ଭାରତର ଦ୍ୱାଦଶ ଟେଷ୍ଟ ସିରିଜ୍ ବିଜୟ

କୋଲକାତା,ଏଜେନ୍ସି: ସ୍ଥାନୀୟ ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ପିଙ୍କ୍ବଲ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୪୬ ରନ୍ରେ ବିଜୟୀ ହୋଇଛି। ଏହା ସହ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୨-୦ରେ ଜିତିନେଇଛି। ଭାରତର ଈଶାନ୍ତ ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ବିବେଚିତ କରାଯାଇଛି। ଏହା ପରେ ଭାରତ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ସହ ଡିସେମ୍ବର ୬ରୁ ୩ଟି ଲେଖାଏଁ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ।

ପିଙ୍କ୍ବଲ ଟେଷ୍ଟରେ ଭାରତର ପ୍ରଥମ ବିଜୟ ସହ ଘରୋଇ ମାଟିରେ କ୍ରମାଗତ ଦ୍ୱାଦଶ ସିରିଜ୍ ବିଜୟୀ ହୋଇଛି। ପୂର୍ବରୁ ସାଉଥ୍ ଆଫ୍ରିକାକୁ ହରାଇ ଭାରତ ଏଥିରେ ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଥିଲା। ଘରୋଇ ମାଟିରେ ଭାରତ ଶେଷଥର ସିରିଜ୍ ୨୦୧୨-୧୩ରେ ଇଂଲଣ୍ଡଠାରୁ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୨ରେ ହାରିଥିଲା। ଏହା ପରେ ବିଶ୍ୱର ସମସ୍ତ ଶ୍ରେଷ୍ଠ ଦଳକୁ ହରାଇବାରେ ଭାରତ ସମର୍ଥ ହୋଇଛି। ଏହି ୧୨ଟି ଟେଷ୍ଟ ସିରିଜ୍ରେ ୩୪ଟି ଘରୋଇ ଦଳ ମ୍ୟାଚ୍ ଖେଳିଛି। ଏହା ମଧ୍ୟରୁ ୨୮ଟିରେ ଜିତିଥିଲାବେଳେ ମାତ୍ର ଗୋଟିଏ ମ୍ୟାଚ୍ ହାରିଛି। ୨୦୧୬-୧୭ ସିଜନରେ ଅଷ୍ଟ୍ରେଲିଆଠାରୁ ଭାରତ ଏହି ଟେଷ୍ଟରେ ହାରିଥିଲା।


ଏହି ସମୟ ମଧ୍ୟରେ ଭାରତ ବିଦେଶ ମାଟିରେ ୧୧ଟି ଟେଷ୍ଟ ସିରିଜ୍ ଖେଳିଛି। ତାହା ମଧ୍ୟରୁ ୬ଟି ସିରିଜ୍ ହାରିଥିଲାବେଳେ ୪ଟିରେ ଜିତିଛି ଏବଂ ବାଂଲାଦେଶ ସହ ଏକ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଡ୍ର ରଖିଛି। ଏହି ୪ଟି ସିରିଜ୍ ମଧ୍ୟରେ ଭାରତ ୨୦୧୮-୧୯ରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିଥିଲା।

ଭାରତ ହାରିଥିବା ୬ଟି ସିରିଜ୍ ମଧ୍ୟରେ ୨୧ଟି ଟେଷ୍ଟ ଖେଳିଥିଲା। ତାହା ମଧ୍ୟରୁ ମାତ୍ର ୩ଟିରେ ଜିତିଥିଲାବେଳେ ୧୩ଟିରେ ପରାଜିତ ହୋଇଛି। ଅନ୍ୟ ୩ଟି ସିରିଜ୍ରେ ୱେଷ୍ଟଇଣ୍ଡିଜ୍କୁ ୨ଥର ଏବଂ ଶ୍ରୀଲଙ୍କାକୁ ଥରେ ହରାଇବାରେ ସମର୍ଥ ହୋଇଛି। ବିଦେଶ ମାଟିରେ ଶ୍ରେଷ୍ଠ ଦଳଙ୍କଠାରୁ ହାରିଥିଲାବେଳେ ଘରୋଇ ମାଟିରେ ସେମାନଙ୍କୁ ହରାଇବାରେ ସମର୍ଥ ହୋଇଛି।