ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ରାୟ ଶୁଣାଣି ହେବ ବୋଲି ଜଣାଯାଇଛି। ତେବେ ପ୍ରାୟ ଦେଢ଼ ଘଣ୍ଟାକାଳ ଶୁଣାଣି ଚାଲିବା ପରେ ସୁପ୍ରିମକୋର୍ଟ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି । ଆସନ୍ତା ମଙ୍ଗଳବାର ସାଢ଼େ ୧୦ଟାରେ ସୁପ୍ରିମକୋର୍ଟ ମାମଲାର ରାୟ ଶୁଣାଇବେ ବୋଲି ଧାର୍ୟ୍ୟ କରିଛନ୍ତି।
ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପରେ ଏହା ବିରୋଧରେ ଏନସିପି, କଂଗ୍ରେସ ଏବଂ ଶିବସେନା ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏହି ପିଟିଶନ ଆଧାରରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ବିଜେପି ଏବଂ ଅଜିତ ପୱାରଙ୍କଠାରୁ ରାଜ୍ୟପାଳ ପାଇଥିବା ସମର୍ଥନ ପତ୍ରକୁ ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ କୋର୍ଟରେ ଦାଖଲ କରିଥିଲେ। ଏହା ସହିତ ସବୁ ପକ୍ଷମାନେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।
ସବୁ ପକ୍ଷର ଦଲିଲ ଶୁଣିବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ମାମଲାର ରାୟ ପ୍ରକାଶ କରିବେ ବୋଲି ଜଣାଇଛନ୍ତି। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ, ତୁଷାର ମେହେଟ୍ଟା, ବିଜେପି ପକ୍ଷରୁ ମୁକୁଲ ରୋହତଗୀ, କଂଗ୍ରେସ-ଏନସିପି ତରଫରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଶିବସେନା ପକ୍ଷରୁ କପିଲ ଶିବଲ ମାମଲା ପରିଚାଳନା କରୁଥିଲେ।