ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ପାଳିତ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ଭାଗବତ ଟୁଙ୍ଗୀ କ୍ରମଶଃ ଗ୍ରାମାଞ୍ଚଳରେ ଲୋପ ପାଇବାକୁ ବସିଥିବାବେଳେ ରାୟଗଡ଼ ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଲିମାପଦର ଗ୍ରାମବାସୀ ଆଜି ବି ଏହି ପରମ୍ପରାକୁ ବଞ୍ଚେଇ ରଖିଛନ୍ତି । ଏହି ଗ୍ରାମରେ ଥିବା ସୀତାରାମ ମନ୍ଦିର ପ୍ରାଙ୍ଗଣରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧର୍ମ ମାସ କାର୍ତ୍ତିକ ଅବସରରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଆୟୋଜିତ ହୋଇଯାଇଛି । ଗ୍ରାମବାସୀ ନିଷ୍ଠାର ସହ ଏହି ପାରାୟଣ କାର୍ଯ୍ୟକ୍ରମକୁ ପାଳନ କରୁଛନ୍ତି । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ଦ୍ୱାଦଶୀ ପର୍ଯ୍ୟନ୍ତ ସପ୍ତାହବ୍ୟାପି ପାରାୟଣ ଅନୁଷ୍ଠିତ ହୋଇଥାଏ । ଦୀର୍ଘ ବର୍ଷ ଧରି ପବିତ୍ର ବଡ଼ ଏକାଦଶୀ ତିଥିରେ ରାତି ଉଜାଗର ରହି ସପ୍ତର୍ଷିଙ୍କ ଉଦ୍ଦେଶ୍ୟରେ ତଥା ବିଶ୍ୱ କଲ୍ୟାଣ ପାଇଁ ମାନସିକଧାରୀ ସପ୍ତଦ୍ୱୀପ ଧାରଣ ସହ ତା’ ପରଦିନ ନିକଟସ୍ଥ ବଂଶଧାରା ନଦୀରେ ସମବେତ ବୁଡ଼ ପକେଇବାର ଅନନ୍ୟ ଓ ଭିନ୍ନ ଏକ ପରମ୍ପରା ଏଠାକାର ମୁଖ୍ୟ ଆକର୍ଷଣ । ଏହାସହ ଭାଗବତର ଅଧ୍ୟାୟ ହିସାବରେ କୃଷ୍ଣ ଜନ୍ମ, ନନ୍ଦ ଉତ୍ସବ ପାଳନ ଓ ଭଜନ କୀର୍ତ୍ତନ ଗାଁ ପରିବେଶକୁ ରୁଦ୍ଧିମନ୍ତ କରିଥାଏ । ଏହି କାର୍ଯ୍ୟକ୍ରମ ପ୍ରପନ୍ନ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ସଦାଶିବ ପଣ୍ଡା, ସୁବାସ ପଣ୍ଡା, ଚିନ୍ମୟ ରଥ ଓ ହୃଷିକେଶ ପଣ୍ଡା ପ୍ରମୁଖ ଭାଗବତ ପଠନ କରିଥିଲେ । ଭଗବତ କୃପା ଲାଭ କରିବା ପାଇଁ ଆଖପାଖ ଅଞ୍ଚଳର ବହୁସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ହରପ୍ରସାଦ ରଥ, ଚିନ୍ମୟ ପଣ୍ଡା, ଚକ୍ରପାଣି ତ୍ରିପାଠୀ, ପ୍ରତାପ ପଣ୍ଡା, କେଦାର ପଣ୍ଡା, ମାନସ ପଣ୍ଡା ଓ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।