ନବରଙ୍ଗପୁର,ଏନ୍ଏନ୍ଏସ୍: ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଐତିହାସିକ ତୁଳସୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚଳିତ ମାସ ୩୦ ତାରିଖରେ ନବରଙ୍ଗପୁରର ପାପଡ଼ାହାଣ୍ଡି ଶୀବ ମନ୍ଦିରରୁ ଏକ ସୁସଜ୍ଜିତ ରଥରେ ସଂଗୃହୀତ ହୋଇଥିବା ପବିତ୍ର ତୁଳସୀକୁ ନେଇ ରଥ ବାହାରିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ଥିବା ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯାଇ ଡିସେମ୍ବର ୧ ତାରିଖରେ ପିସିସି କାର୍ଯ୍ୟାଳୟରେ ପହଞ୍ଚିବ । ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ତୁଳସୀ ରଥ ଯାତ୍ରା କରିବ । ପୁରୀର ଅରୁଣ ସ୍ତମ୍ଭ ନିକଟରେ ସମସ୍ତ ତୁଳସୀ ଅର୍ପଣ କରାଯିବ । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାହେବା, ରତ୍ନ ଭଣ୍ଡାର ଗଣତି, ବେଦାନ୍ତ ଜମି ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଯିବା ପାଇଁ ଏହି ଐତିହାସିକ ତୁଳସୀ ଯାତ୍ରା କରାଯାଉଛି ବୋଲି ଶ୍ରୀ ତ୍ରୀପାଠୀ ସୂଚନା ଦେଇଛନ୍ତି । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦିଲ୍ଲୀପ କୁମାର ବେହେରା, ମନୀଷା ତ୍ରିପାଠୀ, ହାରାବତୀ ଗଣ୍ଡ, ଗୀତାରାଣି ସମରଥ, ପ୍ରଦୀପ ସାହୁ, ଦିବାକର ପୂଜାରୀ, ଅବଦୁଲ ଫିରୋଜଙ୍କ ସମେତ ବହୁ ଛାତ୍ର, ଯୁବ, ମହିଳା କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।