ମହାରାଷ୍ଟ୍ର ମାମଲାରେ ଆଜି ହେବ ଶୁଣାଣି, କେନ୍ଦ୍ରକୁ ନୋଟିସ୍ ଜାରି

ରାଜ୍ୟପାଳଙ୍କ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ପ୍ରତି ମୁହୂର୍ତ୍ତରେ ନୂଆ ମୋଡ଼ ନେଉଥିଲାବେଳେ ସୁପ୍ରିମକୋର୍ଟ ଶିବସେନା, ଏନ୍ସିପି ଓ କଂଗ୍ରେସ ଦ୍ୱାରା ଆଗତ ଆବେଦନର ରବିବାର ଶୁଣାଣି କରି କେନ୍ଦ୍ର ସରକାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ଶିବସେନା, ଏନ୍ସିପି ଓ କଂଗ୍ରେସ ପକ୍ଷରୁ ତୁରନ୍ତ ଫ୍ଲୋରଟେଷ୍ଟ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଓ ଦେବେନ୍ଦ୍ର ଫଡନାବିସଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ ସମ୍ପର୍କିତ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଦୁଇଟି ପତ୍ର ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା କୋର୍ଟରେ ଉପସ୍ଥାପନ କରିବାକୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ବିଚାରପତି ଜଷ୍ଟିସ୍ ଏନଭି ରମାନା, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ଶିବସେନା, ଏନ୍ସିପି ଓ କଂଗ୍ରେସ ଆବେଦନର ଶୁଣାଣି କରି କହିଲେ କେନ୍ଦ୍ର ସରକାରଙ୍କୁ ରାଜ୍ୟପାଳଙ୍କ ଚିଠି ଉପସ୍ଥାପନ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ଏହି ତିନିଦଳ ରାଜ୍ୟପାଳଙ୍କ ପଦକ୍ଷେପକୁ ଚାଲେଞ୍ଜ୍ କରି ଦର୍ଶାଇଛନ୍ତି ଏହି ସାମ୍ବିଧାନିକ ପଦବୀର ଦୁରୂପଯୋଗ କରାଯାଇଛି। ଶିବସେନା-ଏନ୍ସିପି-କଂଗ୍ରେସ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ କପିଲ ଶିବଲ ଓ ଅଭିଷେକ ମନୁ ସିଙ୍ଘଭୀ ହାଜର ହୋଇ କହିଲେ, ଫ୍ଲୋର୍ଟେଷ୍ଟ ତତ୍କାଳ କରାଗଲେ ଦେବେନ୍ଦ୍ର ଫଡନାବିସଙ୍କ ସଂଖ୍ୟାଗରିଷ୍ଠତାର ପ୍ରମାଣ ଜଣାପଡ଼ନ୍ତା। ମାତ୍ର ଖଣ୍ଡପୀଠ ଏହି ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ।

ଏହି ଅବସରରେ କପିଲ ଶିବଲ କହିଥିଲେ, ଭାରତୀୟ ଗଣତନ୍ତ୍ରରେ ଏଭଳି କେବେ ଦେଖାଯାଇନଥିଲା। ସୂଚନାଯୋଗ୍ୟ ଶନିବାର ରାତିରେ ଏହି ତିନିଦଳ ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ପଦକ୍ଷେପକୁ ଚାଲେଞ୍ଜ୍ କରିଥିଲେ। ଦୁଇଜଣ ବିଜେପି ବିଧାୟକ ଓ କେତେକ ସ୍ୱାଧୀନ ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗୀ ହାଜର ହୋଇ ଏହି ତିନିଦଳ ପକ୍ଷରୁ ଆଗତ ରିଟ୍ ପିଟିସନ୍ର ବୈଧତାକୁ ଚାଲେଞ୍ଜ୍ କରିଥିଲେ। ଏହି ତିନିଦଳ ବମ୍ବେ ହାଇକୋର୍ଟକୁ ନଯାଇ କାହିଁକି ସୁପ୍ରିମକୋର୍ଟକୁ ଆସିଲେ ବୋଲି ସେ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଲେ, ରାଜ୍ୟପାଳଙ୍କ ଆମନ୍ତ୍ରଣ ବିନା ରାଜନୈତିକ ଦଳ ସରକାର ଗଠନ କରିପାରିବେ ନାହିଁ। ତେଣୁ ରାଜ୍ୟପାଳଙ୍କ ପଦକ୍ଷେପକୁ ଚାଲେଞ୍ଜ୍ କରି ହୋଇଥିବା ଆବେଦନ ଖାରଜ କରାଯାଉ ବୋଲି ମେହେଟ୍ଟା ଖଣ୍ଡପୀଠକୁ କହିଥିଲେ।