ୍ପିଙ୍ଗ୍ ୟାର୍ଡ଼ କରାଯାଇଛି । ଜଟଣୀ ସହରର ବହୁ ବର୍ଜ୍ୟବସ୍ତୁ ସେଠାରେ ପଡ଼ୁଛି । ଏହି ଡ଼ମ୍ପିଙ୍ଗ୍ ୟାର୍ଡରେ ବର୍ଷ ବର୍ଷ ଧରି ନିଆଁ ଜଳୁଛି । ସେଥିରୁ ନିର୍ଗତ ହେଉଥିବା ଧୁଆଁ ବାୟୁମଣ୍ଡଳରେ ମିଶି ପ୍ରଦୂଷଣ ଭୟ ବଢ଼ାଉଛି । ଏଥିପ୍ରତି ମ୍ୟୁନିସିପାଲିଟି ଓ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ଦିନେ ହେଲେ ଚିନ୍ତା କରୁନାହିଁ ।
ସହର ମଧ୍ୟରେ ଏକ୍ୟୁଆଇ (ଏୟାର କ୍ୱାଲିଟି ଇଣ୍ଡେକ୍ସ)ର ପରିମାଣ ୦ ରୁ ୫୦ ମଧ୍ୟରେ ରହିଲେ ପରିବେଶ ପାଇଁ ବିପଦମୁକ୍ତ ଏବଂ ୫୧ରୁ ୮୦ ମଧ୍ୟରେ ରହିଲେ ଚଳନୀୟ ବୋଲି ପରିବେଶବିତ୍ ମାନେ କୁହନ୍ତି । ଏଥି ନିମନ୍ତେ ସରକାରୀ ଆଇନର କାର୍ୟ୍ୟକାରିତା ଓ ଜନସାଧାରଣଙ୍କର ସଠିକ୍ ସଚେତନତା ହୋଇପାରିଲେ ରେଳ ମଣ୍ଡଳ ସମେତ ଅନ୍ୟାନ୍ୟ, ସରକାରୀ, ବେସରକାରୀ କାର୍ୟ୍ୟାଳୟ ଓ ବିଭିନ୍ନ ସଂସ୍ଥାଗୁଡ଼ିକ ଛୁଟିଦିନ ବ୍ୟତୀତ କାର୍ୟ୍ୟ ଦିବସରେ ସପ୍ତାହକୁ ଗୋଟିଏ ଦିନ ଅଫିସରଙ୍କ ଠାରୁ କର୍ମଚାରୀମାନେ ନିଜର ଗାଡ଼ି ବ୍ୟବହାର ନକରି ଯଦି ପଦାରେ ଚାଲିଚାଲି କିମ୍ବା ସାଇକେଲ ବ୍ୟବହାର କରି ଅଫିସ୍ ଆସିପାରିବେ ତାହା ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଭାବ ପକାଇବା ସହ ଲୋକମାନଙ୍କ ମଧ୍ୟରେ ଏକ ସଚେତନତାର ବାର୍ତା ପହଁଚିବ ।
ଯାହାଫଳରେ ସ୍ଥାନୀୟ ସହରରେ ବାୟୁ ମଣ୍ଡଳ ପ୍ରଦୂଷଣ କିଛି ମାତ୍ରାରେ ରୋକାଯାଇପାରିବ । ବିଶେଷ କରି ରାତିରେ ଚାଲୁଥିବା ବିିଭିନ୍ନ କଳକାରଖାନା ଓ ଡାଲି ମିଲ୍ ଇତ୍ୟାଦି ଚଳାଇବା ବନ୍ଦ କରାଯାଇପାରିଲେ ବାୟୁ ପ୍ରଦୁଷଣ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିପାରନ୍ତା । ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ସ୍ଥାନୀୟ ସହରରେ ସକାଳ ୮ଟାରୁ ୯ଟା ପର୍ୟ୍ୟନ୍ତ ଘନ କୁହୁଡ଼ି ଛାଡ଼ୁନାହିଁ । ସାରା ସହର ବାଦଲରେ ଢ଼ାଙ୍କି ହେଲାପରି ଜଣାପଡ଼ୁଛି ।
ଏପରି ସମସ୍ୟାକୁ ତୁରନ୍ତ ଦୃଷ୍ଟିରେ ରଖି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ସ୍ଥାନୀୟ ସହର ପ୍ରତି ନଜର ଦେଲେ ଏହି ପ୍ରଦୁଷଣ ରୋକାଯାଇପାରିବ ଏବଂ ସାଧାରଣ ଲୋକମାନଙ୍କୁ ବିଭିନ୍ନ ସଚେତନତା ମାଧ୍ୟମରେ ବୁଝାଇ ପାରିଲେ ଆଗାମୀ ଦିନରେ ଜଟଣୀ ସହର ପ୍ରଦୁଷଣ ମୁକ୍ତ ହେବ ବୋଲି ବହୁ ପରିବେଶବିତ୍, ବୁଦ୍ଧିଜୀବୀ ଏବଂ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ସେମାନଙ୍କର ମତ ଦିଅନ୍ତି ।