ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷ ନୂଆଦିଲ୍ଲୀରେ ପହଞ୍ଚଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭେଟି ଦୁଇଦେଶର କୂଟନୈତିକ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ସମ୍ଭାବନା ଅଛି। ଗତସପ୍ତାହରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀଲଙ୍କା ଯାତ୍ରା କରି ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷଙ୍କୁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତ ଆମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।
ଶ୍ରୀଲଙ୍କାରେ ଅବସ୍ଥାପିତ ସଂଖ୍ୟାଲଘୁ ତାମିଲ ସମୁଦାୟଙ୍କ ପ୍ରତି ସଦୟ ଦୃଷ୍ଟି ପକାଇବା ପାଇଁ ନବନିର୍ବାଚିତ ରାଷ୍ଟ୍ରପତି ଗୋତବାୟାଙ୍କୁ ମନାଇବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀଲଙ୍କାସ୍ଥିତ ତାମିଲ ପରିବାରଙ୍କ ସମାନତା, ନ୍ୟାୟ, ଶାନ୍ତି ଓ ସାମାଜିକ ମର୍ଯ୍ୟାଦାକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଉଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମୁଖପାତ୍ର ରବୀଶ କୁମାର ପ୍ରାକ୍ ସୂଚନା ପ୍ରଦାନ କରିଛନ୍ତି।
୨୦୦୯ରେ ଗୋତବାୟା ପ୍ରତିରକ୍ଷା ସଚିବ ଥିବା ସମୟରେ ତାମିଲ ବିଦ୍ରୋହୀ ସଂଗଠନ ‘ଏଲଟିଟିଇ’କୁ କଠୋର ହସ୍ତରେ ଦମନ କରିଥିଲେ। ଏଲ୍ଟିଟିଇ ନେତା ପ୍ରଭାକରନଙ୍କୁ ମାରିବା ପରେ ରକ୍ତମୁଖା ଶ୍ରୀଲଙ୍କା ସେନା ନିରୀହ ତାମିଲ ପରିବାରଙ୍କ ଉପରେ ଦାଉ ସାଧିଥିଲା। ଶ୍ରୀଲଙ୍କା ସେନାର ମାନବାଧିକାର ଉଲ୍ଲଂଘନ କାର୍ଯ୍ୟ ପଛରେ ଗୋତବାୟାଙ୍କୁ ଦାୟୀ କରାଯାଇଥିଲା। ତେବେ ସମୟ ସୁଅରେ ସେସବୁ ଅତୀତ ହୋଇଯାଇଛି। ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଭୟ ଶ୍ରୀଲଙ୍କା ଓ ଭାରତ ସରକାର ମିଳିତ ଭାବେ କାମ କରିବା ଉପରେ ରବୀଶ କୁମାର କହିଥିଲେ।
ସେ ପୁଣି କହିଥିଲେ ଯେ ଶ୍ରୀଲଙ୍କା ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଭାରତକୁ ତୃତୀୟ ପକ୍ଷର ସହାୟତା ଦରକାର ନାହିଁ। ଶ୍ରୀଲଙ୍କାର ଇଷ୍ଟର ଆତଙ୍କୀ ହମ୍ଲା ପ୍ରତି ଦୁଃଖପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଗସ୍ତ କରି ଆତଙ୍କୀ ଆକ୍ରମଣରେ କ୍ଷତିଗ୍ରସ୍ତ ସେଣ୍ଟ୍ ଆନ୍ଥୋନୀ ଚର୍ଚ୍ଚ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ୨୦୧୫ରେ ଶ୍ରୀଲଙ୍କା ଗସ୍ତ କରିଥିଲେ। ତା’ପରେ ୨୦୧୭ ଓ ୨୦୧୯ ଜୁନରେ ଶ୍ରୀଲଙ୍କା ଗସ୍ତ କରି ଦୁଇଦେଶର କୂଟନୈତିକ ସମ୍ପର୍କକୁ ଦୃଢ଼ୀଭୂତ କରିଛନ୍ତି।
ଭାରତ ସରକାରଙ୍କ ୧୩୭୨ କୋଟି ଟଙ୍କା ସହାୟତାରେ ଶ୍ରୀଲଙ୍କାର ପୂର୍ବ ଓ ଉତ୍ତରାଞ୍ଚଳରେ ପ୍ରାୟ ୪୬ ହଜାରରୁ ଅଧିକ ଘର ତିଆରି କରାଯାଇଛି। ଶ୍ରୀଲଙ୍କାରେ ଭାରତ ସରକାରଙ୍କ ଦେଶବ୍ୟାପୀ ଆମ୍ବୁଲାନ୍ସ ସେବାର ଲୋକପ୍ରିୟତା ବୃଦ୍ଧି ପାଇଛି। ତା’ ସହିତ ଶ୍ରୀଲଙ୍କାରେ ବହୁ ସୌରପ୍ରକଳ୍ପ ନିର୍ମାଣ କରୁଛି ଭାରତ। ଶ୍ରୀଲଙ୍କା ରେଳବାଇକୁ ଭାରତ ପ୍ରାୟ ୧୬୦ ଯାତ୍ରୀବାହୀ ବଗି ପ୍ରଦାନ କରିଛି।