ଗାୟତ୍ରୀବାଳା ପଣ୍ଡା, କାବ୍ୟର ଅବଚେତନରେ ନିଜେ ନିଜର କବିତାର ଭାଗ୍ୟ ଗଢିବାରେ ଧୂରୀଣ । ମାର୍ମିକ ଅନୁଭବ ଯେତେବେଳେ ଉତ୍ତରଣକୁ ଅପେକ୍ଷା କରେ, ସେତେବେଳେ ଗାୟତ୍ରୀ ଶବ୍ଦଙ୍କ ହାତ ଧରି ଚିହ୍ନେଇ ଦିଅନ୍ତି ମାନବୀୟ ଚେତନାରେ ଆତଯାତ ହେଉଥିବା ସମସ୍ତ ସୁଖ, ଦୁଃଖ, ଜଞ୍ଜାଳର ଜଳଛବି । ଭୂମିରୁ ଭୂମା ସିଡ଼ି ଚଢ଼ିବା ବେଳେ କବିତାର କୀର୍ତ୍ତିମୟତା, ନିଜେ ସେମିତି ନିରବ, ନିଶ୍ଚଳ, ନିମଗ୍ନ ହୋଇ ଗଢ଼ିବସନ୍ତି ଯେଉଁ ଭାବାବେଗ, ତାହା ବୋଧେ ଗାୟତ୍ରୀଙ୍କ ନିଜସ୍ୱ ଢ଼ାଞ୍ଚା । କେବଳ କବିତା କାହିଁକି ମନନଶୀଳତାରେ ବି ଉତୁରି ଆସେ ଶବ୍ଦମୟତାର ପ୍ରାବନ୍ଧିକ ସତ୍ତା । କବିତାର କମାରୁ ପୁଣି ଆରମ୍ଭ ହୁଏ ସୃଜନର ଯାତ୍ରା । କବିତାର କମନୀୟତାରୁ ପ୍ରବନ୍ଧର ଗାମ୍ଭୀର୍ଯ୍ୟତା ସାମାଜିକ ଅବ୍ୟବସ୍ଥାକୁ ସଜାଡ଼ିବାକୁ ଯେମିତି ତୟାର ହୋଇ ରହିଥାଏ, ତାହା ବୋଧେ ଗାୟତ୍ରୀଙ୍କ କଲମକ୍ରାନ୍ତି । ଏହି ସାଧନାର ସରହଦକୁ ଡ଼େଇଁ ଯେତିକି ଶ୍ରମର ପ୍ରତିଦାନ ମିଳିଛି, ତାହା ହେଉଛି ପ୍ରଥମ ଓଡ଼ିଆ ଲେଖକ ହିସାବରେ “ରାଇଟର୍ସ-ଇନ୍-ରେସିଡେନ୍ସ” କାର୍ଯ୍ୟକ୍ରମ ଶୃଙ୍ଖଳାରେ ଭାରତର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କ ଅତିଥି ଭାବରେ ଯୋଗଦାନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର । ନିଜ ଲେଖାର ସ୍ୱତନ୍ତ୍ରତା ପାଇଁ ବାରି ହୋଇପଡ଼ୁଥିବା ଏହି ବ୍ୟକ୍ତିତ୍ୱଙ୍କୁ ନେଇ ଆଜିର ପ୍ରଶ୍ନୋତ୍ତର ।
୧)ଲେଖାଲେଖିର ଏ ଜଗତକୁ ଆପଣ କେବେ ଆସିଲେ? କାହିଁକି କବିତା ଲେଖିଲେ?
ଉ : ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢ଼ିବା ଦିନଠାରୁ ମୁଁ ଲେଖାଲେଖି ଆରମ୍ଭ କରିଥିଲି। ଆମ ଘରେ ଗୋଟିଏ ଭଲ ଲାଇବ୍ରେରୀ ଥିଲା, ଅନେକ ଉପାଦେୟ ବହି ଥିଲା। ପିଲାଦିନୁ ମୁଁ ବହିମାନଙ୍କ ଗହଣରେ ସମୟ କାଟିବାକୁ ଭଲ ପାଉଥିଲି। ମୋର ଜେଜେ ସ୍ୱର୍ଗତ କ୍ଷେତ୍ରମୋହନ ପଣ୍ଡା ଲେଖାଲେଖି କରୁଥିଲେ। ବାପା ବହୁତ ବହି ପଢ଼ୁଥିଲେ ଓ ଅତି ପିଲାଟିଦିନରୁ ମତେ ପଢ଼ିବାପାଇଁ ଅନେକ ବହି ଆଣି ଦଉଥିଲେ। ମୋ ବୋଉ ଚାହୁଁଥିଲା ସବୁବେଳେ ମୋ ହାତରେ ବହିଟିଏ ଥାଉ। ମୋଟାମୋଟି ପଢ଼ାପଢ଼ିର ଗୋଟିଏ ଅନୁକୂଳ ପରିବେଶ ମତେ ଲେଖାଲେଖି ପ୍ରତି ଆକୃଷ୍ଟ କରିଥିଲା। ବିବାହ ପରେ ମୋର ସ୍ୱାମୀ ମାନସ ରଂଜନ ମଙ୍ଗରାଜଙ୍କ ସମର୍ଥନ ଓ ସହଯୋଗ ସହିତ ପୁତ୍ର ମନିତର ବି ମୋ ପଢ଼ାଲେଖା ପ୍ରତି ଆଗ୍ରହ ରହିଲା।
‘କାହିଁକି କବିତା ଲେଖିଲି’ର କିଛି ସନ୍ତୋଷଜନକ ଉତ୍ତର ମୋ ପାଖରେ ନାହିଁ। ପିଲାଦିନରୁ ମ଼ୁଁ ଖୁବ୍ ଚୁପ୍ଚାପ୍ ଓ ଭାବପ୍ରବଣ। ଛୋଟଛୋଟ ଅନୁଭବକୁ ନେଇ ଘାରିହୁଏ, ଉଦାସ ଓ ଅନ୍ୟମନସ୍କ ହୁଏ, କେଉଁଥିରେ ପୁଲକିତ ହୁଏ ତ କେବେ ପୀଡ଼ା ଭୋଗେ। ମୋର ଭାବାବେଗଜନିତ ଛଟପଟପଣରୁ ମୁକ୍ତି ପାଇବାକୁ ମୁଁ କବିତା ଲେଖେ। କବିତା ମୋ ପାଇଁ ସ୍ୱପ୍ନପ୍ରବପଣତା କି ବିଳାସପ୍ରବଣତା ନୁହେଁ, ବରଂ ଛେଚି ହୋଇହୋଇ ଆକାର ହେଉଥିବା ଏକ ଯଂତ୍ରଣା, ଏକ ପୀଡ଼ା, ଏକ ଅସହାୟତାବୋଧ। କବିତା ଲେଖିବା ମୋ ପାଇଁ ସଉକ୍ କି ବିଳାସ ନୁହେଁ,ଏକ ଜରୁରି ଆବଶ୍ୟକତା ଯାହା ଠିକ୍ ମୋ ନିଃଶ୍ୱାସପ୍ରଶ୍ୱାସ ଭଳି, ଯାହା ବିନା ମୁଁ ମୁର୍ଦ୍ଦାର, ଜଡ଼।
୨-ଆପଣ ଖବରକାଗଜରେ ସ୍ତମ୍ଭ ଓ ପ୍ରବନ୍ଧ ରଚନାରେ ବି ବେଶ୍ ପରିଚିତ। କବିତା ଲେଖୁଲେଖୁ ପୁଣି ସ୍ତମ୍ଭ ଓ ପ୍ରବନ୍ଧ ରଚନା ପ୍ରତି ମନ ବଳାଇଲେ କାହିଁକି?
ଉ : ସାମ୍ବାଦିକତା ପାଠ ପଢ଼ିଛି। ସାମ୍ବାଦିକତା ଓ ଲୋକସଂପର୍କରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ୱର୍ଣ୍ଣପଦକ ପାଇଥିଲି। କିଛି ବର୍ଷ ସାମ୍ବାଦିକ ଭାବେ ଚାକିରି ମଧ୍ୟ କରିଛି। ତେଣୁ ଆଜି ବି ମୋ ଭିତରେ କବି ବା ଲେଖକ ବ୍ୟତୀତ ସାମ୍ବାଦିକଟିଏ, ସଚେତନ ମଣିଷଟିଏ ଅଛି। କିଛି ଖବର ବା ସମସ୍ୟା ଯାହା ମତେ ଆନ୍ଦୋଳିତ, ଆଲୋଡ଼ିତ ବା ଆଚ୍ଛନ୍ନ କରେ, ମୋ ଭିତରେ ପ୍ରତିକ୍ରିୟା ଜାତ ହୁଏ। ଭାବ ପ୍ରକାଶ ପାଇଁ ଯେତେବେଳେ କବିତା କେବଳ ମାତ୍ର ମାଧ୍ୟମ ହୋଇନପାରେ (କାରଣ କବିତାର କାନଭାସ୍ ଖୁବ୍ ସୀମିତ), ସେତେବେଳେ ମୁଁ ମୋର ଭାବନାକୁ, ପ୍ରତିକ୍ରିୟାକୁ ସ୍ତମ୍ଭ ଓ ପ୍ରବନ୍ଧ ମାଧ୍ୟମରେ ବ୍ୟକ୍ତ କରିବାକୁ ସହଜ ମନେକରେ।
୩-ଓଡ଼ିଆ ସାହିତ୍ୟରେ ମଙ୍ଗ ଧରିଥିବା ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଆପଣ ଜଣେ। କବିତା ବ୍ୟତୀତ ଆପଣ ଗପ, ଉପନ୍ୟାସ, ଫିଚର ଓ ପ୍ରବନ୍ଧ ମଧ୍ୟ ଲେଖୁଛନ୍ତି। ତେବେ ସାହିତ୍ୟର ଏ ସମସ୍ତ ବିଭାଗ ମଧ୍ୟରୁ କେଉଁଥିରେ ଆପଣ ଅଧିକ ଆତ୍ମସନ୍ତୋଷ ପାଆନ୍ତି?
ଉ : ଦେଖନ୍ତୁ, ଯାହା ମୁଁ କବିତାରେ କହିପାରିଲି ନାହିଁ ଭାବେ, ତାହାକୁ ହୁଏତ ଗପ, ଉପନ୍ୟାସ, ଫିଚର, ସ୍ତମ୍ଭ ବା ପ୍ରବନ୍ଧରେ ବ୍ୟକ୍ତ କରେ। ତେବେ କବି ମାତ୍ରେଇ ଅସନ୍ତୁଷ୍ଟ ବ୍ୟକ୍ତିଟିଏ। ପ୍ରତିଥର ଲେଖିସାରିଲା ପରେ ଯାହା ଯେମିତି ଚାହିଁଥିଲି, ଲେଖିପାରି ନଥିବାର ଅସହାୟତାରେ ମୁଁ ଘାରି ହୁଏ। କିଛି କିଛି ଲେଖା ଲେଖିଲା ପରେ ମିଳୁଥିବା କିଛିଟା ଆତ୍ମସଂତୋଷ ଚାହୁଁଥିବା ଅନୁଯାୟୀ ଲେଖି ନପାରିବାର ଗ୍ଳାନି ତୁଳନାରେ ଏତେ ତୁଚ୍ଛ ଯେ ତାହାକୁ ଆତ୍ମସନ୍ତୋଷ କହିବା ନିରର୍ଥକ।
୪-ଆପଣଙ୍କ କବିତା ପୁସ୍ତକ “ଗାଁ” ପାଇଁ ଆପଣ ୨୦୧୧ ମସିହାରେ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଛନ୍ତି। ‘ଗାଁ’କୁ ନେଇ ଆପଣ କ’ଣ କହିବାକୁ ଚାହାନ୍ତି?
ଉ : “ଗାଁ” କବିତା ସଂକଳନଟି ସହିତ ମୋର ଗଭୀର ଆତ୍ମ-ସଂପୃକ୍ତି ରହିଛି। ଏଥିରେ ଥିବା ଚରିତ୍ରମାନେ ମିଛ ବା କଳ୍ପନାର ଚରିତ୍ର ନୁହନ୍ତି, ଅନେକ ଚରିତ୍ର ବାସ୍ତବ। ସେମାନେ ମତେ ଖୁବ୍ ପ୍ରଭାବିତ କରିଛନ୍ତି। ମୋ ପିଲାଦିନର ଗାଁ, ତାର ସରଳ ପରିବେଶ, ଲୋକମାନଙ୍କ ନିରୀହତା ଓ ନିଷ୍କପଟତା, ପୁଣି ସମୟକ୍ରମେ ବଦଳି ଯାଉଥିବା ଗାଁ- ଉଭୟ ମତେ ଆନ୍ଦୋଳିତ କରିଛନ୍ତି। ମୋହ, ମୋହଭଙ୍ଗ ଭିତରେ ମୁଁ କେଜାଣି କେତେ ଭିନ୍ନ ବାଗରେ ମୋ ଗାଁକୁ ଖୋଜିଛି, ପାଇଛି ପୁଣି ହରେଇଛି। ତେଣୁ କେବଳ ରୋମାଣ୍ଟିକ୍ ଭାବପ୍ରବଣତା ଭିତରେ ମୋ ଗାଁ ସୀମିତ ରହିଯାଇନି। ମୋ ହୃଦୟର ସ୍ପନ୍ଦନ ପାଲଟିଯାଇଛି।
“ଗାଁ” ପ୍ରତି ମୋର ଅନୁଭବକୁ ମୁଁ କୌଣସି ସମର୍ଥ ଭାଷାରେ ବ୍ୟକ୍ତ କରିପାରିବି ନାହିଁ। କବିତାଗୁଡ଼ିକ ଲେଖିଲାବେଳେ ମୁଁ ଏଭଳି ଭାବରେ ଆଚ୍ଛନ୍ନ ଥିଲି ଯେ ଗୋଟିଏ ଗୋଟିଏ ଦିନରେ ବହୁସଂଖ୍ୟକ କବିତା ଲେଖିପକେଇଥିଲି। ତେବେ କବିତାଗୁଡ଼ିକ ମୋର ଅଳ୍ପ ବୟସର ଲେଖା ହେଲେ ହେଁ ଆଜି ବି ସେଇ କବିତାଗୁଡ଼ିକ ପ୍ରତି ମୋର ଦୁର୍ବଳତା ଖୁବ୍ ବେଶୀ।
୫-୨୦୧୧ରେ ଆପଣ ପାଇଥିବା ଏହି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଆପଣଙ୍କୁ କିଭଳି ଆଗକୁ ଯିବାକୁ ପ୍ରେରଣା ଦେଇଛି?
ଉ : ଏଭଳି ଏକ ସ୍ୱତନ୍ତ୍ର ସ୍ୱୀକୃତିରେ ମୋର ଦାୟିତ୍ୱବୋଧ ଆହୁରି ବଢ଼ିଯାଇଛି। ପାଠକୀୟ ସ୍ୱୀକୃତି ଓ ଶ୍ରଦ୍ଧା କୌଣସି ପୁରସ୍କାରଠାରୁ ଯଦିଓ ଊଦ୍ଧ୍ୱର୍ରେ, ତଥାପି ଏଭଳି ଏକ ମର୍ଯ୍ୟାଦାଜନକ ପୁରସ୍କାର ମତେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସାହିତ୍ୟିକଙ୍କ ସହିତ ପରିଚିତ ହେବାର, ଭାବ ବିନିମୟ କରିବାର ସୁଯୋଗ ଦେଇଛି ଯାହା ଫଳରେ ମୋର ଚେତନାର, ଚିନ୍ତାର ପରିଧି ଆହୁରି ବ୍ୟାପକ ହୋଇଛି।
୬- “ରାଇଟର୍ସ-ଇନ୍-ରେସିଡେନ୍ସ” କାର୍ଯ୍ୟକ୍ରମ ଶୃଙ୍ଖଳାରେ ଭାରତର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କ ଅତିଥି ଭାବରେ ଆପଣ ୨୦୧୫ ମସିହାରେ ରାଷ୍ଟ୍ରପତି ଭବନରେ ୧୭ଦିନ ରହିବାର ସୁଯୋଗ ପାଇଥିଲେ। ଏହି ସମ୍ମାନ ପାଇବାରେ ଆପଣ ଏଯାବତ୍ ପ୍ରଥମ ଓ ଏକମାତ୍ର ଓଡ଼ିଆ ଲେଖକ। ସେ ଅନୁଭୂତି କିପରି?
ଉ : “ରାଇଟର୍ସ-ଇନ୍-ରେସିଡେନ୍ସ” କାର୍ଯ୍ୟକ୍ରମ ଶୃଙ୍ଖଳାରେ ସର୍ବଭାରତୀୟ ସ୍ତରରେ ମନୋନୀତ କରାଯାଇଥିବା ଦୁଇଜଣ ଲେଖକଙ୍କ ମଧ୍ୟରେ ମୁଁ ଜଣେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ୧୭ଦିନ ରହିବାର ସୁଯୋଗ ପାଇଥିଲି। ମୋର ସମସ୍ତ ପ୍ରକାଶିତ ପୁସ୍ତକ, ପୁରସ୍କାର ଓ ସମ୍ମାନ, ସ୍ୱର୍ଣ୍ଣପଦକ, ଟ୍ରଫି, ସାକ୍ଷାତକାର ଇତ୍ୟାଦି ରାଷ୍ଟ୍ରପତି ଭବନର ସେରିମୋନିଆଲ ହଲ୍ଠାରେ ୧୫ଦିନ ବ୍ୟାପୀ ପ୍ରଦର୍ଶିତ ହୋଇଥିଲା। ଏହାକୁ ଦେଖିବାପାଇଁ ଭାରତ ସରକାରଙ୍କ ବହୁ ମନ୍ତ୍ରୀ, ସାଂସଦ, ପଦାଧିକାରୀ, ପ୍ରସିଦ୍ଧ ସାହିତ୍ୟିକ ଓ ଦିଲ୍ଲୀର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କ ସହିତ ସାହିତ୍ୟ ଓ ସାଂପ୍ରତିକ ସ୍ଥିତିଠୁ ନେଇ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଅନେକବାର ଆଳାପ ଆଲୋଚନା ମଧ୍ୟ ହୋଇଥିଲା। ରାଷ୍ଟ୍ରପତି ଭବନରେ ଆୟୋଜିତ ସମସ୍ତ ବର୍ଣ୍ଣାଢ଼୍ୟ ଉତ୍ସବରେ ଆମକୁ ସାମିଲ୍ କରାଯାଉଥିଲା। ସର୍ବୋପରି ରାଷ୍ଟ୍ରପତିଙ୍କ ଅତିଥି ଭାବରେ ଖୁବ୍ ସମ୍ମାନ ଓ ଆତିଥ୍ୟ ମିଳିଥିଲା। ବିଶେଷକରି ରାଷ୍ଟ୍ରପତି ଭବନକୁ ଓ ଏହାର କାର୍ଯ୍ୟକଳାପକୁ ଅତି ନିକଟରୁ ଦେଖିବାର, ଜାଣିବାର ସୁଯୋଗ ମିଳିଥିଲା। ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ହମିଦ୍ ଅନସାରୀ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ତତ୍କାଳୀନ ରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ମନୋହର ପାରିକରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିିି ମୋର ଲିଖିତ ପୁସ୍ତକ ଓ ପାଇଥିବା ପୁରସ୍କାରର ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏପରି ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମତେ ମିଳିଥିଲା। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍ କଲାମ୍ ଆମକୁ ତାଙ୍କ ବାସଭବନ ୧୦, ରାଜାଜୀ ମାର୍ଗକୁ ନିମନ୍ତ୍ରଣ କରିଥିଲେ ଓ ତତ୍କାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ, ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ ଶର୍ମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା ହୋଇଥିଲା। ଏତଦ୍ବ୍ୟତୀତ ସାହିତ୍ୟିକ ବିକ୍ରମ ସେଠ୍, କେଦାରନାଥ ସିଂ ପ୍ରଭୃତି ଅନେକ ପ୍ରସିଦ୍ଧ ସାହିତ୍ୟିକଙ୍କ ସହ ମଧ୍ୟ ଭାବ ବିନିମୟ ହୋଇଥିଲା। ଦିଲ୍ଲୀର ଅନେକ ବ୍ୟକ୍ତିଙ୍କୁ ସାକ୍ଷାତ କରିବା ସହିତ ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱ ଥିବା ଅନେକ ସ୍ଥାନ ବୁଲି ଦେଖିଥିଲୁ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗ ଦେବାକୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା। ମୋଭଳି ଜଣେ ସାଧାରଣ ସ୍ତ୍ରୀଲୋକ ଏକ ଅନାମଧେୟ ଗାଁରୁ ଆସି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଅତିଥି ଭାବରେ ଅବସ୍ଥାନ କରିବା ଓ ଏଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଭାବ ବିନିମୟ କରିବା, ଅନେକ କିଛି ଜାଣିବା ନିଶ୍ଚୟ ଏକ ନିଆରା ଅନୁଭୂତି।
୭-ଜାତୀୟ ସ୍ତରରେ ଓଡ଼ିଆ କବିତାର ସ୍ଥିତି କିପରି?
ଉତ୍ତର: ସଂପ୍ରତି ଅନ୍ୟାନ୍ୟ ଭାରତୀୟ ଭାଷାର କବିତା ତୁଳନାରେ ଆମ ଓଡ଼ିଆ ଭାଷାରେ ଖୁବ୍ ଉଚ୍ଚକୋଟୀର କବିତା ଲେଖାଯାଉଛି, ଏହା ନିଃସନ୍ଦେହ। ଜାତୀୟ ସ୍ତରରେ ଓଡ଼ିଆ କବିତାର ସ୍ଥାନ ସ୍ୱତନ୍ତ୍ର।
୮-ଓଡ଼ିଆ କବିତାର ହିନ୍ଦୀ କି ଇଂରାଜୀ ଅନୁବାଦ ବହୁଳ ନ ହେବାର କାରଣ କ’ଣ? ଅନୁବାଦ ଦ୍ୱାରା କ’ଣ ଲାଭ ହେବ ବୋଲି ଭାବୁଛନ୍ତି?
ଉତ୍ତର: ସାହିତ୍ୟର ଅନ୍ୟାନ୍ୟ ବିଭାଗ ତୁଳନାରେ କବିତାର ଅନୁବାଦ କଷ୍ଟସାଧ୍ୟ ନିଶ୍ଚୟ। ତେବେ ଯେଉଁ ଅଳ୍ପ କିଛି ଓଡ଼ିଆ କବିତା ହିନ୍ଦୀ ବା ଇଂରାଜୀକୁ ଅନୁବାଦ ହେଉଛି, ତାହା ନଗଣ୍ୟ। କେବଳ ବରିଷ୍ଠ ଓ ପ୍ରସିଦ୍ଧି ପାଇଥିବା କବିଙ୍କ କବିତା ଯାହା କିଛି ଅନୁବାଦ ମାଧ୍ୟମରେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ ପହଞ୍ôଚ ପାରୁଛି ଏବଂ ସେହିସବୁ କବିତାର ଅନୁବାଦ ନିଜେ କବିଙ୍କ ପ୍ରୟାସରେ ହେଉଛି। ମାତ୍ର ସଂପ୍ରତି ବହୁ କମ୍ ବୟସର କବି ମଧ୍ୟ ଖୁବ୍ ଉଚ୍ଚକୋଟୀର କବିତା ଲେଖୁଛନ୍ତି। ଆହୁରି ମଧ୍ୟ ଅନେକ ଭଲ କବିତା ଅନୁବାଦକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି ବା ନିଜସ୍ୱ ଆଗ୍ରହ ଅଭାବରୁ ତାହା ଗୋଟିଏ ବଡ଼ ପ୍ଲାଟଫର୍ମରେ ପହଞ୍ôଚ ପାରୁନାହିଁ। ଆମର ଓଡ଼ିଆରେ ଅନେକ ଉଚ୍ଚକୋଟୀର ଲେଖା ଅଛି, ଯାହା ଅନୁବାଦ ହେବା ଜରୁରୀ। ଏଥିପାଇଁ କେବଳ ବ୍ୟକ୍ତିଗତ ସ୍ତରରେ ନୁହେଁ, ସରକାରୀ ସ୍ତରରେ ବି କିଛିଟା ପଦକ୍ଷେପ ନିଆଯିବା ଜରୁରୀ। ଓଡ଼ିଆ ସାହିତ୍ୟର ଉତ୍କୃଷ୍ଟ ଲେଖାସବୁ ଅନୁବାଦ ହେବାଦ୍ୱାରା ଆମ ଭାଷାର ସାହିତ୍ୟ ବିଶ୍ୱସ୍ତରରେ ପହଞ୍ôଚପାରିବ।
୯-କବିତାର ଦୁର୍ବୋଧ୍ୟତା ସମ୍ପର୍କରେ ଆପଣଙ୍କ ମତ କ’ଣ?
ଉତ୍ତର: କବିତା ଭାଷାଗତ କଳା ମଧ୍ୟରେ ଅଧିକ ସୂକ୍ଷ୍ମ ଓ ସୂଚନାତ୍ମକ। ଏହାକୁ ବୁଝିବାପାଇଁ, ଆଲୋଚନା କରିବାପାଇଁ ଉଭୟ କବି ଓ ପାଠକ ବା ବକ୍ତା ଓ ଶ୍ରୋତାଙ୍କର କବିତା ପ୍ରତି ଆଗ୍ରହ ଓ ଉଦାର ଦୃଷ୍ଟିଭଙ୍ଗୀ ରହିବା ଜରୁରୀ। ସବୁ ସମୟରେ କବିତାର ଗୋଟିଏ ନିର୍ଦ୍ଦିଷ୍ଟ ପାଠକଗୋଷ୍ଠୀ ଥାଆନ୍ତି। ଆଗରୁ ଥିଲେ, ଭବିଷ୍ୟତରେ ରହିବେ ମଧ୍ୟ। ଯେମିତି ତାମିଲ, ତେଲୁଗୁ କି ଫରାସୀ ଭାଷା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ବୁଝିପାରନ୍ତି, କହିପାରନ୍ତି, ସେମିତି କେବଳ କିଛି ନିର୍ଦ୍ଦିଷ୍ଟ ପାଠକ ହିଁ କବିତାକୁ କବିତାଭଳି ବୁଝିପାରନ୍ତି। ତାର ମଞ୍ଜ ଛୁଇଁପାରନ୍ତି। କବିତା ଚିରକାଳ ସତ୍ୟକୁ ଉହ୍ୟ ବା ଗୋପନ ରଖେ ଓ ତାକୁ ଆବିଷ୍କାର କରିବାକୁ ପାଠକକୁ ଉତ୍ସାହିତ କରେ। ଯେଉଁ ପାଠକ କବିତାରୁ ସିଧାସଳଖ ଅର୍ଥ ପାଇଯିବାକୁ ଚେଷ୍ଟା କରେ, ସେ ପାଠକ ଅଧିକାଂଶସ୍ଥଳେ ନିରାଶ ହିଁ ହୋଇଥାଏ। ତେଣୁ କବିତା ଦୁର୍ବୋଧ୍ୟ ବୋଲି ଧରିନିଆଯାଏ। ଏ ଅଭିଯୋଗ ସବୁକାଳେ ଥିଲା। ଏ ନେଇ ବ୍ୟସ୍ତ ହେବାର କିଛି ନାହିଁ।
୧୦- ଭାଷା ବ୍ୟବହାରରେ ଆପଣଙ୍କ ଦୃଷ୍ଟିଭଙ୍ଗୀର ସ୍ୱାତନ୍ତ୍ର୍ୟ କ’ଣ?
ଉତ୍ତର: ମୋର ଭାଷା ସାଧାରଣ ମଣିଷର ଭାଷା। ଦୃଷ୍ଟିଭଙ୍ଗୀର ସ୍ୱାତନ୍ତ୍ର୍ୟ ଏହି ଯେ ଯେଉଁ ବିଷୟ ଦୈନନ୍ଦିନ ଜୀବନରେ ଉପେକ୍ଷିତ, ଯାହା ଆମକୁ ଅତ୍ୟନ୍ତ ନଗଣ୍ୟ ଓ ମାମୁଲି ପ୍ରତେ ହୁଏ, ତାହାହିଁ ମୋର କବିତା ପାଲଟିଯାଏ। ମୋର କବିତା ହୁଏତ କାହାଣୀଭଳି ଲାଗିପାରେ। ତେବେ କଳ୍ପନା ଉପରେ ଏକାଧିପତ୍ୟ ବିସ୍ତାର ନକରି ରୋକଠୋକ୍ କହିବାର ଶୈଳୀ ଓ ନିତିଦିନିଆ ବ୍ୟବହୃତ ଭାଷା ମୋ କବିତାରେ ଦେଖିବାକୁ ମିଳେ। ଯଦିଓ ମୋର ଦୁଃଖକୁ, କ୍ଷୋଭକୁ, ଅବସୋସକୁ ପ୍ରାଞ୍ଜଳ ଓ ମାର୍ମିକ ଭାବରେ ରୂପ ଦେଇଥାଏ କବିତାରେ, ତେବେ ମୋର ଅଭିବ୍ୟକ୍ତି କବିତା ନୁହଁ। କାରଣ କବିତାର ସ୍ୱତଃସ୍ଫୂର୍ତ୍ତ ଆବେଗ ଟିକକ ଉପଯୁକ୍ତ ଓ ସମର୍ଥ ଭାଷା ପ୍ରୟୋଗ ମାଧ୍ୟମରେ ବଞ୍ଚାଇ ରଖିବାକୁ ପଡ଼ିଥାଏ।
୧୧-କବିତାରେ ମତବାଦ ବା ଇଜମ୍କୁ କିଭଳି ଦୃଷ୍ଟିରେ ଦେଖନ୍ତି?
ଉତ୍ତର: ମୁଁ କୌଣସି ‘ବାଦ’ରେ ବିଶ୍ୱାସ କରେନି ବା ମୁଁ କୌଣସି “ବାଦ”ର ବଶବର୍ତ୍ତୀହୋଇ କବିତା ଲେଖେନାହିଁ। ମୁଁ କ’ଣ କୌଣସି ସତ୍ କବି କେବେ କୌଣସି ମତବାଦର ବଶବର୍ତ୍ତୀ ହୋଇ କବିତା ଲେଖେନାହିଁ ବୋଲି ମୋର ଧାରଣା। କୌଣସି ସତ୍ କବି କବିତାଟିଏ ଲେଖିବା ପୂର୍ବରୁ କୌଣସି ପ୍ରାକ୍ ପ୍ରସ୍ତୁତି ବା ପୂର୍ବରୁ ଯୋଜନା କରି କବିତା ଲେଖେନାହିଁ, ଅନ୍ତତଃ ମୁଁ ଲେଖେନାହିଁ। ହଁ, କବିତାଟି ଲେଖାସରିଲା ପରେ ହୁଏତ ତାହା କୌଣସି ‘ବାଦ’ର ପର୍ଯ୍ୟାୟଭୁକ୍ତ ହୋଇଯାଇପାରେ। ମୋ ମତରେ କବିତାରେ କୌଣସି ‘ମତବାଦ’ ବା ଇଜମ୍ ରହିବା ଉଚିତ୍ ନୁହେଁ।
୧୨- ଆପଣଙ୍କର ଅନେକ ଲେଖାରେ ନାରୀ ଚେତନାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାର ଦେଖିବାକୁ ମିଳେ। ଏମିତି ବି କୁହାଯାଏ ଯେ ଆପଣ ଜଣେ ବାମାବାଦୀ ଲେଖିକା। କ’ଣ କହିବେ?
ଉତ୍ତର: କବିତା ଲେଖିଲାବେଳେ ମୁଁ ନିଜକୁ ନାରୀ ବା ପୁରୁଷ ଭାବି କବିତା ଲେଖେନି। ଯେତେବେଳେ ମତେ ଯେଉଁ ଭାବ ଯେପରି, ଯେଉଁ ମାତ୍ରାରେ ଆଚ୍ଛନ୍ନ କରେ କବିତା ଛାଁ ଉତୁରି ଆସେ। ସ୍ୱତଃସ୍ଫୂର୍ତ୍ତ ହୁଏତ ନାରୀଟିଏ ହୋଇଥିବାରୁ ନାରୀର ଯନ୍ତ୍ରଣାକୁ ବେଶୀ ବୁଝିିପାରେ, ମାତ୍ର ଲେଖିଲାବେଳେ ମୁଁ କବି-ମଣିଷଟିଏ। ସତ କହିଲେ ଏଇ ବାମାବାଦୀ ଶବ୍ଦଟିକୁ ମୁଁ ଆଜିଯାଏ ବୁଝିପାରିନାହିଁ। “ନାରୀ” କ’ଣ ଜଣେ ମଣିଷ ନୁହେଁ? ମୋ ମତରେ ପୁରୁଷ ଭଳି ନାରୀ ବି ଜଣେ ମଣିଷ । ଅନ୍ୟ ଅନେକ ମଣିଷ ଯେମିତିକି ଦଳିତ, ଅସହାୟ, ନିଷ୍ପେଷିତ, ବିସ୍ଥାପିତ ଇତ୍ୟାଦିଙ୍କ ଭଳି ମୁଁ ନାରୀର ଦୁର୍ଦ୍ଦଶା କଥା ବି କହୁଛି, ତେବେ ମତେ ମାନବବାଦୀ କୁହାନଯାଇ ବାମାବାଦୀ କୁହାଯିବ କାହିଁକି? ସାମାଜିକ / ରାଜନୈତିକ/ ଅର୍ଥନୈତିକ ସମସ୍ୟା, ମିଥ୍, ଧର୍ମ, ବିସ୍ଥାପନ, ବ୍ୟବସ୍ଥା ବିରୋଧ ଇତ୍ୟାଦି ବିଷୟରେ ମୋର ଅନେକ କବିତା ଅଛି। ହଁ, ଏୟା ହୋଇପାରେ ଯେ ନିଜେ ଜଣେ ନାରୀ ହୋଇଥିବାରୁ ନାରୀର ହର୍ଷ, ବିଷାଦ, ଯନ୍ତ୍ରଣା, ଦୁର୍ଦ୍ଦଶା କିଛି ଅଧିକ ଜୀବନ୍ତ ଭାବରେ ମୋ କବିତାରେ ଆସିଛି। ଯେଉଁଠି ନାରୀଟିଏ ଅପମାନିତା / ଅତ୍ୟାଚାରିତା / ନିର୍ଯାତିତା / ଲୁଣ୍ଠିତା / ଧର୍ଷିତା ହୋଇଛି ସେଠାରେ ସବୁବେଳେ ମୁଁ କେଜାଣି କାହିଁକି ଦୁଃଖରେ ଆକ୍ରାନ୍ତ ହୋଇଛି, କ୍ଷୋଭରେ ଫାଟିପଡ଼ିଛି, କ୍ରୋଧରେ ଜଳିଛି। ସେଇ ଦୁଃଖ,କ୍ଷୋଭ,କ୍ରୋଧରୁ ଉତୁରିଆସିଥିବା କବିତା ହୁଏତ ମୋର ଅନ୍ୟ କବିତାମାନଙ୍କ ତୁଳନାରେ ଅଧିକ ଚର୍ଚ୍ଚିତ ହୋଇଛି।
୧୩-ଆପଣ କବିତାରେ ଆଉ କ’ଣ ସବୁ କହିବାକୁ ଚାହାନ୍ତି?
ଉ : ମୋ କବିତା ବାସ୍ତବତା ସହିତ ଅଧିକ ଆତ୍ମିକ। ଏହାର ଅନେକ କାରଣ ରହିଛି। ଆମର ସାମାଜିକ ବ୍ୟବସ୍ଥା ଦିନକୁ ଦିନ ପରିବର୍ତ୍ତିତ ହେବାରେ ଲାଗିଛି। ଅର୍ଥନୈତିକ ସମୃଦ୍ଧି ଆଣିବାପାଇଁ ମଣିଷ ଦିନକୁଦିନ ଅଧିକ ଚାପ, ଅଧିକ ଅସ୍ଥିରତା, ଅଧିକ ଆତଙ୍କ, ଅଧିକ ସ୍ୱପ୍ନର ଶିକାର ହେଉଛି। ସେଇ ଧାଡ଼ିରେ ଅନ୍ୟ ସବୁ ମଣିଷଙ୍କ ଭଳି ଛିଡ଼ାହୋଇଛି ମୋଭଳି କବି-ମଣିଷଟି। ନିଜର ପ୍ରତିବାଦ ବ୍ୟକ୍ତ କରୁଛି। କବିତାରେ ନିଜର ଅସନ୍ତୋଷ, ପ୍ରତିବାଦ ବ୍ୟକ୍ତ କରିବା ଆଜିର ତରୁଣ କବି-ମଣିଷଟି ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି। ଅଥଚ ସେ ବନ୍ଧୁକ ଧରୁନାହିଁ, ରାଜରାସ୍ତାରେ ଶୋଭାଯାତ୍ରାରେ ସାମିଲ ହୋଇପାରୁନାହିଁ, ସ୍ଳୋଗାନ୍ ଦେଇପାରୁନାହିଁ, କି ଆଉ ଗୋଟିଏ ଦୁଃଖୀ ମଣିଷ ପାଖରେ ଛିଡ଼ାହୋଇ ତାର ଲୁହ ପୋଛିପାରୁନାହିଁ-ମୋ କବିତା କେବଳ ତା’ ସପକ୍ଷରେ ଛିଡ଼ାହେଉଛି, ଦୁଃଖର, ଲଢ଼େଇର ସପକ୍ଷରେ।
୧୪- ଆପଣ କ’ଣ ଭାବୁଛନ୍ତି କବିତା ସମାଜକୁ ବଦଳେଇ ଦେଇ ପାରିବ?
ଉ : ନା, କବିତା ସମାଜକୁ ବଦଳେଇବାର ସ୍ପର୍ଦ୍ଧା କରେନାହିଁ। କି ସମସ୍ୟା ସମାଧାନ କରିବା କବିର କାମ ନୁହେଁ। ଏହା କିଛି ପାଠକଙ୍କର ମାନସିକତାକୁ ଚହଲେଇ ଦେଇପାରେ, କିଛି ମାତ୍ରାରେ ପରିବର୍ତ୍ତନ ପାଇଁ ଖୋରାକ୍ ଯୋଗାଇପାରେ ବା ପ୍ରଭାବିତ କରିପାରେ। କବିତା କେବଳ ପାଠକକୁ କିଛିକ୍ଷଣ ନିଜର ଅନୁମାନ ଓ କଳ୍ପନା ସହିତ ଏକାକୀ ଛାଡ଼ିଦେଇ ଟିକିଏ ଚମକେଇ ଦିଏ, ତା’ ଅନୁଭବ ଓ ଜ୍ଞାନର ଯାବତୀୟ ସମ୍ଭାବ୍ୟ ଦ୍ୱାର ଖୋଲିଦଉଥାଏ। କୌଣସି ଯୁଦ୍ଧ, ସାଂପ୍ରଦାୟିକତା, ସନ୍ତ୍ରାସ, ସାମାଜିକ ଓ ରାଜନୈତିକ ଅସ୍ଥିରତା, କୁସଂସ୍କାର, ବା ମଣିଷର ପୈଶାଚିକ ପ୍ରବୃତ୍ତିକୁ ପରାହତ କରିବାର କାମ ବି କବିତାର ନୁହେଁ। କବିତାର କାମ ହେଲା ପୃଥିବୀକୁ ନୂଆକରି ଦେଖିବାର ଭାବନା ଉଦୟ କରିବା।
୧୫-ଆପଣ “ଅନ୍ୟା” ନାମରେ ଏକ ପତ୍ରିକା ବି ସଂପାଦନା କରୁଛନ୍ତି। କୁହନ୍ତୁ ସଂପାଦନା ପାଇଁ କେଉଁ ପ୍ରକାର ପ୍ରତିବନ୍ଧକକୁ ସାମ୍ନା କରିଛନ୍ତି?
ଉ : ବୟସ, ପ୍ରତିଷ୍ଠା ଓ ପ୍ରଭାବ ନିର୍ବିଶେଷରେ ଭଲ ଓ ନିରୁତା ସାହିତ୍ୟ ପ୍ରକାଶ କରିବାର ଲକ୍ଷ୍ୟ ନେଇ ହିଁ “ଅନ୍ୟା”ର ଜନ୍ମ। ତେବେ ଏଇ ‘ଭଲ’ର ସଂଜ୍ଞା ବ୍ୟକ୍ତିବିଶେଷରେ ଭିନ୍ନ ହୋଇପାରେ, ମାତ୍ର ଭଲ / ନିରୁତା ସାହିତ୍ୟ ସର୍ବକାଳୀନ ଓ ଏହା ଯେକୌଣସି ରୁଚିଶୀଳ ପାଠକର ମନକୁ ଛୁଇଁପାରେ। ତେଣୁ ସୁସ୍ଥ ଓ ରୁଚିଶୀଳ ସାହିତ୍ୟ ମାଧ୍ୟମରେ ଏକ ବୃହତ୍ତର ପାଠକଗୋଷ୍ଠୀ ସୃଷ୍ଟିକରି ଓଡ଼ିଆ ସାହିତ୍ୟର ସମୃଦ୍ଧି ଦିଗରେ ଯତ୍ନବାନ୍ ହେବାକୁ ନିଜର ପ୍ରୟାସ ଅବ୍ୟାହତ ରଖିବା “ଅନ୍ୟା”ର ଲକ୍ଷ୍ୟ ଓ ଆଭିମୁଖ୍ୟ। “ଅନ୍ୟା” ପ୍ରତି ଲେଖକ ଓ ପାଠକଙ୍କର ନିରବଚ୍ଛିନ୍ନ ଆଗ୍ରହ, ଆସ୍ଥା ଓ ଅପେକ୍ଷା ଯୋଗୁଁ ପତ୍ରିକାଟିଏ ପ୍ରକାଶନ କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକକୁ ସାମ୍ନା କରିବାର ସାହସ ମୋ ଭିତରେ ଜନ୍ମିଛି।
ତେବେ ପତ୍ରିକା ପ୍ରକାଶନ କ୍ଷେତ୍ରରେ ‘ବିଜ୍ଞାପନ’ର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଭଲ ପତ୍ରିକାଟିଏ ପ୍ରକାଶ କରିବାପାଇଁ ଅର୍ଥର ଆବଶ୍ୟକତା ରହିଛି। ବର୍ତ୍ତମାନର ପାଠକ ଭଲ ଲେଖା ସହିତ ପତ୍ରିକାର ମୁଦ୍ରଣ ଓ ପରିପାଟୀ ପ୍ରତି ବି ଗୁରୁତ୍ୱ ଦେଉଛନ୍ତି। ତେଣୁ ସେଥିପାଇଁ ଅର୍ଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାପନ ନ ମିଳିଲେ ନିଜ ହାତରୁ ଅର୍ଥ ଖର୍ଚ୍ଚକରି ଦୀର୍ଘ ସମୟ ଧରି ପତ୍ରିକା ପ୍ରକାଶ କରିବା ସମ୍ଭବପର ନୁହେଁ।
୧୬-ସାରସ୍ୱତ ଜଗତର କେଉଁ ସ୍ରଷ୍ଟା ଆପଣଙ୍କୁ ବିଶେଷ ପ୍ରଭାବିତ କରିଛନ୍ତି ଏବଂ କେଉଁ ସୃଷ୍ଟି ଆପଣଙ୍କୁ ଆନ୍ଦୋଳିତ କରିଛି, ସେ ବିଷୟରେ କହିବେ?
ଉତ୍ତର-କୌଣସି ନିର୍ଦ୍ଦିଷ୍ଟ ସ୍ରଷ୍ଟାଙ୍କ କୃତି ଅପେକ୍ଷା ମତେ ଅନେକ ସ୍ରଷ୍ଟାଙ୍କ ଲେଖା ପ୍ରଭାବିତ କରିଛି। କାହା କାହାର ଲେଖାର ଧାଡ଼ିଟିଏ, ଗୋଟିଏ ଶବ୍ଦ ବା କେଇଟି ଅକ୍ଷର ପାଖରେ ମୁଁ ଦିନଦିନଧରି ଅଟକି ଯାଇଛି, ଘାରି ହୋଇଛି। ସେ ସମସ୍ତ ସ୍ରଷ୍ଟାଙ୍କ ନିକଟରେ ମୁଁ ଋଣୀ।
୧୭-ଓଡ଼ିଆ ସାହିତ୍ୟକୁ ନେଇ ଆପଣଙ୍କ ଭିତରେ ସେମିତି କିଛି ଅବସୋସ ଅଛି କି?
ଉତ୍ତର: ନା। ଅବସୋସ ଆଦୌ ନାହିଁ। ଓଡ଼ିଆ ସାହିତ୍ୟ ଖୁବ୍ ସମୃଦ୍ଧ। ମୋ ଭାଷା, ମୋ ସାହିତ୍ୟକୁ ନେଇ ଖୁବ୍ ଗର୍ବ ମୋର।
୧୮-ଆପଣଙ୍କ ପିଢ଼ିର କବିମାନଙ୍କ ମାଧ୍ୟମରେ ଓଡ଼ିଆ କବିତାରେ ଗୋଟେ ନୂଆ ସ୍ୱର ଶୁଣାଯାଉଛି ବୋଲି କୁହାଯାଉଛି। ସେ ସ୍ୱରଟି କ’ଣ ଏବଂ ସେ କେଉଁ ଦୃଷ୍ଟିରୁ ନୂଆ ବୋଲି ଆପଣ ଭାବନ୍ତି?
ଉ : କବିତାରେ ବିଷୟବସ୍ତୁର ବିବିଧତା, ବୈଚାରିକ ସ୍ପଷ୍ଟତା, ପ୍ରତିବାଦ, ପ୍ରଶ୍ନାକୁଳତା, ନିଜ ସମୟର ସାକ୍ଷୀଭାବରେ ମୁକ୍ତ ଓ ଦାମ୍ଭିକ ଉଚ୍ଚାରଣ, ସ୍ୱଚ୍ଛ ଓ ସରଳ ଭାବପ୍ରବାହ ହିଁ ନୂଆପିଢ଼ିର ସ୍ୱରର ସ୍ୱାତନ୍ତ୍ର୍ୟ।
ନୂଆ ପିଢ଼ିର କବିତା ବାସ୍ତବତା ସହିତ ଅଧିକ ଆତ୍ମିକ। ପାରମ୍ପରିକ ଧାରା ଓ ଶୈଳୀର ଖଣ୍ଡନ, ଖୁବ୍ କମ୍ ମିଥ୍ର ପ୍ରୟୋଗ , ରହସ୍ୟମୟତା ଓ କ୍ଳିଷ୍ଟ ଶବ୍ଦ ପ୍ରୟୋଗରୁ ଆପାତତଃ ମୁକ୍ତ ଏବଂ ପୂବବର୍ତ୍ତୀ କାଳଠାରୁ ଅପେକ୍ଷାକୃତ ଅଧିକ ସ୍ପଷ୍ଟ ଓ ସରଳ। ଅଧିକାଂଶ କ୍ଷେତ୍ରରେ କବିତାଗୁଡ଼ିକ ସାଧାରଣ କଥା କହିଲାଭଳି। ତେଣୁ କବିତାଗୁଡ଼ିକ କେବଳ ବାହ୍ୟ ଦୃଷ୍ଟି ବା ପାଣ୍ଡିତ୍ୟର ଶବ୍ଦାଡ଼ମ୍ବର ନହୋଇ ନିଜେ ଭେଟିଥିବା, ଭୋଗିଥିବା ଅବା ନିଜର ଅନ୍ତର୍ଦୃଷ୍ଟି ଦ୍ୱାରା ଆହରିତ ସତ୍ୟର ନିଚ୍ଛକ ସାବଲୀଳ ପରିପ୍ରକାଶ। ଏଇ “ନୂଆପଣ”।
୧୯- ସାହିତ୍ୟକୁ ନେଇ ଆପଣଙ୍କର ଭବିଷ୍ୟତ ଯୋଜନା କ’ଣ?
ଉ : ମୁଁ ‘ଆଜି’ରେ ବିଶ୍ୱାସ କରେ। ଏଇ ମୁହୂର୍ତ୍ତର କଥା ଆର ମୁହୂର୍ତ୍ତକୁ ନଥାଏ। ତେଣୁ ମୋର ଭବିଷ୍ୟତ ଯୋଜନା (ଅନ୍ତତଃ ସାହିତ୍ୟକୁ ନେଇ) କିଛି ନଥାଏ।
୨୦- ଉତ୍ତର ପିଢ଼ିକୁ ଏମିତି କିଛି କହିବାକୁ ଅଛି କି ଯାହା କହିବାକୁ ଇଚ୍ଛା କରୁଥିବେ କିନ୍ତୁ ନିରବ ରହିବାକୁ ଶ୍ରେୟ ମଣୁଥିବେ।
ଉ : ପ୍ରତ୍ୟେକ ଲେଖକ / କବି ନିଜ ରାସ୍ତା ନିଜେ ଗଢ଼େ। ଏଥିପାଇଁ ଏକାଗ୍ର ସାଧନା ଜରୁରୀ। ତା’ସହିତ ପ୍ରଚୁର ତଲ୍ଲୀନତା, ନିଜର ମାତୃଭାଷା ଓ ସାହିତ୍ୟର ପରମ୍ପରା ସହିତ ଗଭୀର ସଂପୃୃକ୍ତି, ପୂର୍ବସୂରୀଙ୍କ ପ୍ରତି ସମ୍ମାନବୋଧ, ସମକାଳୀନ କବି /ଲେଖକଙ୍କ ପ୍ରତି ସହୃଦୟତା ରହିବା ସହିତ ନିଜର ସୃଜନଶୀଳତା ନିକଟରେ ସତ୍ ଓ ନିଷ୍ଠାପର ହେବା ଆବଶ୍ୟକ।
୨୧- ଆପଣଙ୍କ ପ୍ରଥମ ଲେଖା କ’ଣ ଓ ପ୍ରକାଶ ପାଇବା ଦିନର ଅନୁଭୂତି?
ଉତ୍ତର- ପ୍ରକୃତରେ ମୋର ପ୍ରଥମ ଲେଖାଟି ମୁଁ ଷଷ୍ଠ ଶ୍ରେଣୀରେ ପଢ଼ିଲାବେଳେ ଆଉ ଜଣକ ନାଁରେ ‘ମନପବନ’ ପତ୍ରିକାରେ “ଗଣେଶ ପୂଜା” ଶୀର୍ଷକରେ ପ୍ରକାଶ ପାଇଥିଲା। ମୋ କବିତାଟି କିଏ ସମ୍ଭବତଃ କପି କରିନେଇ ତା’ ନାଁରେ ବାହାର କରିଥିଲା। କାରଣ ମୁଁ କବିତାଟି ଲେଖିଲା ପରେ ମୋ ଅଙ୍କଖାତାରୁ କାଗଜ ଚିରି ମୋ ଶ୍ରେଣୀର ସବୁ ପିଲାଙ୍କୁ ବାଣ୍ଟି ଦେଇଥିଲି। ସେଦିନ ସେଇଟି ମୋ କବିତା ବୋଲି କେହି ବିଶ୍ୱାସ ତ କଲେନି ବରଂ ପରିହାସ କଲେ। ମତେ ଭାରି ବାଧିଥିଲା ସେଦିନ। ତେବେ ମୋ ନାଁରେ ବାହାରିଥିବା ମୋର ପ୍ରଥମ ଲେଖା ହେଉଛି ‘ଚାଚା, ଆଉଥରେ ଆସ’ ଯାହାକି ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ‘ଶିଶୁଫଉଜ’ ପତ୍ରିକାରେ ବାହାରିଥିଲା ଓ ସେହି କବିତାଟି ପାଇଁ ମୁଁ ସମ୍ମାନିତ ହୋଇଥିଲି ମଧ୍ୟ। ପୁରସ୍କାରରେ ଅନେକ ବହି ମିଳିଥିଲା ଯାହା ମତେ ଖୁସି ଆଣି ଦେଇଥିଲା ଓ ମୋର ମନୋବଳ ବଢ଼ାଇଥିଲା।
ମୋର ପ୍ରଥମ ପାଣ୍ଡୁଲିପିଟି(ଅସ୍ପଷ୍ଟ ଈଶ୍ୱର)ରାଜ୍ୟ ଯୁବ ପୁରସ୍କାର ପାଇଥିଲା ଯଦିଓ ସେଇଟି ବହି ଆକାରରେ ପ୍ରକାଶ ପାଇଲା ବେଳକୁ ମୋର ପ୍ରଥମ ବହି ଭାବରେ “ଆହତ ପ୍ରତିଶ୍ରୁତି” ‘ବିଦ୍ୟାପୁରୀ’ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇସାରିଥିଲା।
୨୨- ଆପଣ ଆଜି ଯେଉଁଠି ପହଞ୍ôଚଛନ୍ତି ସେଥିପାଇଁ କାହାର ପ୍ରେରଣା ରହିଛି?
ଉ : ମୋ ପରିବାରର ପ୍ରେରଣା ତ ନିଶ୍ଚୟ ରହିଛି। ତେବେ ମୋର ପ୍ରଥମ ପ୍ରେରଣା ମୋ ଜେଜେ, ଯିଏ ଜଣେ ଲେଖକ ଥିଲେ। ତାଛଡ଼ା ମୁଁ ଅସଂଖ୍ୟ ମଣିଷ, ଅନୁଭବ, ବସ୍ତୁ ନିକଟରେ ଋଣୀ କାରଣ କେତେବେଳେ କାହାଠୁ ମୁଁ କିଭଳି ପ୍ରେରଣା ପାଇଛି ତାହା ଉପଯୁକ୍ତ ଭାଷାରେ ବ୍ୟକ୍ତ କରିହେବନି। ଏମିତିକି ଯେଉଁମାନଙ୍କୁ ମୁଁ ଚିହ୍ନିନି ଅଥଚ ସେମାନେ ମତେ ବର୍ଷବର୍ଷଧରି ଆନ୍ଦୋଳିତ କରିଚାଲିଛନ୍ତି। ଅନେକ ସାହିତ୍ୟିକ, ଯେତେବେଳେ ଯାହା ଲେଖାରୁ ମୁଁ ପ୍ରେରଣା ପାଇଛି, ସମସ୍ତେ ମୋର ନମସ୍ୟ।
୨୩- ଆପଣଙ୍କ ସୃଜନ ଜୀବନ, ବ୍ୟକ୍ତିଗତ ଜୀବନ ସହିତ ସଂଶ୍ଳିଷ୍ଟ କି?
ଉ : ନିଶ୍ଚୟ। ଜଣେ କବିର ସୃଜନ ଜୀବନ ତା’ ବ୍ୟକ୍ତିଗତ ଜୀବନଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇନପାରେ। କାରଣ କବି ବି ସମାଜରେ ରହେ, ଯାହା ସମାଜର ସମସ୍ୟା, ତାହାକୁ କବି ଭୋଗେ, ସାମ୍ନା କରେ। ତେଣୁ ନିଜ ଲେଖାରେ ସେ ବଞ୍ଚୁୁଥିବା ସମାଜର, ସମୟର ପ୍ରତିଫଳନ ହେବା ସ୍ୱାଭାବିକ୍।
୨୪- କବିତାଟିଏ ଆପଣ କେମିତି ଆରମ୍ଭ କରନ୍ତି?
ଉ : ମୁଁ ନିଜେ ବି ଜାଣେନାହିଁ। ହଠାତ୍ ଧାଡ଼ିଟିଏ ବା ଦୁଇଧାଡ଼ି ମନକୁ ଆସିଯାଏ ବିନା ଯୋଜନା, ବିନା ପ୍ରସ୍ତୁତିରେ। ପରେପରେ ମନ ଅସ୍ଥିର ହୁଏ ଓ କିଛି ସମୟ ଏକାଗ୍ର ହୋଇପାରିଲେ ଧାଡ଼ି ପରେ ଧାଡ଼ି ଯେମିତି ପଛକୁ ପଛ ଖଂଜି ହୋଇଯାଏ। ଯଦି ସେଇ ପ୍ରଥମ ଧାଡ଼ିଟି କୌଣସି କାରଣବଶତଃ ମୁଁ ଲେଖିପାରେନି ତେବେ କବିତାଟି ଆଦୌ ଲେଖିହୁଏନା। କବିତା ଲେଖିବାପାଇଁ ମୁଁ କେବେ ମାର୍ଗ ଖୋଜି ଯାଇନି। ପ୍ରତିଥର ମାଧ୍ୟମ ପାଲଟିଯାଇଛି। ମୋର ବିଶ୍ୱାସ ମାର୍ଗ ଖୋଜିବସିଲେ ବା ଗଢ଼ିବସିଲେ କବିତା ଲେଖିହୁଏନା। ଅବଶ୍ୟ ଆତ୍ମ ଉପଲବ୍ଧିର ଅଭୀପ୍ସା ମତେ କବିତା ଲେଖାଇଛି କେବେକେବେ। ପ୍ରତୀକ ପ୍ରୟୋଗ କରିବା ଅପେକ୍ଷା ମୁଁ ଚାହିଁଛି ଦୃଶ୍ୟବୋଧ ବେଶୀ ରହୁ। ବାର୍ତ୍ତା ବା ସନ୍ଦେଶ ନରହୁ। ଉପସଂହାର ନ ରହୁ। କବିତା କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚରେ ନରହୁ। ତେବେ ଅନେକ ସମୟରେ କବିତା ନିଜେ ଯେମିତି ଗଢ଼ିହେଇଛି ତାକୁ ଇ ଅବଧାରିତ ବୋଲି ମାନିନବାକୁ ହେଇଛି। ଯେଉଁ ସତ୍ୟକୁ କବିତା ପ୍ରକଟ କରିବାକୁ ଚାହିଁଛି ତାକୁ କେବଳ ଗୋଟିଏ ସମର୍ଥ କାବ୍ୟଭାଷା, ଉପଯୁକ୍ତ ଶୈଳୀ ଦବାର ଚେଷ୍ଟା ମୁଁ ଅବଶ୍ୟ କରିଛି। ମୋର ସବୁବେଳେ ମନେ ହୋଇଛି କବିର କାମ ହେଲା ଶବ୍ଦ ସଜାଡ଼ିବା। ଧାଡ଼ିସବୁ ଆପେଆପେ ଲେଖି ହୋଇଯାଆନ୍ତି, କବିଟିଏ କେବଳ ଶବ୍ଦ ଅଦଳବଦଳ କରୁଥାଏ, କରିଚାଲିଥାଏ ଜୀବନଯାକ।
୨୫- ଆପଣଙ୍କ କବିତାରେ ଆପଣ ଜଣେ ବିଦ୍ରୋହୀ ନାରୀର ଭୂମିକାରେ ଥିବା ଲକ୍ଷ୍ୟ କରାଯାଏ। କାହିଁକି?
ଉତ୍ତର: ତେବେ ମୋର ଅନେକ କବିତାରେ ବିଦ୍ରୋହ ଥାଏ ସତ। କାରଣ ଅନ୍ୟାୟକୁ ଅନ୍ୟାୟ କହିଲାବେଳେ ମୁଁ ପଛଘୁଞ୍ଚା ଦିଏନି। ବ୍ୟକ୍ତିଗତ ଜୀବନରେ ବି ମୁଁ ଖୁବ୍ ସିଧା ଓ ରୋକ୍ଠୋକ୍। ମିଛ କହିପାରେନି କି ଅନ୍ୟାୟ ବରଦାସ୍ତ କରିପାରେନି। ଯେଡ଼େ ଛୋଟ ଘଟଣାଟିଏ ହେଉନା କାହିଁକି ଯଦି ତାହା ଠିକ୍ ନୁହେଁ ମୁଁ ନିଶ୍ଚୟ ପ୍ରତିବାଦ କରିଥାଏ। ଏଥିପାଇଁ ଥରେଥରେ ଖୁବ୍ ଅସୁବିଧାର ସମ୍ମୁଖୀନ ହୁଏ ମାତ୍ର ଆଜିପର୍ଯ୍ୟନ୍ତ ମୁଁ କେବେବି ବିବେକବିରୋଧୀ କାମ କରିପାରେ ନାହିଁ। ମୁଁ ଖୁବ୍ ସ୍ୱାଭିମାନୀ ବି। କାହାର ଅଯଥା ଆଦେଶ, ଅହଂ କି ଅନୁରୋଧ ମୋର ନିଷ୍ପତ୍ତି ନେବା କ୍ଷେତ୍ରରେ କେବେ କୌଣସି ପ୍ରଭାବ ପକାଇ ପାରେନାହିଁ। ନା କୌଣସି ଭୁଲ୍୍ କାମରେ ମୁଁ କାହାସହ ସାମିଲ୍ ହୁଏ/ସାଲିସ୍ କରେ।
ପ୍ରକାଶିତ ପୁସ୍ତକ :
କବିତା ସଂକଳନ
୧- ଆହତ ପ୍ରତିଶ୍ରୁତି: ପ୍ରକାଶକ- ବିଦ୍ୟାପୁରୀ, ପ୍ରକାଶ କାଳ-୨୦୦୧
୨- ଅସ୍ପଷ୍ଟ ଈଶ୍ୱର: ପ୍ରକାଶକ- ଓଡ଼ିଶା ସାହିତ୍ୟ ଏକାଡ଼େମୀ, ପ୍ରକାଶ କାଳ-୨୦୦୨(ରାଜ୍ୟ ଯୁବ ପୁରସ୍କାର- ୨୦୦୦ ପ୍ରାପ୍ତ)
୩- ଅଣାୟତ୍ତ: ପ୍ରକାଶକ- ଅପୂର୍ବା, ପ୍ରକାଶ କାଳ-୨୦୦୬
୪- ଗାଁ: ପ୍ରକାଶକ- ଟାଇମ୍ ପାସ୍, ପ୍ରକାଶ କାଳ- ୨୦୦୮,(କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରଥମ ଯୁବ ପୁରସ୍କାର- ୨୦୧୧ ପ୍ରାପ୍ତ) (ଦ୍ୱିତୀୟ ସଂସ୍କରଣ-୨୦୧୨)
୫- ଯେତିକି ଦିଶୁଚି ଆକାଶ- ପ୍ରକାଶକ-ଅନ୍ୟା, ପ୍ରକାଶ କାଳ-୨୦୧୧
୬- ଆଖି ନାଇଁ କାନ ନାଇଁ- ପ୍ରକାଶକ-ଅନ୍ୟା, ପ୍ରକାଶ କାଳ-୨୦୧୩
୭- ଏ ରାତିର ଯେତେ ତାରା- ପ୍ରକାଶକ-ଅନ୍ୟା, ପ୍ରକାଶ କାଳ-୨୦୧୪
୮- ବାଘ- ପ୍ରକାଶକ- ପକ୍ଷୀଘର, ପ୍ରକାଶ କାଳ- ୨୦୧୫
୯ – ଦୟାନଦୀ – ପ୍ରକାଶକ- ପକ୍ଷୀଘର, ପ୍ରକାଶ କାଳ- ୨୦୧୭
୧୦- ମହେଞ୍ଜୋଦାରୋ-ପ୍ରକାଶକ- ପକ୍ଷୀଘର, ପ୍ରକାଶ କାଳ-୨୦୧୮
୧୧- ନିର୍ବାଚିତ କବିତା-ବ୍ଲାକ୍ ଇଗଲ୍ ବୁୁକ୍ସ୍(ଆମେରିକା), ପ୍ରକାଶ କାଳ-୨୦୧୯
ଗଳ୍ପ ସଂକଳନ
୧- ବିସର୍ଜନ – ପ୍ରକାଶକ- ପକ୍ଷୀଘର, ପ୍ରକାଶ କାଳ- ୨୦୧୫
୨- ନିଜକୁ ନେଇ ସତ ଗପ – ପ୍ରକାଶକ- ପକ୍ଷୀଘର, ପ୍ରକାଶ କାଳ- ୨୦୧୯
ଉପନ୍ୟାସ
୧-ମମ୍ମି ଯାହା ଜାଣେ ନାହିଁ- ପ୍ରକାଶକ- ଟାଇମ୍ ପାସ୍, ପ୍ରକାଶ କାଳ-୨୦୧୬
ଉପନ୍ୟାସ(ଯନ୍ତ୍ରସ୍ଥ…)
୧ -ପୂର୍ବ ନିର୍ଦ୍ଧାରିତ, ୨ -ରିପୋର୍ଟର, ୩ -ରାସ୍ତା
ନିର୍ବାଚିତ କବିତାର ହିନ୍ଦୀ ଅନୁବାଦ
୧-ଧୂପ୍ କୋ ରଂଗ୍: ପ୍ରକାଶକ-ଜ୍ଞାନଯୁଗ, ପ୍ରକାଶ କାଳ- ୨୦୦୬
୨- ଖୋ ଜାତି ହୈ ଲଡ଼କିୟାଁ- ପ୍ରକାଶକ- ଆଲୋକ ପର୍ବ, ନୂଆଦିଲ୍ଲୀ, ପ୍ରକାଶ କାଳ- ୨୦୧୭
ନିର୍ବାଚିତ କବିତାର ଇଂରାଜୀ ଅନୁବାଦ
ଏକ୍ସବଦ୍ଭୟଜ୍ଞବ ବଦ୍ଭୟ କ୍ଟଗ୍ଧଷରକ୍ସ କ୍ଟ୍ରକ୍ଟରଜ୍ଞଗ୍ଦ: ଚଙ୍କଭକ୍ଷସଗ୍ଦଷରକ୍ସ-ଇଙ୍କଗ୍ଧଷକ୍ଟକ୍ସଗ୍ଦକ୍ଟ୍ରକ୍ସରଗ୍ଦଗ୍ଦ, ଘରଙ୍ଗଊରକ୍ଷଷସ, ଚଙ୍କଭକ୍ଷସମବଗ୍ଧସକ୍ଟଦ୍ଭ ଚ୍ଚରବକ୍ସ- ୨୦୧୮
ପୁରସ୍କାର ଓ ସମ୍ମାନ:
. କେନ୍ଦ୍ର ସାହିତ୍ୟ ଏକାଡ଼େମି ଯୁବ ପୁରସ୍କାର-୨୦୧୧
. ରାଜ୍ୟ ଯୁବ ପୁରସ୍କାର-୨୦୦୦
. କାଦମ୍ବିନୀ କବିତା ସମ୍ମାନ-୨୦୦୩
. ହାଜୀ ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା କବିତା ସମ୍ମାନ-୨୦୦୪(ଫକୀର ମୋହନ ସାହିତ୍ୟ ପରିଷଦ)
. ବସନ୍ତ ମୁଦୁଲି କବିତା ପୁରସ୍କାର- ୨୦୦୬
. ଲେଖାଲେଖି ଯୁବ କବି ପୁରସ୍କାର- ୨୦୦୭
. ଶାରଳା କାବ୍ୟ ସମ୍ମାନ-୨୦୧୦
. ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ-୨୦୧୦
. ମନ୍ଥନ ଯୁବ ସାହିତ୍ୟିକା ସମ୍ମାନ-୨୦୧୦
. ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର-୨୦୧୧
. ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ-୨୦୧୨
. ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ-୨୦୧୨
. ଇସ୍ତାହାର କବିତା ସମ୍ମାନ-୨୦୧୪
. ଦୀପକ ମିଶ୍ର କବିତା ସମ୍ମାନ-୨୦୧୫
. “ରାଇଟର୍ସ-ଇନ୍-ରେସିଡେନ୍ସ” ଆଟ୍ ରାଷ୍ଟ୍ରପତି ଭବନ-୨୦୧୫
. ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ଶ୍ରେଷ୍ଠ ବିବେଚିତ ଓ ପୁରସ୍କୃତ-୨୦୧୬
ସ୍ୱର୍ଣ୍ଣପଦକ :
. ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ସ୍ନାତକୋତ୍ତର ଡିଗ୍ରୀରେ ସର୍ବୋଚ୍ଚ ସ୍ଥାନ ଅଧିକୃତ କରିଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ
. ସାମ୍ବାଦିକତା ଓ ଲୋକ ସଂପର୍କରେ ଶ୍ରେଷ୍ଠତା ପାଇଁ ପବ୍ଲିକ୍ ରିଲେସନ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ସ୍ୱର୍ଣ୍ଣପଦକ