ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିଶ୍ଵନାଥ ନାୟକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ନିଦ୍ୱର୍ନ୍ଦରେ ବିଶ୍ୱନାଥ ନାୟକ ନିର୍ବାଚିତ ହୋଇଛନ୍ତି। ତେବେ ଏହି ପଦବୀ ଦୀର୍ଘ ୬ମାସରୁ ଊର୍ଦ୍ଧ୍ବ ସମୟ ଖାଲି ପଡିବା ପରେ ଆଜି ଉପନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନରେ ବ୍ଲକର ମୋଟ ୨୦ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୯ଜଣ ସମିତି ସଭ୍ୟ ଧାର୍ୟ୍ୟ ସମୟରେ ପଞ୍ଚାୟତ ସମିତି ସଭାଗୃହରେ ପ୍ରବେଶ କରିଥିଲେ।

ଚିନାମାଳିପଶି ସମିତି ସଭ୍ୟ ବିଶ୍ୱନାଥ ନାୟକ ଏକ ମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ତାଙ୍କୁ ନିର୍ବାଚନ ଅଧିକାରୀ ତଥା ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିନ ଘୋଷଣା କରିଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ପାଇଁ ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ଓ ପାଟଣା ଥାନାଧିକାରୀ ସଂଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।