ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଭିନ୍ନ ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ। ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସଂକ୍ରାନ୍ତରେ ବିସ୍ତୃତ ଘୋଷଣାନାମା ପ୍ରକାଶ ପାଇଛି।
ଏହି ନୂତନ ନିଷ୍ପତ୍ତି ଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ। ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି। ନୂଆ ନିୟମନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ।
ପ୍ରମାଣପତ୍ରର ଅବଧି ୨ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡ଼ି କ୍ଷେତ୍ରରେ ୫ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିବ। ୨୦୨୦ ମସିହା ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ୍ ଜରିଆରେ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ନୂତନ ନିଷ୍ପତ୍ତିନୁଯାୟୀ, ୧୫ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା (ମଲ୍ଟିପ୍ଲେକ୍ସ ବ୍ୟତୀତ)ପାଇଁ ସର୍କଲ ଡେପୁଟି ଫାୟାର ଅଫିସର, ୧୫ରୁ ୩୫ମିଟର ଉଚ୍ଚତା ବିଶିଷ୍ଟ(ମଲ୍ଟିପ୍ଲେକ୍ସ ବ୍ୟତୀତ) ରେଞ୍ଜ ଫାୟାର ଅଫିସର, ୩୫ମିଟର ବା ତଦୁଦ୍ଧ୍ୱର୍ ଉଚ୍ଚତା ବିଶିଷ୍ଟ କୋଠାବାଡ଼ି ପାଇଁ ମୁଖ୍ୟ ଫାୟାର ଅଫିସର, ୧୨ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ତଥା ୩୦ ଶଯ୍ୟାବିଶିଷ୍ଟ ଚିକିତ୍ସାଳୟ ଯାହାର କି ଅନ୍ତତଃପକ୍ଷେ, ଗୋଟିଏ ଆଇସିୟୁ ଥିବ, ସେ କ୍ଷେତ୍ରରେ ଆସିଷ୍ଟାଣ୍ଡ ଫାୟାର ଅଫିସର ଏବଂ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଉପରୋକ୍ତ ବୈଶିଷ୍ଟଯୁକ୍ତ ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର, ସିନେମା ହଲ୍ ପାଇଁ ଜିଲ୍ଲା ସହଯୋଗୀ ଫାୟାର ଅଫିସର, ୩ ତାରକାରୁ କମ୍ ହୋଟେଲ, ଲଜିଂ ଓ ଗେଷ୍ଟ୍ ହାଉସ୍ ପାଇଁ ଜିଲ୍ଲା ସହଯୋଗୀ ଫାୟାର ଅଫିସର, ୩ ତାରକାରୁ ଊଦ୍ଧ୍ୱର୍ ହୋଟେଲ ପାଇଁ ଡେପୁଟି ଫାୟାର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ୍, ବହୁତଳ କାର ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର ପାର୍କିଂ ପାଇଁ ରେଞ୍ଜ ଫାୟାର ଅଫିସର, ପେଟ୍ରୋଲ ପମ୍ପ୍ ଓ ଏଲ୍ପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଡ ଫାୟାର ଅଫିସର, ଶିଳ୍ପ (କ୍ଷୁଦ୍ର)କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ (ସ୍ଥାୟୀ ଲାଇସେନ୍ସଧାରୀ)ପାଇଁ ଡେପୁଟି ଫାୟାର ଅଫିସର ଏବଂ ବୃହତ୍ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ୍ ତଥା ଅନ୍ୟ ଦାହ୍ୟପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଞ୍ଜ ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ।