୭ ଦିନ ମଧ୍ୟରେ ରାସ୍ତା ତିଆରି ନହେଲେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଚେତାବନୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା କୋର୍ଟ ନିକଟରେ ଥିବା ରାସ୍ତାର ଅବ୍ୟବସ୍ଥାକୁ ନେଇ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ସଂଘର ସଭାପତି ନରସିଂହନାଥ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପାଦକ ତପନ ସିଂଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘର ସଦସ୍ୟ ସେକ ବାବା ଆଲିସ, ସରୋଜ ବିଧାର, ଅମର ବିଷୋୟୀ, ଯୁଧିଷ୍ଠିର ନାୟକ ଶ୍ରୀକାନ୍ତ କୁମାର ପଣ୍ଡା, ମୁନା ମାଝୀ ଓ ଜୟଦେବ ବିଶୋଇ ପ୍ରମୁଖ ମୁଖ୍ୟଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ଭେଟି ଯଥାଶୀଘ୍ର ଏହି ରାସ୍ତାକୁ ନିର୍ମାଣ କରିବାକୁ ଦାବୀ ଜଣାଇଛନ୍ତି । ଏହି ରାସ୍ତା ପାଇଁ ଦୀର୍ଘ ଦିନରୁ ଦାବୀ ହୋଇଥିଲେ ମଧ୍ୟ ବିଭାଗର କୌଣସି ଦାୟିତ୍ୱହୀନତା ଦେଖିବାକୁ ମିଳିଛି । ମେଡିକାଲ ଯିବା ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ସାରା ଖାଲଖମାକୁ ମରାମତି କରିବା ଲାଗି ବିଭାଗୀୟ ଯନ୍ତ୍ରୀ ଏହି ରାସ୍ତା ନିର୍ମାଣ କରିବା ପାଇଁ ୭ ଦିନର ସମୟ ମାଗିଛନ୍ତି । ନନ୍ଦାହାଣ୍ଡି ବ୍ଲକର ସରୁଗୁଡ଼ା ଓ ସାଗରମୁଣ୍ଡା ଗାଁର ରାସ୍ତା କଥା ମଧ୍ୟ ଉଠାଯାଇଛି । ଏହି ସମୟ ମଧ୍ୟରେ ଯଦି ରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ତପନ ସିଂ ଚେତାବନୀ ଦେଇଛନ୍ତି ।