ଲେଫ୍ଟନାଣ୍ଟ୍ ଜେନେରାଲ୍ ମନୋଜ ମୁକୁନ୍ଦ ନାରାୱଣେ ପରବର୍ତ୍ତୀ ସେନାମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍ ଜେନେରାଲ୍ ମନୋଜ ମୁକୁନ୍ଦ ନାରାୱଣେ ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ ହେବେ ବୋଲି ସୋମବାର ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଡିସେମ୍ବର ୩୧ରେ ସେନାଧ୍ୟକ୍ଷ ଜେନେରାଲ୍ ବିପିନ ରାୱତ ଅବସର ଗ୍ରହଣ କରିବେ। ସେପ୍ଟେମ୍ବରରେ ନାରାୱଣେ ଉପ-ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେନାବାହିନୀର ପୂର୍ବାଞ୍ଚଳ ମୁଖ୍ୟ ଥିଲେ। ପ୍ରାୟ ୪୦୦୦ କିଲୋମିଟର ବ୍ୟାପୀ ଭାରତ-ଚୀନ ସୀମାନ୍ତର ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା।

ତାଙ୍କର ଦୀର୍ଘ ୩୭ ବର୍ଷ ସେବା ମଧ୍ୟରେ ଅଧିକାଂଶ ସମୟ ଜମ୍ମୁ-କଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ କଟିଛି। ଶ୍ରୀଲଙ୍କାକୁ ପଠାଯାଇଥିବା ଭାରତୀୟ ଶାନ୍ତିସେନା ବାହିନୀରେ ସେ କାମ କରିଥିଲେ। ତା’ ସହିତ ସେ ତିନିବର୍ଷ ପାଇଁ ମ୍ୟାଁମାରସ୍ଥିତ ଭାରତୀୟ ଦୂତାବାସର ସୁରକ୍ଷା ଦାୟିତ୍ୱରେ ଥିଲେ। ସେନବାହିନୀର ବିଭିନ୍ନ ରେଜିମେଣ୍ଟରେ ଦକ୍ଷତାର ଦାୟିତ୍ୱ ନିର୍ବାହ କରି ଲେଫ୍ଟନାଣ୍ଟ ଜେନେରାଲ୍ ନାରାୱଣେ ‘ସେନା ମେଡାଲ’, ‘ବିଶିଷ୍ଟ ସେବା ମେଡାଲ’ ଓ ‘ଅତି ବିଶିଷ୍ଟ ସେବା ମେଡାଲ’ ଲାଭ କରିଛନ୍ତି।