ଦାରିଙ୍ଗବାଡ଼ି/ଫୁଲବାଣୀ,ଏନଏନଏସ: ଚକ୍ରବ୍ୟୁହରେ ଫସିଗଲେ ଅଭିମନ୍ୟୁ । ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ବାଲିଗୁଡ଼ା ଥାନା ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସକାଳ ପ୍ରାୟ ୭ଟା ୩୦ରେ ଘରୁ ଡାକି ଆଣି ୨ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି ।
ତେବେ, କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ । ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବାବେଳେ କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାସ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟ ପକ୍ଷରେ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ପୋଲିସ୍ ତନାଘନା ଆରମ୍ଭ କରିଛି । ସଂପର୍କୀୟ ଭାଇ ବିମଳ ସାହୁ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି ଛାନଭିନ ଆରମ୍ଭ କରିଛି ପୁଲିସ। ପ୍ରଥମ ଦଫାରେ ବାଲିଗୁଡ଼ାର ଅନ୍ୟତମ ଜଣାଶୁଣା ବ୍ୟବସାୟୀ ପରିବାରର ୪ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗ ହୋଇଛି ଯେ ଚାରି ଭାଇ ମିଶି ସୁପାରୀକିଲର ସହାୟତାରେ ଅଭିମନ୍ୟୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଚାରି ଭାଇ ବିଶ୍ୱନାଥ ପାତ୍ର, ଗୋପାଳ ପାତ୍ର, ରାମ ପାତ୍ର, ଶ୍ୟାମ ସୁନ୍ଦର ପାତ୍ରଙ୍କୁ ଏବେ ବାଲିଗୁଡା ଥାନାରେ ମାରାଥନ ଜେରା ଚାଲିଛି । କିଛି ମାସ ହେଲା ଜଗନ୍ନାଥ ମନ୍ଦିରକୁ ଲାଗି ରହିଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଏହି ବିବାଦର ଏ ହେଉଛି ପରିଣାମ ବୋଲି ଚର୍ଚ୍ଚା ଚାଲିଛି । ତେବେ, ପୋଲିସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯାଉଛି ।
ସେପଟେ ଗଲା ୫୦ବର୍ଷ ଭିତରେ ବାଲିଗୁଡାରେ ଗୁଳି କରି କାହାକୁ ମାରି ଦେବା ପ୍ରଥମ ଘଟଣା । ତେଣୁ ସାରା ଅଂଚଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି । ମୃତ ଅଭିମନ୍ୟୁ ପଣ୍ଡା ବିଭିନ୍ନ ସମୟରେ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗୁଥିଲେ । ଏଥିଯୋଗୁଁ କେହି ଆକ୍ରୋଶ ରଖି ହତ୍ୟା କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।