ନବରଙ୍ଗପୁର,ଏନ୍ଏନ୍ଏସ୍: ସ୍ୱଳ୍ପ ସଂଚୟ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛି । ୨୦୨୨-୨୩ ପାଇଁ ଜିଲ୍ଲାକୁ ୩୭ କୋଟି ଟଙ୍କା ସଂଚୟ ଧାର୍ଯ୍ୟ କରାଯାଇଥିବାବେଳେ ମୋଟ ୬୬ କୋଟି ୪୫ ଲକ୍ଷ ୬୨ ହଜାର ୨୮୪ ଟଙ୍କା ଜମା ଆଦାୟ ହୋଇପାରିଛି । ଧାର୍ଯ୍ୟ ଲକ୍ଷ୍ୟର ୧୭୯.୬୧ ଶତକଡ଼ା ଜମା ଆଦାୟ କରି ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିପାରିଛି । ଜିଲ୍ଲାରେ ସ୍ୱଳ୍ପ ସଂଚୟକୁ ଉତ୍ସାହିତ କରିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ମଧ୍ୟରେ ଗତ ଅକ୍ଟୋବର ୩୦ ତାରିଖରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଥିଲା । ଏଥିନିମନ୍ତେ ଜିଲ୍ଲାରେ ପରିକ୍ରମା କରିବା ପାଇଁ ଏକ ସଂଚୟ ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଉଦଘାଟନ କରିଥିଲେ । ଏତଦବ୍ୟତୀତ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସଂଚୟ ପକ୍ଷ ନିମନ୍ତେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ପ୍ରତିଯୋଗୀଙ୍କୁ ନଗଦ ରାଶି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ନଭେମ୍ବର ୧୬ ତାରିଖ ଭୁବନେଶ୍ୱରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିନାୟକ ଖାଡ଼ଙ୍ଗା ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକଙ୍କଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ ଏବଂ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ଏଭଳି ସଫଳତା ହାସଲ ହୋଇପାରିଥିବାରୁ ଜିଲ୍ଲାପାଳ ଡା. ମିଶ୍ର ସମ୍ପୃକ୍ତ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ସହଯୋଗ କାମନା କରିଛନ୍ତି ।