ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଦିନ ୧ଟାରେ ରାୟ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି କେସର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ପୁନର୍ବିଚାର ପିଟିଶନ ଉପରେ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଶେଷ ହୋଇଛି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ୩୦ ମିନିଟ୍ ଲେଖାଏ ସମୟ ଦେଇଥିଲେ।
ଅକ୍ଷୟଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏପି ସିଂହ ଅକ୍ଷୟଙ୍କୁ ମୃତ୍ୟୁ ଦଣ୍ଡ ନ ଦେବାକୁ ଅନୁରୋଧ କରି କେତେକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହିବା ସହିତ ନିର୍ଭୟା ମୃତ୍ୟୁ ପୂର୍ବରୁ ଅକ୍ଷୟଙ୍କ ନାମ ନେଇ ନଥିଲେ ବୋଲି କହିଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଦୋଷୀ ଅକ୍ଷୟର ପୁନର୍ବିଚାର ପିଟିଶନକୁ ଖାରଜ କରିବା ସହିତ ଫାଶୀ ଦଣ୍ଡାଦେଶ ବଳବତ୍ତର ରଖିବା ଲାଗି ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଅପରାହ୍ଣ ୧ଟାରେ ରାୟ ଶୁଣାଇବେ ବୋଲି କହିଥିଲେ।