ଲକ୍ଷ୍ମୀପୁର : ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ସେବାଶ୍ରମରେ। କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ପାଇବା ପରେ ସଂପୃକ୍ତ ସ୍କୁଲକୁ ପହଂଚି ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଶିକ୍ଷା ବିଭାଗର ପରିଚାଳନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ୍ ଆଜି ବୁର୍ଜା ଆଶ୍ରମ ସ୍କୁଲରେ ପହଁଚି ଗର୍ଭବତୀ ହୋଇଥିବା ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ମହାକୁୁଡ ଓ ବ୍ଲକ ସଂମ୍ପ୍ରସାରଣ ଅଧିକାରୀ ପ୍ରଦୀପ ମିଶ୍ରଙ୍କ ସହ ଆଲୋଚନା କରିବା ପରେ ଛାତ୍ରୀଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ପରୀକ୍ଷା କରାଇଥିଲେ। ଡାକ୍ତରଙ୍କ ଠାରୁ ଛାତ୍ରୀ ଜଣକ ସାତମାସର ଗର୍ଭବତୀ ଥିବା ଜଣାପଡିବା ପରେ ଲକ୍ଷ୍ମୀପୁର ଥାନାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମହାପାତ୍ର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
୭ମାସର ଗର୍ଭବତୀ ହେବା ଘଟଣା ଛାତ୍ରୀ ଜଣକ କାହାରିକୁ ପ୍ରକାଶ କରି ନ ଥିଲା। ଘରେ ମା’ କେମିତି ଜାଣି ପାରିଲେ ନାହିଁ ବୋଲି ନିନ୍ଦାକୁ ଅଭିଭାବକଙ୍କ ଆଡକୁ ଠେଲି ଦିଆଯାଇଛି। କୋରାପୁଟର ଏକ ସ୍ୱତନ୍ତ୍ର ଟିମ ଗତ ଚାରି ତାରିଖ ଦିନ ଆଶ୍ରମରେ ପହଁଚି ସମସ୍ତ ଦଶମ ଶ୍ରେଣୀର ଛାତ୍ରିଙ୍କୁ ପରୀକ୍ଷା କରାଯିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ଥାନାରେ ଅଭିଯୋଗ ପରେ ବର୍ତ୍ତର୍ମାନ ପୁଲିସ ଛାତ୍ରୀ ଜଣକୁ କିଏ ଗର୍ଭବତୀ କରିଛି ତାହା ତଦନ୍ତ କରୁଛି।
ଜଣେ ଛାତ୍ରୀ ସାତ ମାସ ଧରି ଗର୍ଭବତୀ ହୋଇଥିବା ଘଟଣା ହଷ୍ଟେଲ୍ କର୍ତ୍ତୃପକ୍ଷ, ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅଭିଭାବକ କିପରି ଜାଣିପାରିଲେ ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି।