ଝିଅ ହତ୍ୟାକାରୀ ମା’କୁ ଆଜୀବନ କାରାଦଣ୍ଡ

ଅନୁଗୁଳ,ଏନ୍ଏନ୍ଏସ୍: ଶନିବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପୋକ୍ସୋ ଝିଅ ହତ୍ୟାକାରୀ ମା’କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ୧୧/୩/୨୦୧୫ ମସିହା ବିଳମ୍ବିତ ରାତିରେ ନାଲକୋ ଥାନା ଅନ୍ତର୍ଗତ ବାଙ୍କି ହଟିଙ୍ଗରେ ରହୁଥିବା ଜିତୁ ସୋରେନଙ୍କ ସ୍ତ୍ରୀ ଦମୟନ୍ତୀ ସୋରେନ ପ୍ରଚୁର ମଦ୍ୟପାନ କରି ନିଜର ୮ ବର୍ଷର ଝିଅକୁ ଶୋଇଥିବା ଅବସ୍ଥାରେ ତା ମୁଣ୍ଡକୁ ଆକ୍ରମଣ କରି ଜୀବନରେ ମାରିଦେଇଥିଲା। ଏ ନେଇ ହଟିଙ୍ଗର ମୁଖିଆ କାଡା ମୁର୍ମୁ ସେତେବେଳେ ନାଲକୋ ଥାନାରେ ଲିଖିତ ଏତଲା ଦେଇଥିଲେ।

ଫଳରେ ପୁଲିସ ସେତେବେଳେ ଦମୟନ୍ତୀକୁ ଦଫା ୩୦୨ରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ଦିନ ଠାରୁ ଦମୟନ୍ତୀ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲା। କିନ୍ତୁ ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସ୍ୱତନ୍ତ୍ର ଜଜ୍ ପୋକ୍ସୋ ପ୍ରଭାକର ଗଣ୍ଠିଆ ହତ୍ୟାକାରୀ ମା’ଦମୟନ୍ତୀ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି ସରୋଜ ପଟ୍ଟନାୟକ କେଶ ପରିଚାଳନା କରୁଥିଲେ।