ଗୋହିରା ଜଳ ଭଣ୍ଡାରରେ ଡଙ୍ଗା ବୁଡି ୧ ନିଖୋଜ, ୫ ଉଦ୍ଧାର ଜିଲ୍ଲା By Nitidin On Dec 14, 2019 Share ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମ ନିକଟସ୍ଥ ଗୋହିରା ଜଳଭଣ୍ଡାର ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଡଙ୍ଗାବୁଡ଼ି ଜଣେ ବ୍ୟକ୍ତି ନିଖୋଜ ଥିବା ବେଳେ ଅନ୍ୟ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ବରଘାଟ ଅପର ପାଶ୍ୱରେ ଥିବା ଠେଲକଗୁଡ଼ି ଗ୍ରାମରେ ରାତ୍ରି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମିପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏଥିରେ ସାମିଲ ହେବାପାଇଁ ବରଘାଟ ଗ୍ରାମର ଜଗନ୍ନାଥ ସି, ହରେନ ଜମକିଆଲ, ନାରାୟଣ ଜମକିଆଲ, ବିଜୟ କୁମାର ସାହୁ, ମିଲୁ ସାହୁ ଓ ସମ୍ବଲପୁର ଜିଲ୍ଲା ଅର୍ଡାବହାଲ ଗ୍ରାମର ପଦୁ ନନ୍ଦନ ଜୟପୁରିଆ ମିଶି ମାଛଧରା ୨ଟି ହୁଲି ଡଙ୍ଗାରେ ବସି ଜଳଭଣ୍ଡାର ପାର ହେଉଥିବା ସମୟରେ ବଇଦାରପାଳ ଠାରେ ଡଙ୍ଗାଟି ହଠାତ୍ ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ଜଗନ୍ନାଥ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ସେମାନଙ୍କ ପଛରେ ଆସୁଥିବା ଅନ୍ୟ କେତେକ ଗ୍ରାମବାସୀ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଦେବଗଡ଼ ଅଗ୍ନିଶମ ବାହିନୀକୁ ସୂଚନା ଦେବାପରେ ରାତ୍ରି ପ୍ରାୟ ଦେଢ଼ଟା ସମୟରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳ ଭଣ୍ଡାର ମଧ୍ୟରେ ନିଖୋଜ ଜଗନ୍ନାଥଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ ମଧ୍ୟ ରାତ୍ରିରେ ଘନ ଅନ୍ଧକାର ଯୋଗୁଁ ସମ୍ଭବ ହୋଇନଥିଲା। ଆଜି ସକାଳେ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଜଗନ୍ନାଥଙ୍କ କୈାଣସି ସନ୍ଧାନ ମିଳିପାରି ନାହିଁ। ଅନ୍ୟପଟେ ପକ୍ଷରେ ଜଳ ଭଣ୍ଡାରରୁ ଜଗନ୍ନାଥଙ୍କୁ ଉଦ୍ଧାର ପାଇଁ ବଂପରଡ଼ା ସ୍ଥିତ ଓଡ୍ରାଫ୍ ଟିମର ସହାୟତା ନିଆଯାଇଛି। ସେହିପରି ଘଟଣାସ୍ଥଳରେ ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। Share