ପୁଣି ବଲାଙ୍ଗିରରେ ୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ବଲାଙ୍ଗିର,ଏନ୍ଏନ୍ଏସ୍: ଦେଶରେ ପିଆଜ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପିଆଦର ବର୍ତ୍ତମାନ ୧୩୦କୁ ଅତିକ୍ରମ କରିଛି, ଏପରିକି କେତେକ ସ୍ଥାନରେ ଏହା ୧୫୦ଟଙ୍କା କିଲୋପ୍ରତି ବିକ୍ରି ହେଉଛି। ଏହି ପିଆଜର ଦରକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ବଲାଙ୍ଗିର ନଗର କଂଗ୍ରେସ ତରଫରୁ ୪୦ଟଙ୍କା କିଲୋ ଦରରେ ଖାଉଟୀଙ୍କୁ ପିଆଜି ବିକ୍ରି କରି ଅଭିନବ ପ୍ରତିବାଦ କରାଯାଇଛି।

ପିଆଜ ଦର ବୃଦ୍ଧିରେ ସରକାରଙ୍କ ପ୍ରତ୍ୟକ୍ଷ ହାତ ରହିଛି ବୋଲି କଂଗ୍ରେସ ନେତା ଅଶୋକ ନନ୍ଦ, ଓମ୍ ପ୍ରକାଶ କୁମ୍ଭାର, ଅଜୟ ବାଲି, ଜ୍ୟୋତିଷ ମୁଗ୍ରୀ, ମହିଳା ସଭାନେତ୍ରୀ ମିଳନି ସାହୁ, ସାନନ୍ଦ ମିଶ୍ର, ଉମାକାନ୍ତ ସାହୁ, ପ୍ରେମ ପ୍ରକାଶ ମିଶ୍ର ଓ ବ୍ରଜ ସେଠୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ସମୟରେ ପିଆଜ ସାଧାରଣତଃ ୧୦ରୁ ୨୦ ଟଙ୍କା ଦରରେ ବିକ୍ରି ହୋଇଥାଏ । କିନ୍ତୁ ମୁନାଫାକରଖୋର ବ୍ୟବସାୟୀମାନେ ପିଆଜର ଦର ଅହେତୁକ ଭାବେ ବୃଦ୍ଧି କରି ଖାଉଟୀଙ୍କୁ ଶୋଷଣ କରୁଛନ୍ତି । ଏହି ବ୍ୟବସାୟୀମାନଙ୍କୁ ସରକାର ପରୋକ୍ଷରେ ସହଯୋଗ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ପିଆଜ ଦରକୁ ନିୟନ୍ତ୍ରଣ ନକଲେ ଆଗକୁ ଏହା ଆନ୍ଦୋଳନର ରୂପ ନେବବୋଲି ଚେତାବନୀ ଦେଇଛନ୍ତି। ଭୟାବହ ଆନ୍ଦୋଳନ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି। ଏଥିସହ କଂଗ୍ରେସ ଜିଲ୍ଲା ସଭାପତି ଦୀଲ୍ଲିପ ବେହେରା, ରାଜ୍ୟ ସମ୍ପାଦକ ସୁଦାମ ସାହୁ, ଜିଲ୍ଲା ଉପ ସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର ପ୍ରମୁଖ ପିଆଜ ବିକ୍ରି କରିଥିଲେ।