୩୦ ବର୍ଷ ପରେ ସ୍ୱାମୀଙ୍କୁ ପାଇଲେ ସ୍ତ୍ରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଟଙ୍କା ରୋଜଗାର ନିଶାରେ ଗାଁ ପରିବାର ଛାଡ଼ି ଘରୁ ଗୋଡ଼ କାଢ଼ିଥିଲେ । ହେଲେ ଅର୍ଥ ରୋଜଗାରରେ ସମର୍ଥ ନହେବାରୁ ଲଜ୍ୟାରେ ଘରକୁ ନ ଫେରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଘୁରି ବୁଲି ଦୀର୍ଘ ୩୦ ବର୍ଷରୁ ଊର୍‌ଦ୍ଧ୍ୱ ହେବ ସ୍ତ୍ରୀ, ପିଲା ଛୁଆ ତଥା ସମ୍ପର୍କୀୟଙ୍କଠାରୁ ଦୂରେଇ ରହିଥିଲେ । କିନ୍ତୁ ଯୁବ ଅବସ୍ଥାରେ ଟଙ୍କା ରୋଜଗାର ନିଶାରେ ଘରୁ ପଳାଇଥିବା ବ୍ୟକ୍ତି ଶେଷରେ ନିଜ ଗାଁ ଓ ପରିବାର ପାଖକୁ ଫେରି ଆସିଛନ୍ତି । ଫଳରେ ଦୀର୍ଘ ବର୍ଷ ଧରି ଅନେକ ଆଶା ଓ ଆଶଙ୍କା ମଧ୍ୟରେ ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୁର ଲଗାଇ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିବା ସ୍ତ୍ରୀ ସରସ୍ୱତୀ ଆନନ୍ଦରେ କାନ୍ଦି ପକାଇଛନ୍ତି । ଅନ୍ୟପଟେ ସେଦିନର କୁନି ପିଲା ଆଜି ବିବାହିତ ହୋଇ ବାପାଙ୍କୁ ପାଖରେ ପାଇ ଅତୀତ କଥା ମନେ ପକାଉଛି । ବିଚ୍ଛେଦ ଓ ମିଳନର ଏଭଳି ଦୃଶ୍ୟ ଦେଖି ଗ୍ରାମବାସୀ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ଥାନା ଅନ୍ତର୍ଗତ ସୁବନପାଲି ଗ୍ରାମ ମାକରମୁଣ୍ଡା ସାହିର କପିଳ ସାହୁ ୧୯୯୨ ମସିହାରେ ଅର୍ଥ ଉପାର୍ଜନ ଆଶାରେ ନିଜ ଗାଁ ଓ ପରିବାରକୁ ଛାଡ଼ି ରାଜଗାଙ୍ଗପୁର ପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କାମଧନ୍ଧା କରୁଥିଲେ ମଧ୍ୟ ପରିବାର ପାଇଁ ଅର୍ଥ ସଂଚୟ କରି ପାରୁନଥିଲେ । ଫଳରେ ପରିବାର ସଦସ୍ୟଙ୍କଠାରୁ ଦୂରେଇ ରହିବା ପରେ ଶେଷରେ ଅତୀତର ଭୁଲ ପାଇଁ ପଶ୍ଚାତାପ କରିବା ସହ ନିଜ ଗାଁ ଓ ପରିବାର ପାଖକୁ ଫେରିଯିବାର ନିଷ୍ପତ୍ତି ନେଇଥିଲେ । ଗତ ଦେଢ଼ ମାସ ମଧ୍ୟରେ ସେ ୧୫ ହଜାର ଟଙ୍କା ସଂଚୟ କରି ଗତକାଲି ନିଜ ଗାଁକୁ ଫେରିଥିଲେ । ଗାଁକୁ ଫେରି କପିଳ ନିଜ ଘରେ ପହଁଞ୍ଚି ବଡ଼ ପୁଅ ଲକ୍ଷ୍ମଣ ସମ୍ପର୍କରେ ବଡ଼ ବୋହୁଙ୍କୁ ପଚାରିଥିବାବେଳେ ସେ ବାହାରେ ଚାକିରି କରୁଥିବା ଜାଣିଥିଲେ । ପରେ ବୋହୁଙ୍କୁ ସ୍ତ୍ରୀ ସରସ୍ୱତୀ ସମ୍ପର୍କରେ ପଚାରିଥିଲେ ତେବେ ସେ ଅଙ୍ଗନବାଡିରେ କାର୍ଯ୍ୟ କରୁଥିବା ଜାଣିବା ପରେ ତାଙ୍କ ଆସିବା ବାଟକୁ ଚାହିଁ କପିଳ ଅପେକ୍ଷା କରିଥିଲେ । ସରସ୍ୱତୀ ଘରକୁ ଆସିବା ଦେଖି ଉଭୟ ସ୍ୱାମୀ-ସ୍ତ୍ରୀ ବିଚ୍ଛେଦର ଦୁଃଖ ଓ ମିଳନର ଖୁସିରେ କାନ୍ଦି ପକାଇଥିଲେ । ସେହିପରି ଦୀର୍ଘ ୩୦ ବର୍ଷ ପରେ ଘରୁ ହଜି ଯାଇଥିବା ସଦସ୍ୟଙ୍କ ଘର ବାହୁଡା଼ ଦେଖି କପିଳଙ୍କ ପରିବାର ଓ ବନ୍ଧୁବର୍ଗ ତାଙ୍କୁ ଦେଖା କରିବାକୁ ଆସୁଛନ୍ତି ।