‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ୧୦ ବିଶ୍ୱବିଦ୍ୟାଳୟ ସାମିଲ

  • ଓଡ଼ିଶା ଓ ମହାରାଷ୍ଟ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେବ ଶିକ୍ଷା, ସଂସ୍କୃତିର ବିନିମୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସର୍ବଭାରତୀୟ ସ୍ତରରେ ପ୍ରତ୍ୟେକ ରାଜ୍ୟର କଳା, ସଂସ୍କୃତି, ଭାଷା, ସାହିତ୍ୟ ସମ୍ପର୍କରେ ସବୁ ରାଜ୍ୟର ପିଲାଙ୍କୁ ଅବଗତ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା। ଏହି ଯୋଜନାରେ ଦେଶର ୨ଟି ଲେଖାଏଁ ରାଜ୍ୟକୁ ନେଇ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରସ୍ତୁତ କରାଯାଇଛି। ତେବେ ଯେଉଁ ୟୁନିଟ୍ରେ ଓଡ଼ିଶା ରହିଛି ସେଥିରେ ମହାରାଷ୍ଟ୍ରକୁ ସାମିଲ କରାଯାଇଛି। ଫଳରେ ଉଭୟ ମହାରାଷ୍ଟ୍ରର ବିଭିନ୍ନ ସ୍କୁଲର ପିଲାମାନେ ଓଡ଼ିଶା ଆସିବେ ଏବଂ ଓଡ଼ିଶାର ପିଲାମାନେ ମହାରାଷ୍ଟ୍ର ଗ୍ରସ୍ତ କରବେ।

ଉଭୟ ରାଜ୍ୟର ଛାତ୍ରଛାତ୍ରୀ ଏହି ଯୋଜନା ମାଧ୍ୟରେ ବୁଲିବାର ସୁଯୋଗ ପାଇବା ସହ ଯେଉଁ ରାଜ୍ୟକୁ ଯିବେ ସେ ରାଜ୍ୟର ସର୍ବନିମ୍ନ ୧୦୦ଟି ଶବ୍ଦ ଜାଣିବା ବାଧ୍ୟତାମୂଳକ କରାଯାଇଛି। ଏହାବ୍ୟତୀତ ସେଠାକାର ଭାଷା, ସାହିତ୍ୟ, କଳା, ସଂସ୍କୃତ ସମ୍ପର୍କରେ ମଧ୍ୟ ଅବଗତ ହେବେ। ତେବେ ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହାରାଷ୍ଟ୍ର ଗସ୍ତରେ ଯିବା ସହ ସେଠାକାର ଛାତ୍ରଛାତ୍ରୀ ଓଡ଼ିଶା ଭ୍ରମଣରେ ଆସିବେ। ସେଥିଲାଗି ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାକୁ ପିଲାଙ୍କୁ ବୁଲାଇ ଅଣିବା ସହ କେଉଁ ବିଶ୍ୱବିଦ୍ୟାଳୟରେ ରହିବେ ସେ ସମସ୍ତ ତଥ୍ୟ ମହାରାଷ୍ଟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ବିଭାଗର ଏସ୍ଏନ୍ଓ ଡ.ସୁରେଖା ସୁନ୍ଦରୀ ସ୍ୱାଇଁ ଚିଠି ଦେଇଛନ୍ତି।

ପ୍ରକାଶଥାଉକି, ଏହି ବ୍ୟବସ୍ଥା ସ୍କୁଲସ୍ତରରେ ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପ୍ରୟାସ କରାଯାଇଛି। ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ କେବଳ ଏହି ଯୋଜାନରେ ଅନ୍ତର୍ଭୁକ୍ତ ହୋଇପାରିବେ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ସ୍କାଉଟ୍ସ୍, ଗାଇଡ୍ସ, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ରେ ଭାଗ ନେଇଥିବେ ସେହି ପିଲାଙ୍କ ସମେତ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

ଗୋଟିଏ ଲେଖାଏଁ ଗ୍ରୁପ୍ରେ ୨୫ରୁ ୩୦ଜଣ ଲେଖାଏଁ ପିଲାଙ୍କୁ ସପ୍ତାହ ଲାଗି ପଠାଯିବ। ତେବେ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ଛାତ୍ରଛାତ୍ରୀ ଆସିବେ। ଏନେଇ ଗଠନ ହୋଇଥିବା ଉଭୟ ଟାକ୍ସ ଫୋର୍ସ ଓ କୋର୍ କମିଟି ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବା ପରେ ପ୍ରକ୍ରିୟା ଆରମ୍ଭ ହେବ। ବିଶେଷ ଭାବେ ଏହି ଯୋଜନାରେ ପ୍ରତ୍ୟେକ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ପିଲାଙ୍କୁ ବୁଲାଇବା ସହ ସେଠାକାର ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶିକ୍ଷାଗ୍ରହଣ ବ୍ୟବସ୍ଥା କିପରି ଭାବେ ପିଲାମାନେ ଜାଣିପାରିବେ ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯିବ।

ଯୋଜନାରେ ଯେଉଁ ଜିଲ୍ଲାର ପିଲାମାନେ ମହାରାଷ୍ଟ୍ର ଗ୍ରସ୍ତରେ ଯିବେ ସେଠାରୁ ଫେରିବା ପରେ ସେଠାକାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ମତାମତ ରଖିବେ। ପିଲାଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ବିଭାଗର ଅଧିକାରୀମାନେ ମଧ୍ୟ ମହାରାଷ୍ଟ୍ର ଗ୍ରସ୍ତରେ ଯିବେ। ତେବେ ମହାରାଷ୍ଟ୍ରର ଯେଉଁ ଟିମ୍ ଓଡ଼ିଶା ଆସିବ ସେମାନଙ୍କ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଭିଏସ୍ଏସ୍ୟୁଟି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ମନୋନୀତ କରାଯାଇଛି।