ଶ୍ରେଣୀ ଗୃହ ଅଭାବ ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଅଭିଭାବକଙ୍କ ଧାରଣା

ଦେବଗଡ଼,ଏନ୍‌ଏନ୍‌ଏସ୍ : ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ଅଭିଯୋଗରେ ଆଜି ସ୍କୁଲରେ ତାଲା ପକାଇ ଗ୍ରାମବାସୀ ଧାରଣା ଦେଇଥିବାବେଳେ ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ୧୯୫୦ ମସିହାରେ ସ୍ଥାପିତ ଏହି ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପୁରୁକୁଣ୍ଡା, ଭାଲୁପାଲି, ବଗଛେରା, ରମ୍ଭେଇ, କରଡ଼ାପାଳ ଓ ବଡ଼ଶିରୋଡ଼ିହି ଆଦି ଗ୍ରାମରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୬୩ ଛାତ୍ରଛାତ୍ରୀ ବିଦ୍ୟାଳୟର ୨ଟି ଶ୍ରେଣୀ ଓ ବାରଣ୍ଡାରେ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଶିକ୍ଷାଦାନରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିବା ଶିକ୍ଷକ, ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ଅଭିଯୋଗ କରିଛନ୍ତି । ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଜି ଅଭିଭାବକମାନେ ସ୍କୁଲ ପରିଚାଳନା କମିଟି ସହ ବିଦ୍ୟାଳୟ ପ୍ରତି ପ୍ରଶାସନିକ ଅବହେଳାର ଅଭିଯୋଗ କରି ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।