ସୁନ୍ଦରମ ଫାଇନାନ୍ସରେ ୧.୪୩ କୋଟି ଋଣ ଜାଲିଆତି: ଭାଇ ସହ ବ୍ରାଞ୍ଚ ଅଫିସର ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ଫାଇନାନ୍ସ ସଂସ୍ଥାରୁ ନକଲି କାଗଜପତ୍ର ଦର୍ଶାଇ ୧କୋଟି ୪୩ଲକ୍ଷ ଟଙ୍କା ଋଣ ଜାଲିଆତି କରିଥିବା ଅଭିଯୋଗରେ ରବିବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମ୍ପୃକ୍ତ ଥିବା ଦୁଇଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ସୁନ୍ଦରମ୍ ଫାଇନାନ୍ସ ସଂସ୍ଥା ବାଲେଶ୍ୱର ଶାଖାର ଅଧିକାରୀ ଶଶିକାନ୍ତ ସାହୁ(୩୧) ଏବଂ ତାଙ୍କ ଭାଇ ଭଦ୍ରକର ଶ୍ରୀକାନ୍ତ ସାହୁ(୩୦)।

ସୂଚନା ଅନୁଯାୟୀ, ଶଶିକାନ୍ତ ସାହୁ ସୁନ୍ଦରମ୍ ଫାଇନାନ୍ସ ସଂସ୍ଥାର ବାଲେଶ୍ୱର ଶାଖାର କାର୍ଯ୍ୟକାରୀ ଅଧିକାରୀ ନିଯୁକ୍ତ ହୋଇଥିଲେ। ସେ ୨୦୧୮-୧୯ ବର୍ଷରେ ୧କୋଟି ୪୩ଲକ୍ଷ ଟଙ୍କାରେ ଜାଲ୍ କାଗଜପତ୍ର ଦର୍ଶାଇ ୧୧ଟି ଋଣ ମଞ୍ଜୁର କରିଥିଲେ। ଏଥିରୁ ୯ଟି ଋଣ ଧାନକଟା ମେସିନ କିଣା ବାବଦକୁ ମଞ୍ଜୁର ହୋଇଥିଲା।

୧୧ଟି ଲୋନ୍ ମଧ୍ୟରୁ ହନୁମାନଜିଉ ଫର୍ଣ୍ଣିଚର ନାମକ ଏକ ଦୋକାନର ଆକାଉଣ୍ଟରେ ୪୫ଲକ୍ଷ ଟଙ୍କାର ୪ଟି ଲୋନ୍ ମଞ୍ଜୁର କରାଯାଇଥିଲା। ବାକି ୭ଟି ଲୋନ୍ ଉତ୍କଳ ଏଣ୍ଟରପ୍ରାଇଜର୍ସ ନାମରେ ହୋଇଥିଲା। ଏହି ୨ଟି ସଂସ୍ଥା କାର୍ଟର ଆଗ୍ରୋ ଇଣ୍ଡଷ୍ଟ୍ରିସ୍ ପ୍ରାଇଭେଟ୍ ଲିମିଟେଡ୍ଠାରୁ ଡିଲରଶିପ୍ ଆଣିଥିବା ଲୋନ୍ କାଗଜପତ୍ରରେ ଉଲ୍ଲେଖ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ଲୋନ୍ ଟଙ୍କାରେ କୌଣସି ଧାନକଟା ମେସିନ୍ କିଣା ହୋଇନଥିବା ଫାଇନାନ୍ସ ସଂସ୍ଥା ଜାଣିବାକୁ ପାଇଥିଲା।

ଏ ନେଇ ସୁନ୍ଦରମ୍ ଫାଇନାନ୍ସ ସଂସ୍ଥାର ଆଞ୍ଚଳିକ ମ୍ୟାନେଜର ଭି. କିଶୋର କୁମାର ଅର୍ଥନୈତିକ ଅପରାଧ ଶାଖାରେ ଗତ ମାସ ୧୮ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ କେସ୍ ନଂ ୨୦/୧୯ରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ଇଓଡବ୍ଲ୍ୟୁର ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ଅନୁସାରେ, ଶଶିକାନ୍ତ ଜାଲି କାଗଜପତ୍ର ଦର୍ଶାଇ ହନୁମାନ ଜିଉ ଫର୍ଣ୍ଣିଚର ଏବଂ ଉତ୍କଳ ଏଣ୍ଟରପ୍ରାଇଜର୍ସ ନାମରେ ଥିବା ୨ଟି ଆକାଉଣ୍ଟରେ ୧୧ଟି ଲୋନ ମଞ୍ଜୁର କରିଥିଲେ। ଏହି ୨ଟି ଆକାଉଣ୍ଟର ମାଲିକ ଶଶିକାନ୍ତଙ୍କ ଭାଇ ଶ୍ରୀକାନ୍ତ ସାହୁ ବୋଲି ଜଣାପଡ଼ିଛି। ତେବେ ଜାଲ୍ କାଗଜପତ୍ର ଦର୍ଶାଇ ଋଣ ମଞ୍ଜୁର କରିଥିବାରୁ ଶନିବାର ଇଓଡବ୍ଲ୍ୟୁ ଭଦ୍ରକରେ ଥିବା ଶ୍ରୀକାନ୍ତଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ପରେ ଇଓଡବ୍ଲ୍ୟୁ ସେଠାରୁ ବହୁତ ନଥିପତ୍ର ଜବତ କରିଛି।