ବେକାରୀରେ ସବୁଠୁ ଆଗରେ ଓଡ଼ିଶା, ପ୍ରତି ୧୦ ଜଣରୁ ୩ ଯୁବକ ବେକାର

ଶ୍ରମବଳ ସର୍ବେକ୍ଷଣ ରିପୋର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢ଼ିଛି। ପୁରୁଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଯୋଗାଇବା କ୍ଷେତ୍ରରେ ରାଜ୍ୟ ସବୁଠାରୁ ପଛରେ ପଡ଼ିଥିବା ବେଳେ ବେକାର ମହିଳାଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ। ଏପରିକି, ରାଜ୍ୟରେ ଥିବା ୧୫ ବର୍ଷରୁ ଅଧିକ ବୟସର ସମସ୍ତ ପୁରୁଷ ଓ ମହିଳାଙ୍କ ବେରୋଜଗାର ହାର ମଧ୍ୟ ଦେଶ ମଧ୍ୟରେ ସର୍ବାଧିକ। ରାଜ୍ୟରେ ସର୍ବମୋଟ ୧୫.୭ ପ୍ରତିଶତ ବେକାରୀ ରହିଛନ୍ତି।

ଏହା ଯେକୌଣସି ରାଜ୍ୟ ତୁଳନାରେ ଅଧିକ। ତେବେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଶ୍ରମ ବଳ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୧୯ ବର୍ଷର ପ୍ରଥମ କ୍ୱାର୍ଟର୍ରେ(ଜାନୁଆରୀରୁ ମାର୍ଚ୍ଚ)ରାଜ୍ୟରେ ବେକାରୀଙ୍କ ହାର ୩୩.୮ ପ୍ରତିଶତ,ଯାହା ଦେଶ ମଧ୍ୟରେ ସର୍ବାଧିକ। ଅର୍ଥାତ୍ ରାଜ୍ୟରେ ପାଖପାଖି ପ୍ରତି ୧୦ଜଣରେ ଜଣେ ଯୁବକ କିମ୍ବା ଯୁବତୀ ବେକାର। ଅନ୍ୟପକ୍ଷରେ ଦେଶରେ ୧୫ରୁ ୨୯ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବେକାର ଯୁବକ ଓଡ଼ିଶାରେ ଅଛନ୍ତି ।

ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ ବର୍ଷର ପ୍ରଥମ ତିନି ମାସରେ ରାଜ୍ୟର ୩୨ ପ୍ରତିଶତ ଯୁବକ ୭ଦିନ ମଧ୍ୟରେ ୧ଘଣ୍ଟାର କାମ ମଧ୍ୟ ପାଇ ପାରୁନାହାନ୍ତି। ଏହା ଜାତୀୟ ହାର ତୁଳନାରେ ଢ଼େର କମ୍। ଦେଶରେ ସଂପ୍ରତି ବେକାର ଯୁବକଙ୍କ ହାର ୨୦.୯ ପ୍ରତିଶତ ରହିଛି। ତେବେ ମହିଳାଙ୍କ କ୍ଷେତ୍ରରେ ସମସ୍ୟା ଆହୁରି ଜଟିଳ। ୧୫ରୁ ୨୯ବର୍ଷର ମହିଳାଙ୍କ ମଧ୍ୟରୁ ୩୯.୨ ପ୍ରତିଶତ ମହିଳା ଏବେ ମଧ୍ୟ ସ୍ୱାବବଲମ୍ବୀ ହୋଇ ପାରିନାହାନ୍ତି।

ସାରା ଦେଶରେ ମହିଳା ବେକାରୀ କ୍ଷେତ୍ରରେ ରାଜ୍ୟ ୫ମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଯୁବଗୋଷ୍ଠୀ ବେକାରୀ କ୍ଷେତ୍ରରେ କେବଳ କାଶ୍ମୀର ଓ କେରଳ ହିଁ ଦୁଇଟି ରାଜ୍ୟ ଯାହା ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାଠାରୁ ପଛରେ ପଡ଼ିଛନ୍ତି । ରାଜ୍ୟର ଦେଖାଦେଇଥିବା ଏହି ଉତ୍କଟ ବେକାରୀ ସମସ୍ୟା ଆକସ୍ମିକ କିମ୍ବା ଅବିଶ୍ୱସନୀୟ ମଧ୍ୟ ନୁହେଁ। ଯୁବ ବେକାରୀଙ୍କ ସଂଖ୍ୟା ଗଲା ବର୍ଷଠାରୁ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ୧୫ରୁ ୨୯ ବର୍ଷୀୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀଙ୍କ ସଂଖ୍ୟା ୨୦୧୮ ଅପ୍ରେଲ-ଜୁନ୍ କ୍ୱାର୍ଟର୍ରେ ୨୪.୩ ପ୍ରତିଶତ, ଜୁଲାଇରୁ ସେପ୍ଟେମ୍ବର କ୍ୱାର୍ଟରରେ ୩୩.୪ ପ୍ରତିଶତ, ଅକ୍ଟୋବରରୁ ଡିସେମ୍ବର କ୍ୱାର୍ଟରରେ ୩୫.୭ ପ୍ରତିଶତ ଓ ୨୦୧୯ ଜାନୁଆରୀରୁ କ୍ୱାର୍ଟରରେ ୩୩.୮ ପ୍ରତିଶତରେ ପହଞ୍ଚିଛି।

ଅନ୍ୟପକ୍ଷରେ ପୁରୁଷ ଯୁବଗୋଷ୍ଠୀଙ୍କ ମଧ୍ୟରେ ମଧ୍ୟ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୮ ବର୍ଷର ଗତ ୩ଟି କ୍ୱାର୍ଟରରେ ୧୯.୪ ପ୍ରତିଶତ, ୨୯.୬ ପ୍ରତିଶତ ଓ ୩୧.୬ ପ୍ରତିଶତର ବେକାରୀ ପୁରୁଷ ଯୁବକ ରହିଥିଲେ। ତେବେ ୨୦୧୯ ବର୍ଷରେ ଏହା ସମସ୍ତ ପୁରୁଣା ରେକର୍ଡ଼କୁ ଅତିକ୍ରମ ସର୍ବକାଳୀନ ସର୍ବାଧିକ ବେକାରୀ ସମସ୍ୟା ସୃଷ୍ଟି କରିଛି। ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟିରେ ମଧ୍ୟ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।