ରାଜ୍ୟର ପ୍ରଥମ ମିଶନ୍ ଶକ୍ତି ମେଳା ଉଦଘାଟିତ

ମିଶନ ଶକ୍ତିର ମୋବାଇଲ୍ ଆପ୍ଲିକେଶନ୍ ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ପାଇଁ, ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ମିଶନ୍ ଶକ୍ତି ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ମେଳାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଦ୍ଘାଟନ କରିଥିଲେ। ଏଥିରେ ମିଶନ୍ ଶକ୍ତି ଉପଦେଷ୍ଟା ଡା.ଲୋପାମୁଦ୍ରା ବକ୍ସିପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ମିଶନ୍ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ସୁଜାତା ଆର୍. କାର୍ତ୍ତିକେୟନ ଓ ଏନ୍ଆର୍ଏଲ୍ଏମ୍ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଅତିଥିଭାବେ ଯୋଗ ଦେଇଥିଲେ।

ପ୍ରଥମଥର ପାଇଁ ମିଶନ ଶକ୍ତିର ସ୍ୱତନ୍ତ୍ର ଏକ ମେଳା ଅନୁୁଷ୍ଠିତ ହୋଇଛି। ପ୍ରତିବର୍ଷ ଏହି ମେଳାକୁ ନେଇ ନୂତନ ଭାବେ ଉପସ୍ଥାପିତ କରାଯିବ। ଏବେ ସ୍ୱୟଂ ସହାୟତା ଗୋଷ୍ଠୀର ମା’ମାନେ ଛୋଟ ଛୋଟ ବ୍ୟବସାୟରେ ସୀମିତ ନାହାଁନ୍ତି, ଦୁନିଆରେ ପ୍ରତିଷ୍ଠିତ ହେଲେଣି। ଏହି ମେଳାରେ ପ୍ରଥମଥର ପାଇଁ ୟୁନିଫର୍ମ ପ୍ୟାକେଜିଂର ବ୍ୟବସ୍ଥା କରାଯାଇଛି। ସରକାରୀ ନିୟମାନୁଯାୟୀ ଖାଦ୍ୟ ପଦାର୍ଥ ପ୍ୟାକିଙ୍ଗ ଯୋଗ୍ୟ ପଲି ପାଉଚ୍କୁ ଏହି ମେଳାରେ ବ୍ୟବହାର କରାଯାଉଛି। ଏହାକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି।

ସ୍ୱୟଂ ସହାୟତା ଗୋଷ୍ଠୀର ସାମଗ୍ରୀକୁ ମହିଳାମାନେ ପ୍ୟାକେଜିଂ କରି ବିକ୍ରି କରିବା ଦ୍ୱାରା ମିଶନ ଶକ୍ତିର ବ୍ରାଣ୍ଡିଂ ହୋଇପାରିବ। ସେହି ପ୍ୟାକେଜିଂରେ ଷ୍ଟିକର୍ ଲାଗି ଫୋନ୍ ନମ୍ବର ଲଗାଯିବ। ଫଳରେ ଯୋଗାଯୋଗ ମାଧ୍ୟମରେ ଆହୁରି ଅଧିକ ବିକ୍ରି ହୋଇପାରିବ। ମିଶନଶକ୍ତି ମହିଳାଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପ୍ରତି ମହିଳା ଗ୍ରୁପ୍କୁ ୩ଲକ୍ଷ ଟଙ୍କାର ଋଣ ଦିଆଯାଉଛି। ଏହି ଋଣ ୫ହଜାର କୋଟିକୁ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି।

ଓରମାସ୍ ସହିତ ମିଶି ୩ଶହଟି ଉତ୍ପାଦନ ଗ୍ରୁପ୍ ୩୦ଟି ଜିଲ୍ଲାରେ କରିବାର ନିଷ୍ପତ୍ତି ନିଆଯାଇଛି। ୫ହଜାର କୋଟିର ସରକାରୀ କାମ ୫ବର୍ଷରେ ମହିଳାମାନଙ୍କୁ ଦିଆଯିବ ବୋଲି କ୍ୟାବିନେଟ୍ ହୋଇଛି ବୋଲି ଶ୍ରୀମତି କାର୍ତ୍ତିକେୟନ ମତବ୍ୟକ୍ତ କରିଥିଲେ। ଏହି ମେଳାରେ ୨୧୩ଟି ଷ୍ଟଲରେ ବିଭିନ୍ନପ୍ରକାରର ଗ୍ରାମୀଣ ସାମଗ୍ରୀ ଯଥା ହସ୍ତତନ୍ତ, ହସ୍ତଶିଳ୍ପ, ଅଣକାଷ୍ଠ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ରହିଛି। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ୨ଶହ ପ୍ରକାରର ଦ୍ରବ୍ୟ ପ୍ରଦର୍ଶନୀ ଓ ବିକ୍ରୟ ହେଉଛି।

୩୦ଟି ଜିଲ୍ଲାର ୨୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ୫ଶହରୁ ଉଦ୍ଧ୍ୱର୍ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଦ୍ରବ୍ୟ ସହିତ ଅଂଶଗ୍ରହଣ କରିଛନ୍ତି। ମହିଳାମାନଙ୍କ ଦ୍ୱାରା ଫୁଡ୍ କୋର୍ଟର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ କି ଓଡ଼ିଆ ଘରର ବିଭିନ୍ନ ପିଠାପଣା ସାଙ୍ଗକୁ ମାଣ୍ଡିଆ ବିରିୟାନୀ ଓ ବିଭିନ୍ନ ଲୁପ୍ତପ୍ରାୟ ଓଡ଼ିଆ ଖାଦ୍ୟର ଷ୍ଟଲ୍ ରହିଛି। ମେଳାରେ ଷ୍ଟଲ୍, ପ୍ରଦର୍ଶିତ ସାମଗ୍ରୀ ଓ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧୀୟ ତଥ୍ୟ ଯୋଗାଇ ଦେବା ପାଇଁ ମିଶନ ଶକ୍ତିର ମୋବାଇଲ୍ ଆପ୍ଲିକେଶନ୍ ଉନ୍ମୋଚିତ ହୋଇଛି। ଯେଉଁଥିରେ କି ଘରେ ବସି କେଉଁ ଷ୍ଟଲ୍ରେ କ’ଣ ବିକ୍ରି ହେଉଛି, ଏହାର ତଥ୍ୟ ମିଳିଯାଇପାରିବ।

ମେଳା ପରିଦର୍ଶନ ପାଇଁ ଆସୁଥିବା ଲୋକମାନଙ୍କ ପାଇଁ ସେଲ୍ଫି ଜୋନ୍ର ବ୍ୟବସ୍ଥା କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ଏହି ଅବସରରେ ଖ୍ୟାତାନାମା ଅନୁଷ୍ଠାନ ଏନ୍ଆଇଏଫ୍ଟି, ଓର୍ମାସ୍, ଆର୍ଏସ୍ଇଟିଆଇ ଆଦିର ବିଶେଷଜ୍ଞମାନଙ୍କ ସହିତ ଶିକ୍ଷା ତଥା ଜ୍ଞାନର ଆଦାନପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ନୟାଗଡ଼ର ମା’ତାରିଣୀ ଡବ୍ଲୁଏସ୍ଏଚ୍ଜି, ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ଡବ୍ଲୁଏସ୍ଏଚ୍ଜି, ଗଞ୍ଜାମର ମା’ ବେହେରା ପାତ୍ର ପ୍ରାଇମେରୀ ଫିସେରୀ ୱିମେନ୍ ଡେଭେଲପ୍ମେଣ୍ଟ ସୋସାଇଟିକୁ ସମ୍ମାନିତ କରାଯାଇଥିଲା। ଏହି ମେଳା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଶେଷରେ ମିଶନ୍ ଶକ୍ତିର ଯୁଗ୍ମ ସଚିବ ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଗଣ୍ଡମୁଣ୍ଡାରେ ଖୋଲିବ ମିଶନଶକ୍ତି ହାଟ: ସ୍ୱୟଂ ସହାୟକ ଗୋଷ୍ଠୀ ହେଉ ଅବା ଉତ୍ପାଦକ ଗୋଷ୍ଠୀଙ୍କ ଜିନିଷ ଆଉ କେବଳ ଗ୍ରାମାଞ୍ଚଳ ଓ ମେଳା ଭିତରେ ସୀମିତ ହୋଇରହିବ ନାହିଁ। ଏବେ ବାର ମାସର ପ୍ରତ୍ୟେକ ଦିନ ମିଳିବ ମହିଳାମାନଙ୍କ ଦ୍ୱାରା ଉତ୍ପାଦନ ସାମଗ୍ରୀ। ସେ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ସାମଗ୍ରୀ। ଏଥିପାଇଁ ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ସ୍ଥାନ ଚିହ୍ନଟ କରାଯାଇଛି। ଯେଉଁଠି କି ମିଶନ୍ ଶକ୍ତିର ପାଖାପାଖି ୭୦ଟି ସ୍ଥାୟୀ ଷ୍ଟଲ୍ କରାଯିବ।

ଦିଲ୍ଲୀ ହାଟ ଭଳି ଗ୍ରାମାଞ୍ଚଳ ହାଟ ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକଦିନ ଏଥିରେ ଗାଁ ଓ ସହରର ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦନ ସାମଗ୍ରୀ ଉପଲବ୍ଧ ହେବ। ଯେଉଁ ସବୁ ଜିନିଷର ଭୁବନେଶ୍ୱରର ଚାହିଦା ରହିଛି। ଏଥିପାଇଁ ମହିଳାମାନେ ଅଧିକ ଅଂଶଗ୍ରହଣ କରିବା ଆବଶ୍ୟକ। ଏହାଦ୍ୱାରା ମହିଳାମାନେ ଅଧିକ ସଶକ୍ତ ହୋଇପାରିବେ।