ଯୁବକଙ୍କୁ ପିଟି ପିଟି ମାରିଦେଲେ: ୫ ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚୁରା

ବଲାଙ୍ଗିର,ଏନଏନଏସ: ବଲାଙ୍ଗୀର ସହର ଶାନ୍ତିପଡାରେ ଜଣେ ମାନସିକ ଅନଗ୍ରସର ଯୁବକ ମାଲପଡାର ଶ୍ରୀହରି ପ୍ରଧାନଙ୍କୁ କିଛି ଲୋକେ ଗତକାଲି ପିଟିପିଟି ମାରି ଦେଇଥିଲେ। ତେବେ ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଅତିରିକ୍ତ ଏସପି ସୁବାଷ ଜମାଦାର କହିଛନ୍ତି । ପ୍ରକାଶଯୋଗ୍ୟ, ଗତକାଲି ଶାନ୍ତିପଡାରେ ଜଣେ ଯୁବକଙ୍କୁ କିଛି ଲୋକ ମାଡ ମାରୁଥିବା ନେଇ ପୁଲିସ ଜଣେ ଅଜଣା ବ୍ୟକ୍ତି ଫୋନ କରିଥିଲେ । ଫୋନ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚଲା ବେଳକୁ ଫୋନ କରିଥିବା ସମ୍ପୃକ୍ତ ବ୍ୟକ୍ତି ସେଠାରେ ନଥିଲେ ।

ତେବେ ଯୁବକଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରି ପୁଲିସ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନେଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଶ୍ରୀହରିଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ , ଶ୍ରୀହରି ଜଣେ ମାନସିକ ଅନଗ୍ରସର ଯୁବକ । ସେ କୌଣସି କାରଣରୁ ତାଙ୍କ ନିଜ ପଡାରୁ ଶାନ୍ତିପଡାକୁ ଚାଲି ଯାଇଥିଲେ । ସେଠାରେ ସେ କେତେଜଣଙ୍କ ଘରକୁ ପସି ଯାଇଥିଲେ । ତେଣୁ ଲୋକେ ସନେ୍ଧହ କରି ତାଙ୍କୁ ମାଡ ମାରିଥିଲେ । ସେହି ମାଡ ଯୋଗୁଁ ଶ୍ରୀହରିଙ୍କ ମୃତ୍ୟୁ ହୋଇଥିବା ସନେ୍ଧହ କରାଯାଉଛି ।