ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଆଇ), ମ୍ୟାଟେରିଆଲ୍ ରିସାଇକ୍ଲିଂ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଆରଏଆଇ) ଏବଂ ଆଲୁମିନିୟମ୍ ସେକଣ୍ଡାରୀ ମାନ୍ୟୁଫାକ୍ଚରର୍ସ୍ (ଏଏସଏମଏ) ସହ ମିଳିତ ଆନୁକୂଲ୍ୟରେ ଜୱାହରଲାଲ ନେହରୁ ଆଲୁମିନିୟମ୍ ରିସର୍ଚ୍ ଡେଭେଲପ୍ମେଣ୍ଟ୍ ଆଣ୍ଡ୍ ଡିଜାଇନ୍ ସେଣ୍ଟର୍ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ୍ ମେଫେୟାର୍ ପରିସରରେ ‘ଦକ୍ଷତା ବିକାଶ ଏବଂ ଆଲୁମିନିୟମ୍ ସମ୍ବନ୍ଧୀୟ ସଚେତନତା’ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି।
ଇଏସି-ପିଏମ୍, ଭାରତ ସରକାରଙ୍କ ସଦସ୍ୟ ସଚିବ ଶ୍ରୀ ରତନ ପି.ୱାଟାଲ ଏହାର ଉଦ୍ଘାଟନ କରିଥିଲେ। ଏହି ଅବସରରେ, ଜେଏନ୍ଏଆର୍ଡିଡିସିର ନିର୍ଦ୍ଦେଶକ ଡଃ ଅନୁପମ ଅଗ୍ନିହୋତ୍ରୀ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଫିସ୍ର ବରିଷ୍ଠ କନ୍ସଲ୍ଟାଣ୍ଟ୍ ଡଃ ବି.ଏନ୍. ଶତପଥୀ, ଖଣି ମନ୍ତ୍ରାଳୟର ନିର୍ଦ୍ଦେଶକ ଶ୍ରୀ ଅମିତ ଶରଣ, ହିଣ୍ଡାଲ୍କୋର ଏମସିଓଇ ବିଭୁ ମିଶ୍ର, ନାଲ୍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଷଡ଼ାନନ ଚୌଧୁରୀ, ଏମ୍ଆର୍ଏଆଇର ଉପସଭାପତି କିଶୋର ରାଜପୁରୋହିତ ଏବଂ ଅନେକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।
ନିଜର ଉଦଘାଟନୀ ଅଭିଭାଷଣରେ ୱାଟାଲ୍ ସର୍କୁଲାର୍ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେଉଁଥିରେ କି ସାଧନକୁ ଯଥାସମ୍ଭବ ଅଧିକ ସମୟ ପର୍ଯ୍ୟନ୍ତ ଉପଯୋଗ କରାଯାଇଥାଏ ଏବଂ ଉପଯୋଗ ସମୟରେ ସେଥିରୁ ସର୍ବାଧିକ ମୂଲ୍ୟ ବାହାର କରାଯାଇଥାଏ ଏବଂ ଏହାର ଜୀବନଚକ୍ର ଶେଷ ହେବା ପରେ ମଧ୍ୟ ତାହାର ପୁନଃଚକ୍ରଣ କରାଯାଇଥାଏ। ଏଥି ସହିତ, ସେ ଆନ୍ତର୍ଜାତୀୟ ପ୍ରତିଦ୍ୱନ୍ଦିତାମୂଳକ ପରିସ୍ଥିତିରେ ପ୍ରାକୃତିକ ସାଧନର କ୍ଷୟକୁ ଆଖିରେ ରଖି ସାଧନର ପ୍ରଭାବଶାଳୀ ଭାବେ ଉପଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ନିରନ୍ତର ବିକାଶ ପାଇଁ ସାଧନର ପ୍ରଭାବଶୀଳତା ଏକ ପ୍ରମୁଖ ଉପାଦାନ ହୋଇଥିବା ବେଳେ ବକ୍ସାଇଟ୍ର ରେସିଡ୍ୟୁ (ରେଡ୍ ମଡ୍), ଫ୍ଲାଏ ଆଶ୍, ସ୍ପେଣ୍ଟ୍ ପଟ୍ଲାଇନ୍ (ଏସପିଏଲ୍), ଡ୍ରସ୍ ଆଦିର ଉପଯୋଗ ଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦର ବିକାଶ ସମ୍ଭବ ହୋଇପାରିବ। ନିଜର ଅଭିଭାଷଣରେ ଡଃ ଅଗ୍ନିହୋତ୍ରୀ ଆଲୁମିନିୟମ୍ ଶିଳ୍ପ କ୍ଷେତ୍ରରେ ସାଧନର ପ୍ରଭାବଶାଳୀ ଉପଯୋଗ ସହ ଏହାକୁ ୨୦୩୦-୩୫ ସୁଦ୍ଧା ଏକ ଶୂନ୍ୟ ନିର୍ଗମନ ଏବଂ କାର୍ବନ୍ ନିଉଟ୍ରାଲ୍ ଉଦ୍ୟୋଗରେ ରୂପାନ୍ତରିତ କରିବା ଦିଗରେ ଜେଏନ୍ଆର୍ଡିଡିସିର ଅବଦାନ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆଲୁମିନିୟମ୍ ଉଦ୍ୟୋଗ କ୍ଷେତ୍ରରେ ସାଧନର ପ୍ରଭାବଶାଳୀ ଉପଯୋଗକୁ ସୁନିଶ୍ଚିତ କରିବା ପାଇଁ ଏବଂ ସାଧନର ସଂରକ୍ଷଣ କରିବା ପାଇଁ ଏକ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷର ପ୍ରତିଷ୍ଠା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଦେଶର ୩ଟି ପ୍ରମୁଖ ପ୍ରାଥମିକ ଆଲୁମିନିୟମ୍ ଉତ୍ପାଦନକାରୀ (ନାଲ୍କୋ, ବେଦାନ୍ତ ଓ ହିଣ୍ଡାଲ୍କୋ), ଦ୍ୱିତୀୟକ ଆଲୁମିନିୟମ୍ ଶିଳ୍ପସଂସ୍ଥା, ସରକାରୀ ଅନୁଷ୍ଠାନ (ନୀତି ଆୟୋଗ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ସିପିସିବି, ଏସ୍ପିସିବି, ବିଏଆର୍ସି, ଆଇବିଏମ୍, ଖଣି ମନ୍ତ୍ରାଳୟ ଏବଂ ବିଆଇଏସ୍) ତଥା ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ, ଯୁବ ଶିଳ୍ପଦ୍ୟୋଗୀ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟାପକ ଭାବେ ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ହେବାକୁ ଥିବା ଆଲୋଚନା ଅଂଶଗ୍ରହଣକାରୀଙ୍କ ପାଇଁ ବେଶ୍ ଲାଭଜନକ ହେବ ଏବଂ ଶିଳ୍ପ ଓ ଦେଶର ବିକାଶ ପାଇଁ ସର୍କୁଲାର୍ ଅର୍ଥନୀତି ଏବଂ ସାଧନର ପ୍ରଭାବଶୀଳତାର ଉପାଦେୟତା ସମ୍ପର୍କରେ ଅବଗତ କରାଇବ। ଆଗାମି ୨ ଦିନରେ, ଆଲୁମିନିୟମ୍ ଶିଳ୍ପରେ ସାଧନର ପ୍ରଭାବଶୀଳତା ସମ୍ବନ୍ଧୀୟ ନିମ୍ନଲିଖିତ କ୍ଷେତ୍ର ଉପରେ ଏହି କାର୍ଯ୍ୟକ୍ରମଟି ପର୍ଯ୍ୟବସିତ ହେବ।
• ପ୍ରାଥମିକ ଓ ଦ୍ୱିତୀୟକ ଆଲୁମିନିୟମ୍ ଶିଳ୍ପ ଦ୍ୱାରା ନିର୍ଗତ ବର୍ଜ୍ୟବସ୍ତୁର ନିର୍ଦ୍ଦିଷ୍ଟ ଉପଯୋଗ
• ବର୍ଜ୍ୟବସ୍ତୁରୁ ମୂଲ୍ୟଯୁକ୍ତ ଉତ୍ପାଦର ପ୍ରକ୍ରିୟାକରଣ
• ଆଲୁମନିୟମର ପୁନଃଚକ୍ରଣ
• ଶ୍ରେଷ୍ଠ ଉପଲବ୍ଧ ବୈଷୟିକ ଜ୍ଞାନକୌଶଳ