ବୃହସ୍ପତିରେ ଟେକ୍ସାସ୍ ଆକାରର ଘୂର୍ଣ୍ଣିବଳୟ ଠାବ

ନ୍ୟୁୟର୍କ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଜୁନୋ ମିଶନରେ ଯାଇଥିବା ଉପଗ୍ରହଟି ନଭେମ୍ବର ମାସରେ ବୃହସ୍ପତି ପୃଷ୍ଠରେ ଆମେରିକାର ଟେକ୍ସାସ୍ ଆକାରର ଘୂର୍ଣ୍ଣିବଳୟ ଠାବ କରିଥିଲା। ବୃହସ୍ପତିକୁ ଘୂର୍ଣ୍ଣିବଳୟର ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବନି। କିନ୍ତୁ ବୃହସ୍ପତିକୁ ପ୍ରଦକ୍ଷିଣ କରୁଥିବା ଉପଗ୍ରହ କ୍ୟାମେରାରେ ଘୂର୍ଣ୍ଣିବଳୟର ଫଟୋ ଉତ୍ତୋଳନ ନାସା ପକ୍ଷେ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ। ଜୁନୋ ଉପଗ୍ରହଟି ସବୁବେଳେ ବୃହସ୍ପତି ନିକଟ ଦେଇ ଗତି କରୁନାହିଁ। ବୃହସ୍ପତି ବାୟୁମଣ୍ଡଳରେ ବହୁ ବିଷାକ୍ତ ଗ୍ୟାସ ପୂରି ରହିଥିବା କୁହାଯାଉଛି।

୨୦୧୬ ଜୁଲାଇରେ ଜୁନୋ ଉପଗ୍ରହ ବୃହସ୍ପତିର ଅତି ନିକଟତର ହୋଇ ଉତ୍ତରମେରୁରେ ୯ ଓ ଦକ୍ଷିଣମେରୁରେ ୬ଟି ବିରାଟ ଆକାରର ଘୂର୍ଣ୍ଣିବଳୟ ଠାବ କରିଥିଲା। ବୃହସ୍ପତିର କେନ୍ଦ୍ରାଞ୍ଚଳରେ ଠାବ ଘୂର୍ଣ୍ଣିବଳୟର ଆକାର ଯୁକ୍ତରାଷ୍ଟ୍ର ଆମେରିକାଠାରୁ ବଡ଼ ହେବ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବୃହସ୍ପତି ବାୟୁମଣ୍ଡଳରେ ଏତେ ପରିମାଣର ଘୂର୍ଣ୍ଣିଝଡ଼ କାହିଁକି? ନଭେମ୍ବର ୩ରେ ନାସା ପ୍ରେରିତ ଜୁନୋ ଉପଗ୍ରହ ବୃହସ୍ପତିର ପୃଷ୍ଠଦେଶଠାରୁ ପ୍ରାୟ ୨,୧୭୫ ମାଇଲ ଓ ବାୟୁମଣ୍ଡଳଠାରୁ ୨୨୫ ମାଇଲ୍ ଦୂରରୁ ଛୋଟବଡ଼ ଆକାରର ୨୨ଟି ଘୂର୍ଣ୍ଣିବଳୟ ଠାବ କରିଥିଲା।

ବୃହସ୍ପତି ବାୟୁମଣ୍ଡଳରେ ଚାଲିଥିବା ଅହରହ ପରିବର୍ତ୍ତନର ଟିକିନିଖି ଖବର ସଂଗ୍ରହ କରୁଛି ଜୁନୋ। ବୃହସ୍ପତି କକ୍ଷପଥରୁ ସାରା ସୌରଜଗତ ଉପରେ ଜୁନୋର ସତର୍କ ଦୃଷ୍ଟି ରହିଛି। ନୂତନ ଗ୍ରହ, ନକ୍ଷତ୍ର, ଉପଗ୍ରହ, ଖଣ୍ଡିତ ଗ୍ରହର ସାମାନ୍ୟ ସୁରାକ ପାଇବା ମାତ୍ରେ ନାସାକୁ ପଠାଉଛି। ମହାକାଶ ବିଜ୍ଞାନୀଙ୍କ ମତରେ ଚାଳିଶି ବର୍ଷ ପୂର୍ବେ ବୃହସ୍ପତି ବାୟୁମଣ୍ଡଳରେ ଘନଘନ ଘୂର୍ଣ୍ଣିବଳୟ ସୃଷ୍ଟି ହେଉ ନଥିଲା। ଗତ ଦଶନ୍ଧି ଭିତରେ ଘୂର୍ଣ୍ଣିବଳୟ ଧାରା କ୍ରମେ ବୃଦ୍ଧି ପାଇବାକୁ ଲାଗିଛି।

ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ଜୁନୋ ଗବେଷକ ଚେଙ୍ଗ ଲି’ଙ୍କ ମତରେ ମହାକାଶରେ ଘଟୁଥିବା ପରିବର୍ତ୍ତନ ଏକ ସାଧାରଣ ପ୍ରକ୍ରିୟା ଯାହା ମଣିଷର ଚିନ୍ତାଶକ୍ତି ବାହାରେ। ଯେଉଁଦିନ ଆମେ ତା’ର କାରଣ ଜାଣିବାକୁ ସକ୍ଷମ ହେବା, ସେଦିନଠାରୁ ପୃଥିବୀ ବାୟୁମଣ୍ଡଳ ଆମ ନିୟନ୍ତ୍ରଣରେ ରହିବ।